ଚେନ୍ନାଇ,୧।୨: ଭାରତ ଓ ଇଂଲଣ୍ଡ ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆସନ୍ତା ୫ ତାରିଖଠାରୁ ସ୍ଥାନୀୟ ଚେପକ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍ରେ ଇଂଲଣ୍ଡ ଗୋଟିଏ ହେଲେ ଟେଷ୍ଟ ମ୍ୟାଚ୍ ଜିତିପାରିବ ନାହିଁ। ଏଭଳି ମତ ଦେଇଛନ୍ତି ପୂର୍ବତନ ଭାରତୀୟ ଓପନର ତଥା ଏମ୍ପି ଗୌତମ ଗମ୍ଭୀର। ତାଙ୍କ ମତରେ ଭ୍ରମଣକାରୀ ଦଳ ପାଖରେ ଥିବା ସ୍ପିନ ଆକ୍ରମଣ ଭାରତରେ ଭଲ ପ୍ରଦର୍ଶନ କଲା ଭଳି ଅଭିଜ୍ଞତା ନାହିଁ। ଇଂଲଣ୍ଡ ଦଳରେ ସ୍ପିନର ଭାବେ ମୋଇନ ଅଲି, ଡମ ବେସ ଓ ଜ୍ୟାକ ଲିଚ୍ ସ୍ଥାନ ପାଇଛନ୍ତି। ଏମାନଙ୍କ ମଧ୍ୟରେ ୬୦ ମ୍ୟାଚ୍ ଖେଳିଥିବା ମୋଇନ (୧୮୧ ଉଇକେଟ) ସବୁଠୁ ଅଭିଜ୍ଞ ଖେଳାଳି ଥିବାବେଳେ ୧୨ ଲେଖାଏ ମ୍ୟାଚ୍ ଖେଳିଥିବା ବେସ ଓ ଲିଚ୍ଙ୍କ ନାମରେ ରହିଛି ଯଥାକ୍ରମେ ୩୧ ଓ ୪୪ ଉଇକେଟ।
ସ୍ପିନ ବିଭାଗ ଦେଖିଲେ, ଇଂଲଣ୍ଡ କୌଣସି ମ୍ୟାଚ୍ ଜିତିବ ମୋତେ ଲାଗୁନାହିଁ। ଭାରତ ୩-୦ କିମ୍ବା ୩-୧ ବ୍ୟବଧାନରେ ସିରିଜ ଜିତିବ। କେବଳ ପିଙ୍କ ବଲ ଟେଷ୍ଟରେ ଇଂଲଣ୍ଡ ଜିତିବାର ୫୦ ପ୍ରତିଶତ ସମ୍ଭାବନା ରହିଛି ବୋଲି ୩୯ ବର୍ଷୀୟ ଗମ୍ଭୀର ଷ୍ଟାର ସ୍ପୋଟର୍ସର କାର୍ଯ୍ୟକ୍ରମ ‘ଗେମ ପ୍ଲାନ’ରେ କହିଛନ୍ତି।
ଫୁଲ ଫର୍ମରେ ଥିବା ଇଂଲଣ୍ଡ ଅଧିନାୟକ ଜୋ ରୁଟଙ୍କ ସମ୍ପର୍କରେ ଗମ୍ଭୀର କହିଛନ୍ତି, ଶ୍ରୀଲଙ୍କାରେ ରୁଟ ଭଲ ପ୍ରଦର୍ଶନ କରିଛନ୍ତି। ହେଲେ ଭାରତରେ ତାଙ୍କୁ ସମ୍ପୂର୍ଣ୍ଣ ଭିନ୍ନ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ। ଯଶପ୍ରୀତ ବୁମରାଙ୍କୁ ଯେ କୌଣସି ଉଇକେଟରେ ଖେଳିବା କଷ୍ଟକର। ଅଷ୍ଟ୍ରେଲିଆରେ ଚମତ୍କାର ପ୍ରଦର୍ଶନ ପରେ ଆତ୍ମ ବିଶ୍ୱାସରେ ପୂର୍ଣ୍ଣ ଥିବା ରବିଚନ୍ଦ୍ରନ ଅଶ୍ୱିନଙ୍କ ସମ୍ମୁଖୀନ ହେବା କୌଣସି ଇଂଲିଶ ବ୍ୟାଟ୍ସମ୍ୟାନଙ୍କ ପାଇଁ ସହଜ ହେବ ନାହିଁ।