ଓଡ଼ିଶୀ ନୃତ୍ୟ ଜଗତର ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ହେଉଛନ୍ତି ପଦ୍ମଶ୍ରୀ କୁମ୍କୁମ୍ ମହାନ୍ତି। ଓଡ଼ିଶୀ ନୃତ୍ୟର ବିଶିଷ୍ଟ ଗୁରୁ କେଳୁଚରଣ ମହାପାତ୍ରଙ୍କର ସେ ପଟ୍ଟଶିଷ୍ୟା। ବହୁ ଉଦ୍ୟମ କରି ସରକାରଙ୍କ ସହଯୋଗରେ ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଇଥିଲେ। ଏହା ମାଧ୍ୟମରେ ସେ ବରିଷ୍ଠ ଗୁରୁମାନଙ୍କୁ ନେଇ ସର୍ବସମ୍ମତିକ୍ରମେ ଓଡ଼ିଶୀ ନୃତ୍ୟରେ ଏକ ପାଠ୍ୟ ଖସଡ଼ା ପ୍ରସ୍ତୁତ କରିବାରେ ବଡ଼ ଭୂମିକା ନିଭାଇଥିଲେ। ଓଡ଼ିଶୀ ନୃତ୍ୟରେ ‘ଅଭିନୟ’ ପାଇଁ ତାଙ୍କୁ ଯଥେଷ୍ଟ ସମ୍ମାନ ପ୍ରଦାନ କରାଯାଏ। ଆଜି ବି ତାଙ୍କ ଅଭିନୟ ଚାତୁରୀ ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ। ଓଡ଼ିଶା ସରକାରଙ୍କ ସ୍ବତନ୍ତ୍ର ସଚିବ (ସଂସ୍କୃତି) ଭାବେ ୨୦୦୪ରେ ଅବସର ଗ୍ରହଣ କରିବା ପରେ ସେ ନିଜର ଏକ ଅନୁଷ୍ଠାନ ଗଢ଼ି ନୃତ୍ୟ ଶିକ୍ଷା ଦେଉଛନ୍ତି। ୧୯୪୬ ସେପ୍ଟେମ୍ବର ୧୦ରେ କଟକରେ ଜନ୍ମ ଗ୍ରହଣ କରିଥିବା କୁମ୍କୁମ୍ ଏବେ ଭୁବନେଶ୍ୱରରେ ରହୁଛନ୍ତି। ଓଡ଼ିଶୀ ନୃତ୍ୟ ପ୍ରତି ତାଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଚଳିତ ବର୍ଷର ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ’ ସମ୍ମାନ ପ୍ରଦାନ କରିବାକୁୁ ମନୋନୀତ କରାଯାଇଛି। ଓଡ଼ିଶୀକୁ ନେଇ କିଛି ଜଣା ଅଜଣା କଥା ସମ୍ପର୍କରେ କୁମ୍କୁମ୍ଙ୍କ ସହ ଧରିତ୍ରୀର ବନ୍ଦନା ସେଠୀଙ୍କ ଆଳାପ।
ପ୍ରଶ୍ନ- ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ’ ସମ୍ମାନ ପାଇବେ ଜାଣିବା ପରେ କିପରି ଲାଗୁଛି?
