ଜଳେଶ୍ୱର, ୧୮।୧୧(ଡି.ଏନ୍.ଏ.) ମୁଁ ଚାକିରି କରି ଭୁଲ୍ କରିଛି, ମୋତେ ଭିକ୍ଷା ଦିଅନ୍ତୁ ବୋଲି କହି ଜଳେଶ୍ୱର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ସମସ୍ତଙ୍କ ନିକଟରେ ନେହୁରା ହେଉଛନ୍ତି ଜଣେ ଅବସରପ୍ରାପ୍ତ କର୍ମଚାରୀ। ଚଳିତବର୍ଷ ଫେବୃୟାରୀରେ ବାଲେଶ୍ୱର ଜିଲାର ଜଳେଶ୍ୱର ତହସିଲ କାର୍ଯ୍ୟାଳୟରୁ ଅବସର ନେଇଥିଲେ ୪ର୍ଥ ଶ୍ରେଣୀ କର୍ମଚାରୀ ଧୀରେନ ମାରାଣ୍ଡି। ଅବସର ପରେ ସେ ରାଇବଣିଆର ନିଜ ଗାଁ ସାଲମଣ୍ଡି କଣ୍ଟାବଣିଆରେ ବହୁ ଅଭାବ ଅସୁବିଧାରେ କାଳାତିପାତ କରୁଛନ୍ତି। ଏହି କର୍ମଚାରୀ ଜଣକ ପେନସନ ପାଇବା ଲାଗି ବାରମ୍ବାର ତହସିଲ କାର୍ଯ୍ୟାଳୟକୁ ଦୌଡିଥିଲେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡିଥିଲା। ବୁଧବାର ସେ ଅଭିନବ ଉପାୟରେ ଏକ ଭିକ୍ଷାଥାଳ ଧରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଭିକ୍ଷା ମାଗୁଥିବା ଦୃଶ୍ୟ ସମସ୍ତଙ୍କୁ ବିସ୍ମିତ କରିଥିଲା। ଏ ସମ୍ପର୍କରେ ଅତିରିକ୍ତ ତହସିଲଦାରଙ୍କୁ ପଚାରିବାରୁ ଏ ସମ୍ପର୍କରେ ତଦନ୍ତ କରାଯିବ ବୋଲି କହିଛନ୍ତି।