ଶିକ୍ଷକତା ପ୍ରତି ସବୁବେଳେ ମୋର ଏକ ଭିନ୍ନ ଆକର୍ଷଣ ରହିଥାଏ। ହେଲେ ବି.ଇଡି ଡିଗ୍ରୀ ନଥିବା ଓ ପୁଅର ତତ୍ତ୍ୱାବଧାନରେ କାଳେ ଅବହେଳା ହୋଇଯିବ ଭାବି ଚାକିରି ଖୋଜିବାରେ ଅଯଥା ସମୟ ନଦେଇ, ଛୋଟମୋଟ କୋର୍ସ (ଯାହାର କ୍ଲାସ୍ ୨/୩ ଘଣ୍ଟା ଭିତରେ ସରିଯାଏ) କରିବାରେ ନିଜକୁ ବ୍ୟସ୍ତ ରଖିଥାଏ। ତା’ସହିତ ଗପ, କବିତା ଲେଖିବାରେ ରୁଚି ଥିବାରୁ ସେ ଦିଗରେ ମଧ୍ୟ ମୋର କିଛି ସମୟ ଯାଉଥାଏ। ହେଲେ ସାଇବାବାଙ୍କ ନିର୍ଦ୍ଦେଶ ବୋଧେ କିଛି ଭିନ୍ନ ଥିଲା। ଯେହେତୁ ମୁଁ ରାଉରକେଲାରେ ରହୁଥିଲି, ଦିନେ ହଠାତ୍ ଆମ ଘର ପାଖରେ ଥିବା ଏକ ଘରୋଇ ଓଡିଆ ମିଡିୟମ୍ ସ୍କୁଲ୍ର ଶିକ୍ଷୟିତ୍ରୀ ପ୍ରମିଳା ମହନ୍ତ କେଜାଣି କୋଉଠୁ ମୋ ଫୋନ୍ ନମ୍ବର ପାଇ ମୋତେ ତାଙ୍କ ସ୍କୁଲ୍କୁ ଡକାଇଲେ। ସେତେବେଳେ ମୁଁ ନର୍ସରୀ ଟିଚର୍ସ ଟ୍ରେନିଂ କୋର୍ସ କରୁଥାଏ। ଭାବିଲି ସେଇଠୁ ତ ଡିଟେଲ୍ସ ସବୁ ସ୍କୁଲ୍ମାନଙ୍କୁ ପଠାଯାଏ, ବୋଧେ ପ୍ରମିଳା ମାଡାମ୍ ମୋ ନମ୍ବରଟି ସେଇଠୁ ପାଇଥିବେ। ଯାହାବି ହେଉ ତାଙ୍କୁ ଦେଖା କଲା ପରେ ସେ ମୋତେ ତାଙ୍କ ସ୍କୁଲରେ ଓଡ଼ିଆ ପଢାଇବା ପାଇଁ ପ୍ରସ୍ତାବ ଦେଲେ। ଏକଥା ଶୁଣି ମୁଁ ଯେତିକି ଆଶ୍ଚର୍ଯ୍ୟ ଆଉ ଖୁସି ହେଲି କେମିତି ସମୟ ଦେବି ସେଥିପାଇଁ ବ୍ୟସ୍ତ ବି ହେଉଥିଲି। କାରଣ ସ୍କୁଲ୍ ସମୟ ଥିଲା ୯ଟା ୩୦ ରୁ ୪ଟା ୩୦। ଏତେ ସମୟ ଦେଇପାରିବି ନାହିଁ ବୋଲି ତାଙ୍କୁ କହିବାରୁ ସେ ଅନୁରୋଧ କରି କହିଲେ, ‘ହଠାତ୍ ଆମ ଓଡ଼ିଆ ଶିକ୍ଷକ କିଛି ଅସୁବିଧା ବଶତଃ ଚାକିରୀ ଛାଡ଼ି ଦେଇଛନ୍ତି, ତେଣୁ ଅନ୍ତତଃ କିଛି ମାସ ପାଇଁ ଆପଣ ଦୟାକରି ଟିକେ ଆମକୁ ସମୟ ଦିଅନ୍ତୁ।’ ଘରେ ଆସି ସବୁ କଥା କହିବାରୁ ମୋ ପୁଅ ବହୁତ ଖୁସି ହୋଇଗଲା। ସେତେବେଳେ ସିଏ ୬ଷ୍ଠ ଶ୍ରେଣୀରେ ପଢୁଥିଲା। ପୁଅ ଟିକେ ବଡ଼ ହୋଇଯାଇଥିବାରୁ ତା’ର ବେଶି କିଛି ଅବହେଳା ହେବନି ବୋଲି ସ୍ବାମୀ ହୃଦୟଙ୍ଗମ କରିପାରି ମୋତେ ଚାକିରି କରିବାକୁ ଅନୁମତି ଦେଇଦେଲେ। ନିର୍ଦ୍ଧାରିତ ଦିନ ଯାଇ ସ୍କୁଲ୍ରେ ଜଏନ୍ କଲି। ମାସ ଶେଷକୁ ଯେଉଁଦିନ ପ୍ରଥମ ଦରମା ଧରି ଘରେ ପହଞ୍ଚତ୍ଲି, ଦେହରେ ଡେଣା ଲାଗିଲା ପରି ଖୁସିରେ ଫଡ୍ଫଡ୍ ହେଉଥିଲି। ପ୍ରଥମେ ମୋ ପୁଅ ହାତରେ ଦରମାତକ ଧରେଇ ଦେଇ କହିଲି ନେ ତୋ ଖୁସିର ପାଉଣା। ଟଙ୍କାର ମୂଲ୍ୟ ସେତେବେଳେ ସିଏ କିଛି ନବୁଝିଲେ ବି ମୋ ଖୁସି ଦେଖି ବେଶ୍ ଖୁସିରେ ମୋତେ ଜାବୁଡ଼ି ଧରିଲା। ତା’ପରେ ଭାଗ କରି ବସିଲି ପ୍ରଥମ ଦରମା ଟଙ୍କାକୁ ପ୍ରକୃତ ହକ୍ଦାରମାନଙ୍କ ପାଇଁ। ଆଗେ କିଛି ଟଙ୍କାରେ ସାଇବାବାଙ୍କର ଗୋଟେ ମୂର୍ତ୍ତି କିଣିଲି। ବାପାବୋଉ ଓ ଶ୍ୱଶୁରଙ୍କ ପାଖକୁ କିଛି ଟଙ୍କା ପଠାଇଲି। ପୁଅ ଓ ସ୍ବାମୀଙ୍କ ପାଇଁ ଖଣ୍ଡେ ଖଣ୍ଡେ ଟି-ସାର୍ଟ ମଧ୍ୟ ଆଣିଲି। ତା’ପରେ ଶିକ୍ଷୟିତ୍ରୀ ପ୍ରମିଳା ମହନ୍ତଙ୍କ ପାଇଁ ମିଠା କିଣି ତାଙ୍କୁ ଦେଖା କରିବାକୁ ବି ଗଲି। ଏସବୁ ପରେ ବି ଆହୁରି କିଛି ଟଙ୍କା ବଳି ପଡିଥିଲା; ଯେଉଁଥିରୁ ଖଣ୍ଡେ ୫୦୦ ଟଙ୍କାର ନୋଟ୍ଟିଏ କାଢି ନିଜ ପାଖରେ ସାଇତି ରଖିଲି, ଏକ ଅପୂର୍ବ ଅନୁଭବକୁ ବାନ୍ଧି ରଖିବାର ପ୍ରୟାସରେ; ଯାହା ଏଯାବତ୍ ମୋ ପାଖେ ସେମିତି ସାଇତା ହୋଇ ରହିଅଛି।