Categories: ଜାତୀୟ

ପ୍ରଧାନମନ୍ତ୍ରୀ କ’ଣ, ମୁଁ କିଛି ବି ହେବାକୁ ଚାହୁଁ ନାହିଁ: ନୀତୀଶ

ପାଟନା,୨୪।୮: ଭାଜପା ସହ ମେଣ୍ଟ ଭାଙ୍ଗି ପୁଣି ନୂଆ ସରକାର ଗଢ଼ିବା ପଛରେ ନୀତିଶ କୁମାରଙ୍କ ମହତ୍ତ୍ୱାକାଂକ୍ଷା ଥିବା କୁହାଯାଇଥିଲା। ତାଙ୍କର ପ୍ରଧାନମନ୍ତ୍ରୀ ହେବାର ଅଭିଳାଷ ଥିବା ନେଇ ଚର୍ଚ୍ଚା ହୋଇଥିଲା। ଏହାକୁ ନେଇ ନୀତୀଶ ବୁଧବାର ବିଧାନସଭାରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଯେଉଁମାନେ କହୁଛନ୍ତି ମୁଁ ଭାଜପା ସହ ମେଣ୍ଟ ଭାଙ୍ଗିଛି କାରଣ ମୁଁ କିଛି ହେବାକୁ ଚାହୁଁଛି, ମୁଁ କିଛି ହେବାକୁ ଚାହେଁ ନାହିଁ। ୨୦୨୦ ନିର୍ବାଚନ ପରେ ମୁଁ ମୁଖ୍ୟମନ୍ତ୍ରୀ ହେବାକୁ ପ୍ରସ୍ତୁତ ନ ଥିଲି। ଭାଜପା ଅଧିକ ଆସନ ଜିତିଥିବାରୁ , ମୁଖ୍ୟମନ୍ତ୍ରୀ ତାଙ୍କ ଦଳରୁ ହେବା ଉଚିତ ବୋଲି କହିଥିଲି। ହେଲେ ସିଏମ୍‌ ହେବା ପାଇଁ ମୋ ଉପରେ ବହୁତ ଚାପ ପକାଯାଇଥିଲା। ଶେଷରେ ମୁଁ ରାଜି ହେଲି।

ଏହାଛଡ଼ା ନୀତୀଶ କେନ୍ଦ୍ର ସରକାରଙ୍କ ପ୍ରେସ ଏବଂ ସୋସିଆଲ ମିଡିଆ ଉପରେ ନିୟନ୍ତ୍ରଣ ଥିବା ନେଇ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ୨୦୧୭ରେ ଯେତେବେଳେ ପାଟନା ବିଶ୍ୱବିଦ୍ୟାଳୟ ଲାଗି କେନ୍ଦ୍ରୀୟ ମାନ୍ୟତା ମାଗିଥିଲି, ସେତେବେଳେ କେହି ଏଥିପ୍ରତି ଧ୍ୟାନ ଦେଇ ନ ଥିଲେ। ହେଲେ ଏବେ କେନ୍ଦ୍ର ସରକାର ନିଜର କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ଲାଗି ସମାନ କାର୍ଯ୍ୟ କରିବ। ପ୍ରେସ ଏବଂ ସୋସିଆଲ ମିଡିଆ ଉପରେ ତାଙ୍କର ନିୟନ୍ତ୍ରଣ ଥିବାରୁ ସମସ୍ତେ କେନ୍ଦ୍ରର କାମକୁ ନେଇ ଚର୍ଚ୍ଚା କରୁଥିବା ସେ କହିଛନ୍ତି।

Share