ଅନ୍ୟ ମହିଳାଙ୍କ ସହିତ ବ୍ୟସ୍ତ ଥିଲେ ସ୍ୱାମୀ; ଇନଷ୍ଟାଗ୍ରାମରେ ତଲାକ କହିଲେ ଦୁବାଇ ରାଜକୁମାରୀ

ନୂଆଦିଲ୍ଲୀ,୧୭।୭: ଦୁବାଇ ଶାସକ ତଥା ୟୁନାଇଟେଡ ଆରବ ଏମିରେଟ(ୟୁଏଇ) ପ୍ରଧାନମନ୍ତ୍ରୀ ମହମ୍ମଦ ବିନ ରଶିଦ ଅଲ ମକତୁମଙ୍କ ଝିଅ ଶେଖ ମହରା ଇନଷ୍ଟାଗ୍ରାମରେ ଛାଡ଼ପତ୍ର ଘୋଷଣା କରିଛନ୍ତି। ଦୁଇ ମାସ ପୂର୍ବରୁ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ।

ଶେଖ ମହରା ଇନଷ୍ଟାଗ୍ରାମରେ ସ୍ୱାମୀ ଶେଖ ମନା ବିନ ମହମ୍ମଦ ବିନ ରଶିଦ ବିନଙ୍କୁ ଛାଡ଼ପତ୍ର ଦେଇ କହିଛନ୍ତି, ‘ପ୍ରିୟ ସ୍ୱାମୀ, ଯେପରିକି ଆପଣ ଅନ୍ୟ ଲୋକଙ୍କ ସହିତ ବ୍ୟସ୍ତ ଥିବେ, ମୁଁ ଆପଣଙ୍କୁ ଛାଡ଼ପତ୍ର ଦେଉଛି। ନିଜର ଧ୍ୟାନ ରଖିବେ। ତୁମର ପୂର୍ବ ପତ୍ନୀ।’

୧୯୯୪ରେ ଜନ୍ମିତ ଶେଖ ମହରା ଗତ ବର୍ଷ ମେ’ ୨୭ତାରିଖରେ ଶେଖ ମନା ବିନଙ୍କୁ ବିବାହ କରିଥିଲେ। ବିବାହର ପାଞ୍ଚ ମାସ ପରେ ଗର୍ଭବତୀ ଥିବା ନେଇ ସାମାଜିକ ଗଣମାଧ୍ୟମରେ ସେ ସୂଚନା ଦେଇଥିଲେ। ଇନଷ୍ଟାଗ୍ରାମ ଷ୍ଟୋରିରେ ଅଲ୍ଟ୍ରାସାଉଣ୍ଡ ଫଟୋ ଶେୟାର କରି ସେ କହିଥିଲେ ‘କେବଳ ଆମେ ତିନି’।

କିନ୍ତୁ ଏବେ ଛାଡ଼ପତ୍ର ଘୋଷଣା ପରେ ଝିଅ ସହିତ ଫଟୋ ଶେୟାର କରି ସେ ଲେଖିଛନ୍ତି କେବଳ ଆମେ ଦୁଇ। ସେ ନିଜ ଝିଅର ନାଁ ହିନ୍ଦ ରଖିଛନ୍ତି।

ଶେଖ ମହରା ମହିଳା ସଶକ୍ତି କରଣ ପାଇଁ ତାଙ୍କର ସ୍ୱର ଉଠାଇଥାନ୍ତି ଏବଂ ସେ ଦୁବାଇରେ ଜଣେ ସ୍ଥାନୀୟ ଫ୍ୟାସନ ଡିଜାଇନର। ସେ ବ୍ରିଟେନର ଏକ ବିଶ୍ୱବିଦ୍ୟାଳୟରୁ ଆନ୍ତର୍ଜାତୀୟ ସମ୍ପର୍କରେ ଡିଗ୍ରୀ ହାସଲ କରିଛନ୍ତି ଏବଂ ମହମ୍ମଦ ବିନ୍ ରସିଦ ସରକାରୀ ପ୍ରଶାସନରୁ ମଧ୍ୟ କଲେଜ ଡିଗ୍ରୀ ହାସଲ କରିଛନ୍ତି।

Share