ଉତ୍ତର- ସତ କହିବାକୁ ଗଲେ ମତେ ଭାରି ବିରକ୍ତ ଲାଗୁଛି। ମୋ ହୃଦୟକୁ ବହୁତ ବାଧିଛି। ଏବେକାର ସମ୍ମାନ ଗୋଇଠା ମାରି ବିଷ୍ଣୁ କହିବା ଭଳି। ନୃତ୍ୟରେ ୫୫ବର୍ଷ ହେବ ଜଡ଼ିତ ଅଛି। ଓଡ଼ିଶୀକୁ ନେଇ ମୋ ଉପରେ ଆଧାରିତ ବହୁ କିଛି ତିଆରି ହୋଇଛି। ଓଡ଼ିଶୀ ଗବେଷଣା କେନ୍ଦ୍ରକୁ ସର୍ବ ଭାରତ କ୍ଷେତ୍ରରେ ବହୁ ଉଚ୍ଚକୁ ନେଇଥିଲି। କଳା ବିକାଶ କେନ୍ଦ୍ର ସହ ତାକୁ ତୁଳନା କରାଯାଉଥିଲା। ବିଲ୍ଡିଂ ତିଆରି କରିବା ପରେ ୪କୋଟି ୬୦ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ ମଧ୍ୟ ରଖିକି ଆସିଥିଲି। ଓଡ଼ିଶୀ ନୃତ୍ୟ ପାଇଁ ଆହୁରି ବହୁତ କିଛି କରିପାରି ଥାନ୍ତି। ମାତ୍ର ମୁଁ ରାଜନୀତି ଖେଳର ଶିକାର ହୋଇଗଲି। ମତେ ସେଠାରୁ ବାହାର କରି ଦିଆଗଲା। ଏପରିକି କୌଣସି କମିଟିରେ ମଧ୍ୟ ରଖାଗଲା ନାହିଁ। ତେଣୁ ଓଡ଼ିଶୀକୁ ନେଇ ଅନେକ କିଛି କରିବାର ଆଶା ମୋର ଅଧୁରା ରହିଗଲା। ଏକ ନିର୍ଦ୍ଦିଷ୍ଟ ଦଳ ଅଛନ୍ତି, ଯେଉଁମାନେ ସବୁକିଛି କରୁଛନ୍ତି। ଏବେ ସେଣ୍ଟର ରସାତଳକୁ ଗଲାଣି। କିଛି ବି ନୀତି ନିୟମ ସେଠାରେ ନାହିଁ। ଏମିତିକି ଓଡ଼ିଶୀ ପାଇଁ ଅବଧି ପୂର୍ବରୁ ଚାକିରି ଛାଡ଼ିଲି। ଏତେ ସବୁ କରିବା ପରେ ବି ମତେ ଅଣଦେଖା କରାଯାଇଛି। ତେଣୁ ବହୁତ କିଛି ଅଭିମାନ ରହିଯାଇଛି ରାଜ୍ୟ ସରକାରଙ୍କ ଉପରେ।
ପ୍ରଶ୍ନ- ରାଜ୍ୟ ସରକାରଙ୍କର ଆପଣଙ୍କ ପ୍ରତି ଏଭଳି ମନୋଭାବ କାହିଁକି ରହିଛି?
ଉତ୍ତର- ଏହା ସବୁ ରାଜନୀତିର ଖେଳ। ମତେ କେମିତି ବାହାର କରିବେ ସେଥିପାଇଁ ବହୁତ ରାଜନୀତି ହୋଇଛି। ‘ସରକାର’, ମାନେ ହେଉଛିି ମନ୍ତ୍ରୀ ଓ ବ୍ୟୁରୋକ୍ରାଟ୍ସ। ଓଡ଼ିଶୀ ନୃତ୍ୟ ମଲେ କି ଗଲେ ସେମାନଙ୍କର କ’ଣ ଯାଉଛି। ରାଜ୍ୟ ସରକାର ମତେ ଓଡ଼ିଶୀର ପରିଧିରୁ ପୂରା ବାହାର କରି ଦେଇଛନ୍ତି। ଆଜିକି ୧୨ ବର୍ଷ ହେବ ମତେ କୋଣାର୍କ ମହୋତ୍ସବରେ ନୃତ୍ୟ କରିବାର ସୁଯୋଗ ଦେଉନାହାନ୍ତି। ଏମିତି କି ଅନ୍ୟ କୌଣସି ମହୋତ୍ସବରେ ମଧ୍ୟ ମତେ କିମ୍ବା ମୋ ଷ୍ଟୁଡେଣ୍ଟମାନଙ୍କୁ ପ୍ରୋଗ୍ରାମ ଦେଉନାହାନ୍ତି। ଏବେ ବି କୌଣସି କମିଟିରେ ନାହିଁ। ଏହାର କାରଣ ମୁଁ ନିଜେ ବି ଜାଣିନି। ଯେଉଁ ନୃତ୍ୟଶିଳ୍ପୀମାନଙ୍କର ତୃତୀୟ ମହଲାରେ ଲିଙ୍କ୍ ଅଛି ସେମାନେ ହିଁ ଏହା ପଛରେ ଅଛନ୍ତି। କାରଣ ମୁଁ ଆସିଲେ ସେମାନେ ଆଉଟ ହୋଇଯିବେ।
ପ୍ରଶ୍ନ- ଯଦି ଆପଣଙ୍କୁ ଅଣଦେଖା କରାଯାଉଛି ତେବେ ଭଞ୍ଜ ସମ୍ମାନ ପାଇବାକୁ କିପରି ମନୋନୀତ ହେଲେ?
