ଖୋର୍ଦ୍ଧା ଜିଲା ଅନ୍ତର୍ଗତ ଓଳସିଂହ ହେଉଛି ଆମ ଗାଁ। କିନ୍ତୁ ଆମେ ଛଅ ଭାଇଭଉଣୀ (୨ ଭାଇ ଓ ୪ ଭଉଣୀ) ସମସ୍ତେ ଜନ୍ମ ହୋଇଥିଲୁ ଭୁବନେଶ୍ୱରରେ। କାରଣ ବାପା ସେତେବେଳେ ଭୁବନେଶ୍ୱରରେ ଚାକିରି କରୁଥିଲେ। ବଡ଼ ଭାଇ, ତା’ ତଳକୁ ମୁଁ ଆଉ ମୋ ତଳକୁ ଚାରି ଭଉଣୀ। ମାଟ୍ରିକ୍ ସରିବା ପରେ ଘରର ପରିସ୍ଥିତିକୁ ଦେଖି ମୁଁ ଆଉ ଆଗକୁ ପାଠ ନ ପଢି କିଛି ରୋଜଗାର କରିବାକୁ ଚିନ୍ତା କଲି। ସେଥିପାଇଁ ବାପାଙ୍କଠୁ କିଛି ଟଙ୍କା ନେଇ ଗୋଟିଏ ଛୋଟ ଟେଣ୍ଟ ହାଉସ୍ଟେ ଗଢିଲି। ସୌଭାଗ୍ୟକୁ ସେଇଟା ଭଲ ଚାଲିଲା। ଆଉ ସେଥିରୁ ଯାହା ରୋଜଗାର ହେଲା ସବୁ ନେଇ ଘରଖର୍ଚ୍ଚ ପାଇଁ ବାପାଙ୍କୁ ଦେଲି। ଅବଶ୍ୟ ସେତେବେଳେକୁ ମୁଁ ଡ୍ରାମାରେ ହାସ୍ୟାଭିନୟ କରିବା ଆରମ୍ଭ କରି ଦେଇଥାଏ। ଅଭିନୟର କଳା ମୁଁ ବାପାଙ୍କଠାରୁ ଶିଖିଥିଲି। କାରଣ ବାପା ଚାକିରି କରିବା ସହ ଅଭିନୟ ମଧ୍ୟ କରୁଥିଲେ। ଏପରିକି ଡ୍ରାମାରେ ନିର୍ଦ୍ଦେଶନା ବି ଦେଉଥିଲେ। ବାପାଙ୍କୁ ଦେଖି ମୋ ମନରେ ଅଭିନୟ ପ୍ରତି ଆଗ୍ରହ ଆସିବାରୁ ଡ୍ରାମାରେ ଅଭିନୟ କରିବାକୁ ଲାଗିଲି। ମୋର ହାସ୍ୟାଭିନୟ ଲୋକଙ୍କୁ ଖୁବ୍ ପସନ୍ଦ ଆସୁଥିଲା; ଆଉ ତାହା ହିଁ ମୋତେ ବାଟ କଢାଇନେଲା ଟେଲିଭିଜନ ଜଗତକୁ। ୧୯୯୫ରେ ‘ଛାନିଆ’ ଧାରାବାହିକ ପାଇଁ ମୁଁ ପ୍ରଥମେ ଅଫର୍ ପାଇଲି। ଡ୍ରାମାରେ ସିନା ପୃଷ୍ଠା ପୃଷ୍ଠା ସଂଳାପ ମନେ ରଖି ଅନର୍ଗଳ ଷ୍ଟେଜ୍ରେ କହି ପକାଉଥିଲି ହେଲେ ଯେବେ ପ୍ରଥମ କରି କ୍ୟାମେରାକୁ ସାମ୍ନା କଲି ମୋତେ ବହୁତ ଡର ଲାଗୁଥିଲା। କେତେବେଳେ ଡାଇଲଗ୍ ଭୁଲି ଯାଉଥିଲି ତ କେତେବେଳେ କ’ଣ ଆକ୍ସନ କରିବାକୁ ହେବ ତାହା ମନେ ପଡୁ ନଥିଲା। ବାରମ୍ବାର ମୋ ପାଇଁ ଟେକ୍ ନେବାକୁ ପଡୁଥିଲା। ନିଜକୁ ବହୁତ ଖରାପ ଲାଗୁଥିଲା। କିନ୍ତୁ ନିର୍ଦ୍ଦେଶକ ମୋତେ ସାହାସ ଦେଲେ ଆଉ ମୋର ଆତ୍ମବିଶ୍ୱାସ ବଢାଇଲେ। ତା’ପରଠୁ ମୁଁ ଆଉ ପଛକୁ ଫେରି ଚାହିଁନି। ଗୋଟିଏ ପରେ ଗୋଟିଏ ଧାରାବାହିକ, ତା’ପରେ ଅନେକ ଚଳଚ୍ଚିତ୍ରରେ ବି ହାସ୍ୟାଭିନୟ କରି ଲୋକଙ୍କ ହୃଦୟରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିବାରେ ସକ୍ଷମ ହେଲି। ଏଥିସହିତ ୧୯୯୬ରୁ ମୁଁ ଡାଇରେକ୍ଟୋରେଟ୍ ଅଫ୍ କୋଅପରେଟିଭ୍ ଅଡିଟ୍ କାର୍ଯ୍ୟାଳୟରେ ଚାକିରି କରିଆସୁଛି। ତେବେ ଏଠାରେ ମୁଁ ଗୋଟେ କଥା କହି ରଖିବାକୁ ଚାହେଁ ଯେ, ଜୀବନର ପ୍ରତିଟି ପାହାଚରେ ମୁଁ ଯେତେବେଳେ ଯାହା ବି ରୋଜଗାର କରିଛି ସବୁକିଛି ମୋ ପରିବାର ପାଇଁ ଉତ୍ସର୍ଗୀକୃତ କରି ଦେଇଛି। କାରଣ ସେମାନଙ୍କ ଖୁସିରେ ମୋ ଖୁସି। ଭଗବାନଙ୍କ କୃପା ମୋ ଉପରେ ରହିଛି, ତେଣୁ ସବୁକିଛି ଆଜିଯାଏଁ ଠିକ୍ଠାକ୍ ଚାଲିଆସିଛି ଆଉ ଆଗକୁ ବି ଏମିତି ଚାଲୁଥାଉ ଏତିକି ହିଁ ମୁଁ ତାଙ୍କ ପାଖେ ମିନତୀ କରୁଛି।
-ଅମ୍ବ୍ରିତା