Categories: ଫୁରସତ

ପ୍ରଥମ ରୋଜଗାର ଶାଶୁଙ୍କୁ ଦେଇଥିଲି

ମୋ’ର ପୈତୃକ ଗ୍ରାମ ବାଙ୍କୀ ଡମପଡ଼ା ଗଡ଼ରେ ହୋଇଥିଲେ ମଧ୍ୟ ମୋ ବାପା ଶ୍ରୀ କୁମର ପରିଜା କଟକ ସହରରେ ରହି କାମ କରୁଥିଲେ। ମୁଁ ଜନ୍ମ ହେବାପରେ ବାପାବୋଉଙ୍କ ସହିତ କଟକ ଆସି ମୋ’ର ସାନମାଉସୀ ଘରେ ମଙ୍ଗଳାବାଗରେ ରହିଲି। ଦୀର୍ଘ ସଇଁତିରିଶ ବର୍ଷ କାଳ ବାପାଙ୍କ ଚାକିରି ଥିବା ଯାଏଁ ତାହା ହିଁ ଥିଲା ଆମର ସ୍ଥାୟୀ ଠିକଣା। ଆମେ ପାଞ୍ଚ ଭାଇଭଉଣୀ ସେଇ ମାଟି ପାଣି ପବନରେ ବଢିଛୁ। ନିମ୍ନ ମଧ୍ୟବିତ୍ତ ପରିବାରରେ ଅନେକ ଦୁଃଖ ସୁଖ ଦେଇ ଗତି କରିଥିଲା ଆମ ଜୀବନ। କଟକର ମ୍ୟୁନିସପାଲ୍‌ ଗାଲର୍‌ସ ହାଇସ୍କୁଲରୁ ମାଟ୍ରିକ୍‌ ପାଶ୍‌ କଲା ପରେ ଶୈଳବାଳା ମହାବିଦ୍ୟାଳୟରେ ଆଇ.ଏସ୍‌ସି ଏବଂ ରେଭେନ୍ସା ମହାବିଦ୍ୟାଳୟରେ ବି.ଏ. ପଢିଥିଲି। ତା’ପରେ ମଧୁସୂଦନ ଲ’ କଲେଜରେ ଆଇନ୍‌ ପଢିଲି। ପ୍ରଥମ ବର୍ଷ ପରୀକ୍ଷା ସରିବା ପରେ ଦ୍ୱିତୀୟ ବର୍ଷ ଅଧାରୁ ପରିବାରର ଆର୍ଥିକ ପରିସ୍ଥିତି ବାଧ୍ୟ କରିଥିଲା ପାଠରେ ଡୋରି ବାନ୍ଧିବା ପାଇଁ। ଅନ୍ୟସବୁ ନିମ୍ନ ମଧ୍ୟବିତ୍ତ ପରିବାରର ଝିଅ ଭଳି ମୋତେ ମଧ୍ୟ ଊଣେଇଶି ବର୍ଷ ବୟସରେ ବାହା ହୋଇ ଶାଶୁଘରକୁ ଆସିବା ପାଇଁ ପଡ଼ିଥିଲା। ଶାଶୁଘରେ ଯୌଥ ପରିବାର, ବୋହୂ ପଣିଆ କରୁକରୁ ବିତିଗଲା ତିନି ବର୍ଷ। ସେଇ ଭିତରେ ଝିଅଟିଏ ମଧ୍ୟ ହୋଇ ସାରିଥିଲା। ପୁଣି ଥରେ ଜୀବନରେ ନୂଆ ମୋଡ଼ ଆସିଲା, ପରିସ୍ଥିତି ବାଧ୍ୟ କରିଥିଲା ଚାକିରି ଖୋଜିବା ପାଇଁ। ମୋ’ର ଶାଶୁ ଭରସାର ଖୁଣ୍ଟ ହୋଇ ଠିଆ ହେଲେ ମୋ’ ପାଖରେ। ତାଙ୍କରି ଛତ୍ରଛାୟାରେ ଅନେକ ଝଡ଼ଝଞ୍ଜା ଅତିକ୍ରମ କରି ୧୯୮୧ ମସିହା ଫେବୃୟାରୀ ମାସ ଦୁଇ ତାରିଖରେ ମୁଁ ତତ୍କାଳୀନ କଟକ ଗ୍ରାମ୍ୟ ବ୍ୟାଙ୍କର କଟକ ଶାଖାରେ କ୍ୟାସିୟର୍‌ କମ୍‌ କ୍ଲର୍କ ଭାବରେ ଯୋଗ ଦେଇଥିଲି। ସେତେବେଳକୁ ମାସର ଶେଷ ଦିନରେ ଦରମା ମିଳୁଥିଲା। ତେଣୁ ଫେବୃଆରୀ ମାସ ଅଠେଇଶି ତାରିଖରେ ମୋତେ ଦରମା ମିଳିଥିଲା ତିନିଶହ ତିରିଶି ଟଙ୍କା; ଯାହାକି ଥିଲା ମୋ’ ଜୀବନର ପ୍ରଥମ ରୋଜଗାର। ଆକାଉଣ୍ଟରେ ତିରିଶି ଟଙ୍କା ରଖି ତିନିଶହ ଟଙ୍କା ଉଠାଇ ଆଣି ପ୍ରଥମେ ମୁଣ୍ଡରେ ମାରିଲି। ଆଖିରେ ମୋର ଲୁହ ଆସିଗଲା। ସେ ପର୍ଯ୍ୟନ୍ତ ବିଶ୍ୱାସ ହେଉ ନଥିଲା ଯେ ଏଇ ତିନି ଶହ ଟଙ୍କା ଏକାନ୍ତ ଭାବରେ ମୋ’ର ବୋଲି। ସେଦିନ ଘରକୁ ଫେରି ଶାଶୁଙ୍କ ପାଦ ତଳେ ମୁଣ୍ଡିଆ ମାରି ସେଇ ତିନିଶ ଟଙ୍କାକୁ ରଖି କହିଲି ‘ଏ ଟଙ୍କା ଆପଣ ରଖନ୍ତୁ। ଦରକାର ହେଲେ ଆପଣଙ୍କୁ ମାଗିନେବି’। ସେଦିନ ସେ ମୋତେ କୋଳେଇ ନେଇଥିଲେ ଆଉ କହିଥିଲେ ‘ଇଏ ତୋର ପରିଶ୍ରମର ଫଳ, ତୋ’ ପାଖରେ ରଖିଥା। ଇଏ ତ ଆରମ୍ଭ ମାତ୍ର, ନିଷ୍ଠାର ସହିତ କାମ କଲେ ଆଗକୁ ଆହୁରି ଅଧିକ ଆସିବ।’ ସେଦିନ ଶାଶୁ ଟଙ୍କାଟିକୁ ମୋତେ ଦେଇ ଦେବା ପରେ ୧୦୦ ଟଙ୍କାରେ ମିଠା ଆଣି ଠାକୁରଙ୍କ ପାଖେ ଭୋଗ କରି ଘରର ସମସ୍ତଙ୍କୁ ଖାଇବାକୁ ଦେଇଥିଲି। ସମସ୍ତେ ବହୁତ ଖୁସି ହୋଇଥିଲେ ଆଉ ମୋତେ ଶୁଭେଚ୍ଛା ବି ଦେଇଥିଲେ। ସମସ୍ତଙ୍କର ଶୁଭେଚ୍ଛା ଆଉ ଶାଶୁଙ୍କର କଥାକୁ ଗୁରୁ ଆଜ୍ଞା ମାନି କାମ କରି ଜୀବନରେ ଉନ୍ନତିର ପାହାଚ ପରେ ପାହାଚ ଚଢ଼ି ଶେଷରେ ୨୦୧୭ ମସିହାରେ ଚାକିରିରୁ ଅବସର ଗ୍ରହଣ କରିଥିଲି। ଜୀବନରେ ଅନେକ ରୋଜଗାର କରିଛି ହେଲେ ସେଇ ପ୍ରଥମ ରୋଜଗାରର ତିନିଶହ ଟଙ୍କା ମୋ’ ମନରେ ଯେଉଁ ଅପାର ଆନନ୍ଦ ଆଉ ଗଭୀର ଆତ୍ମପ୍ରତ୍ୟୟ ଭରି ଦେଇଥିଲା ତାହା ଅଭୁଲା ସ୍ମୃତି ହୋଇ ମୋ’ର ଶେଷ ନିଃଶ୍ୱାସ ଥିବା ଯାଏଁ ରହିଥିବ।

Share