ଉତ୍ତର- ଲୋକମାନେ ସୁପାରିସ କଲେ ଓ ମତେ ମିଳିଲା। ଏଥିରେ କିଛି ବଡ଼ କଥା ନାହିଁ। ଏହି ପୁରସ୍କାର କିପରି ଦିଆଯାଏ, କ’ଣ ହୁଏ ମୁଁ ବିଶେଷ ଭାବେ ଜାଣିନି। ସଙ୍ଗୀତ ନାଟକ ଏକାଡେମୀ ଏକ ଅଟୋନୋମସ ବଡି। ଲୋକମାନେ ସୁପାରିସ କଲାପରେ ସବୁକିଛି ହୋଇଛି। ଏଥିରେ ସରକାରଙ୍କର କିଛି ନାହିଁ।
ପ୍ରଶ୍ନ- ପଦ୍ମଶ୍ରୀ ପାଇବାର ଏତେ ବର୍ଷ ପରେ ଉପେନ୍ଦ୍ର ଭଞ୍ଜ ସମ୍ମାନ ଦିଆଯାଉଛି, ଏନେଇ କ’ଣ କହିବେ?
ଉତ୍ତର- ପଦ୍ମଶ୍ରୀ ପୁରସ୍କାର ୧୫ବର୍ଷ ତଳୁ ପାଇଲିଣି। ଉପେନ୍ଦ୍ର ଭଞ୍ଜ ସମ୍ମାନ ବୁଢ଼ାବୁଢ଼ୀଙ୍କୁ ଦିଅନ୍ତି। ମୁଁ ମନରୁ ଜମା ବୁଢ଼ୀ ନୁହେଁ। ଏବେବି ମନରେ ମୁଁ ୨୨ବର୍ଷର ଯୁବତୀ। ଛାତ୍ରୀମାନଙ୍କୁ ନୃତ୍ୟ ଶିଖାଇବାବେଳେ ଏବେ ବି ସେମାନଙ୍କ ସହ ନାଚେ।
ପ୍ରଶ୍ନ- ସାମ୍ପ୍ରତିକ ସ୍ଥିତିରେ ଓଡ଼ିଶୀ ନୃତ୍ୟର ସ୍ଥାନ କିପରି ଅଛି?
ଉତ୍ତର- ମୁଁ ଗାନ୍ଧୀଙ୍କ ମାଙ୍କଡ଼ ପରି ହୋଇଯାଇଛି। କିଛି ଦେଖିବିନି, ଶୁଣିବିନି କି କହିବିନି। ତେବେ ଏତିକି କହିବି ଯେ, ନୃତ୍ୟ ଏବେ ରୋଜଗାରର ମାଧ୍ୟମ ହୋଇଗଲାଣି। ତେଣୁ ବହୁତ କିଛି କମ୍ପ୍ରମାଇଜ୍ କରାଯାଉଛି। ଯିଏ ଯାହା ମନକୁ ଆସିଲା ଓଡ଼ିଶୀରେ ପୂରେଇ ତାକୁ ନୂତନ ରୂପ ଦେଇ ମନଇଚ୍ଛା କାମ କରୁଛନ୍ତି।
ପ୍ରଶ୍ନ- ଓଡ଼ିଶୀ ସଙ୍ଗୀତ ଓ ବାଦ୍ୟ ଏ ପର୍ଯ୍ୟନ୍ତ ଶାସ୍ତ୍ରୀୟ ମାନ୍ୟତା ପାଇପାରିନି। ଏହାର କାରଣ କ’ଣ ବୋଲି ଭାବୁଛନ୍ତି?
