Categories: ଖେଳ

‘୧୫ କୋଟି ଟଙ୍କା ନ୍ୟୁଜିଲାଣ୍ଡ ଡଲାରରେ କେତେ ମୋତେ ଜଣା ନ ଥିଲା’

ଖ୍ରୀଷ୍ଟଚର୍ଚ୍ଚ, ୧୯।୨ : ଆଇପିଏଲ ଅକଶନ (ଖେଳାଳିଙ୍କ ନିଲାମ ପ୍ରକ୍ରିୟା) ପୂର୍ବରୁ ମୋତେ ୧୫ କୋଟି ଟଙ୍କାର ମୂଲ୍ୟ ନ୍ୟୁଜିଲାଣ୍ଡ ଡଲାରରେ କେତେ ଜଣା ନ ଥିଲା। ଆଇପିଏଲ ଇତିହାସରେ ନ୍ୟୁଜିଲାଣ୍ଡର ସବୁଠୁ ଦାମୀ ଖେଳାଳି ସାବ୍ୟସ୍ତ ହେବା ପରେ ଏଭଳି କହିଛନ୍ତି କାଇନ ଜେମିସନ। ୬.୮ ଫୁଟ୍‌ ଉଚ୍ଚତା ବିଶିଷ୍ଟ ବୋଲରଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ୧୫ କୋଟି ଟଙ୍କାରେ କିଣିଛି। ନ୍ୟୁଜିଲାଣ୍ଡ ଡଲାରରେ ୧୮.୩୬ ଲକ୍ଷ।

” ରାତି ଅଧରେ ଶୋଇବା ବଦଳରେ ଆଇପିଏଲ ଅକ୍‌ଶନର ମଜା ନେଉଥିଲି। କେତେବେଳେ ମୋ ପାଳି ଆସିବ, ତାକୁ ଅପେକ୍ଷା କରିଥିଲି। ମୋତେ ପୂର୍ବତନ ନ୍ୟୁଜିଲାଣ୍ଡ ପେସର ତଥା ମୁମ୍ବାଇ ଇଣ୍ଡିଆନ୍ସର ବୋଲିଂ କୋଚ୍‌ ଶେନ ବଣ୍ଡଙ୍କ ମେସେଜ ମିଳିଥିଲା। ସେତେବେଳେ ମୋତେ ଜଣା ନ ଥିଲା ଟଙ୍କାର ମୂଲ୍ୟ ଆମ ଦେଶର ଡଲାରରେ କେତେ“ ବୋଲି ନ୍ୟୁଜିଲାଣ୍ଡର ପେସର କାଇଲ ଜେମିସନ। ତାଙ୍କୁ କିଣିବା ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟ ଦୌଡ଼ରେ ସାମିଲ ଥିଲେ। ସେ ଏବେ ନ୍ୟୁଜିଲାଣ୍ଡର ଟି୨୦ ଦଳ ସହ ଅଷ୍ଟ୍ରେଲିଆରେ ଅଛନ୍ତି।

ଉଲ୍ଲେଖଥାଉ କି, ଜବରଦସ୍ତ ବାଉନ୍ସ ଯୋଗୁ ଜଣାଯାଉଥିବା ଜେମିସନ ୨୦୧୯ ସୁପର ସ୍ମାଶ ଇଭେଣ୍ଟରେ ୭ ରନ୍‌ ଦେଶ ୬ ଉଇକେଟ ହାତେଇଥିଲେ, ଯାହାକି ନ୍ୟୁଜିଲାଣ୍ଡର ଘରୋଇ କ୍ରିକେଟରେ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ। ସେ ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ ସ୍ତରରେ ୬ ଟେଷ୍ଟ, ଦୁଇଟି ଦିନିକଆ ଓ ୪ ଟି୨୦ ଖେଳିଛନ୍ତି। ଆଉ ନିମ୍ନ କ୍ରମରେ ବଡ଼ ଶଟ ଖେଳିବାର ଦକ୍ଷତା ରହିଛି ତାଙ୍କ ପାଖରେ।

Share