ଉତ୍ତର- ସଙ୍ଗୀତ ଓ ବାଦ୍ୟ ଶାସ୍ତ୍ରୀୟ ମାନ୍ୟତା ପାଇବନି। କାରଣ ଏବେ ସେପରି କେହି ଶିଳ୍ପୀ ନାହାନ୍ତି ଯିଏକି ସର୍ବଭାରତୀୟ ସ୍ତରରେ ଏହାକୁ ପରିବେଷଣ କରିପାରିବେ। ଓଡ଼ିଶୀ ନୃତ୍ୟ ଶାସ୍ତ୍ରୀୟ ମାନ୍ୟତା ପାଇଲା କାରଣ ସେପରି ବିଶିଷ୍ଟ ଶିଳ୍ପୀ ଅଛନ୍ତି ଓ ସେମାନେ ନୃତ୍ୟକୁ ସେତିକି ବାଟ ପହଞ୍ଚାଇଲେ। ବାଳକୃଷ୍ଣ ଦାଶ ଓ ରଘୁନାଥ ପାଣିଗ୍ରାହୀ ବଞ୍ଚତ୍ଥିବାବେଳେ ଏହି ଚେଷ୍ଟା ହେବାର ଥିଲା। ଯେତେବେଳେ ଓଡ଼ିଶୀ ନୃତ୍ୟ ପାଇଁ ଚେଷ୍ଟା ହେଲା ସେହି ସମୟରେ ସଙ୍ଗୀତ ପାଇଁ ମଧ୍ୟ ଚେଷ୍ଟା କରିଥିଲେ ହୋଇଥାନ୍ତା। ଏବେ ସର୍ବଭାରତୀୟ ସ୍ତରରେ ଗାଇବା ଭଳି କେବଳ ଦାମୋଦର ହୋତା ଅଛନ୍ତି। ମାତ୍ର ତାଙ୍କ ବୟସ ବହୁତ ହୋଇଗଲାଣି।
ପ୍ରଶ୍ନ- କେବେଠାରୁ ନୃତ୍ୟଶିକ୍ଷା ଆରମ୍ଭ କରିଥିଲେ?
ଉତ୍ତର-ସପ୍ତମ ଶ୍ରେଣୀ ପଢ଼ିବା ବେଳେ କଳା ବିକାଶ କେନ୍ଦ୍ରରେ ଗୁରୁ କେଳୁଚରଣଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲି। ମାଟ୍ରିକ ପରେ ମୋ ନୃତ୍ୟ ଶିକ୍ଷା ବନ୍ଦ କରି ଦିଆଯାଇଥିଲା। ପ୍ରାୟ ଯୁକ୍ତ ୨ ପଢ଼ିବାବେଳେ ସଂସ୍କୃତି ବିଭାଗ ପକ୍ଷରୁ ମୋତେ ନୃତ୍ୟ କରିବାକୁ ଡାକରା ଆସିଲା ଏବଂ ଏଥିପାଇଁ ଅନେକ ପ୍ରଶଂସା ପାଇଲି। ବାପା ଭାରି କଡ଼ା ଲୋକ ଥିଲେ। ଭଲ ପାଠ ନ ପଢ଼ିଲେ ନାଚ ବନ୍ଦ ବୋଲି ବାପା ସର୍ତ୍ତ ରଖିଥିଲେ। ତେଣୁ ନାଚ ଶିଖିବା ପାଇଁ ମୁଁ ପାଠ ପ୍ରତି ଅଧିକ ଧ୍ୟାନ ଦେବା ଆରମ୍ଭ କଲି। ଏମିତିକି ମତେ ରୁଷିଆରେ ନୃତ୍ୟ କରିବାର ଏକ ସୁଯୋଗ ଆସିଥିଲା। ଆଇଏଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ହିଁ ରୁଷିଆ ଯାଇପାରିବି ବୋଲି ବାପା କହିଥିଲେ। ପରିଶ୍ରମ କରି ପାଠ ପଢ଼ିଲି ଓ ଆଇଏଏସ୍ ପାଇଲି। ତେଣୁ ବାପା ଯିବା ପାଇଁ ଆଉ ମନା କରିପାରିଲେ ନାହିଁ।
ପ୍ରଶ୍ନ- ସଙ୍ଗୀତ ଶିକ୍ଷା ପ୍ରତି କେମିତି ମନ ବଳାଇଲେ?
ଉତ୍ତର- ନୃତ୍ୟ ସହିତ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲି। ସ୍ବର୍ଗତ ବାଳକୃଷ୍ଣ ଦାଶ ମତେ ସଙ୍ଗୀତ ଶିଖାଉଥିଲେ। ସଙ୍ଗୀତରେ ‘ସଙ୍ଗୀତ ଭୂଷଣ’ ଓ ନୃତ୍ୟରେ ‘ନୃତ୍ୟ ଭୂଷଣ’ ପାସ୍ କରିଥିଲି। ମାଟ୍ରିକ୍ ପରେ ବାପା ନୃତ୍ୟ ଓ ସଙ୍ଗୀତ ବନ୍ଦ କରିଦେଲେ। ତେବେ କେତେକ କାର୍ଯ୍ୟକ୍ରମ ଓ କର୍ମଶାଳାରେ ମଝିରେ ମଝିରେ ନୃତ୍ୟ କରୁଥାଏ। ତେଣୁ କେଳୁସାର୍ ମତେ ନୃତ୍ୟକୁ ଟାଣି ଆଣିଲେ, ଯାହାକି ସଙ୍ଗୀତରେ ହୋଇ ପାରିଲାନି। କିନ୍ତୁ ଆଜି ପର୍ଯ୍ୟନ୍ତ ମ୍ୟୁଜିସିଆନ୍ମାନେ ଗୋଟେ ବି ନୋଟ୍ ମିସ୍ କଲେ ମୁଁ ତୁରନ୍ତ ଧରିଦିଏ।
ପ୍ରଶ୍ନ- ଫ୍ରି ଟାଇମ୍ରେ କ’ଣ କରନ୍ତି?
ଉତ୍ତର- ମୋତେ ସିଲେଇ, ରୋଷେଇ ଆଉ ଗଛ ଲଗାଇବାକୁ ଭଲ ଲାଗେ। ଏହି ୩ଟି ଯାକ ମୋର ଦୁର୍ବଳତା କହିଲେ ଭୁଲ୍ ହେବନି। ଅଧିକାଂଶ ଦିନ ଡେରି ରାତି ପର୍ଯ୍ୟନ୍ତ ଏମ୍ରୋଡୋରି ଏବଂ ଅନ୍ୟାନ୍ୟ ସିଲେଇ କରୁଥାଏ।
ପ୍ରଶ୍ନ- କ’ଣ ଭଲ ରୋଷେଇ କରନ୍ତି?
ଉତ୍ତର- ମୋ ସ୍ବାମୀ ଭଲ ରୋଷେଇ ନ ହେଲେ ଖାଆନ୍ତିନି। ତାଙ୍କୁ ସବୁବେଳେ ଏ ଓ୍ବାନ୍ ରୋଷେଇ ଦରକାର। ତେଣୁ ସବୁ ପ୍ରକାର ଆଇଟମ୍ ପ୍ରାୟ ଆସେ। ଏବେ ପିଲାମାନେ ସବୁ ବାହାରେ ରହୁଛନ୍ତି। ସେମାନେ ଆସିବା ଦିନ ତାଙ୍କ ମନ ପସନ୍ଦର ଖାଇବା ବନାଏ।
ପ୍ରଶ୍ନ- କ’ଣ ଖାଇବାକୁ ଭଲ ଲାଗେ?
ଉତ୍ତର- ରୁଟି ଓ ଶାଗ ଖାଇବାକୁ ଭଲଲାଗେ। ୫୦ ବର୍ଷ ହେବ ମୁଁ ଭାତ ଖାଇନି। ନୃତ୍ୟ ଶିଖୁଥିବାବେଳେ ମୋଟା ହୋଇଯାଉଛି ବୋଲି ଭାତ ଖାଇବା ଛାଡ଼ିବା ପାଇଁ ଗୁରୁ କହିଥିଲେ। ତାଙ୍କ କଥା ମାନି ନବମ ଶ୍ରେଣୀରୁ ଭାତ ଖାଇବା ଛାଡ଼ି ଦେଇଛି।
ପ୍ରଶ୍ନ- ଆଗାମୀ ଯୋଜନା କ’ଣ ଅଛି?
ଉତ୍ତର- ମୋର ସବୁ ଯୋଜନା ସରକାର ପାଣିରେ ମିଶାଇଦେଲେ। ତେଣୁ ଆଗକୁ ଯୋଜନା ସତ୍ୟନଗର ମଶାଣି। ଏ ଦୁନିଆ ହେଉଛି ମାର୍କେଟିଂର। ଯିଏ ନିଜକୁ ମାର୍କେଟ୍ କରିପାରିଲା, ଶୋ’ କରିପାରିଲା ସିଏ ଏଠି ତିଷ୍ଠିପାରିବ। ଦକ୍ଷତାର ମୂଲ୍ୟ ଏଠି ନାହିଁ।