ବଡ଼ ହୋଇ ପାଠପଢ଼ି ଚାକିରି କରି ନିଜ ଗୋଡ଼ରେ ଛିଡ଼ା ହେବି ଓ ଅନ୍ୟମାନଙ୍କ ପାଇଁ କାମ କରିବି ବୋଲି ପିଲାଦିନରୁ ସ୍ବପ୍ନଟିଏ ପାଳିଥିଲି ମନରେ। ହେଲେ ବିଧିର ବିଧାନ ଥିଲା ଅନ୍ୟ ପ୍ରକାର। ବାଣୀବିହାରରେ ପିଜି କରୁଥିବା ସମୟରେ ପାଠପଢ଼ା ମଝିରେ ହୋଇଥିଲା ମୋର ବାହାଘର। କୌଣସି ପ୍ରକାରେ ପଢା ଶେଷକଲି। ମୋ ମନକଥା କହିବାରୁ ସ୍ବାମୀ କହିଲେ, ‘ମୁଁ ଯେତିକି ରୋଜଗାର କରୁଛି ଆମ ପରିବାର ସୁରୁଖୁରୁରେ ଚଳିଯିବ ବୋଲି ଭାବୁଛି। ବାପାବୋଉଙ୍କର ବୟସ ହେଲାଣି, ବଡ଼ଭାଇଙ୍କର ମୁଣ୍ଡ ଠିକ୍ ନାହିଁ ତା’ ସହିତ ଘରେ ମଧ୍ୟ ବିଭିନ୍ନ ସମସ୍ୟା ରହିଛି। ତୁମେ ଚାକିରି କଲେ ଆହୁରି କାମ ବଢିଯିବ। ମୋର ଚାକିରିରେ କାର୍ଯ୍ୟଭାର ଏତେ ଅଧିକ ଯେ ଚାହିଁଲେ ବି ତୁମକୁ ସାହାଯ୍ୟ କରିପାରିବି ନାହିଁ। ତୁମେ ଯଦି ସବୁ ଜିନିଷକୁ ସୁଚାରୁରୂପେ ସଂପାଦନ କରିପାରିବ ବୋଲି ଭାବୁଛ ତେବେ ମୋର କୌଣସି ଆପତ୍ତି ନାହିଁ।’ କିନ୍ତୁ ଘରସଂସାର କରି ସମସ୍ତ ଦାୟିତ୍ୱ ତୁଲେଇ ଚାକିରି କରିବା ମୋ ପକ୍ଷେ ସମ୍ଭବପର ହୋଇ ନଥିଲା। ହେଲେ ମଝିରେ ମଝିରେ ମୋ ଭିତରେ ଜାକିମାଡି ହୋଇ ଶୋଇଥିବା ସ୍ବପ୍ନଟି ମୋତେ ଅସ୍ତବ୍ୟସ୍ତ କରୁଥିଲା। ତେଣୁ ମୋ ପୁଅଝିଅଙ୍କୁ ପଢେଇବା ସହିତ ବିନା ପଇସାରେ ଅନ୍ୟମାନଙ୍କୁ ମଧ୍ୟ ପଢାଉଥିଲି। ଶେଷରେ ଦିନେ ଭଗବାନ ସୁଯୋଗଟିଏ ଦେଲେ ୨୦୦୯ ମସିହାରେ। ସେତେବେଳକୁ ଶାଶୁ ଶ୍ୱଶୁରଙ୍କର ଦେହାନ୍ତ ହୋଇସାରିଥିଲା। ପିଲା ଦୁହେଁ ମଧ୍ୟ ବଡ଼ ହୋଇଯାଇଥିଲେ। ଯେହେତୁ ମୁଁ ପଢେଇବାକୁ ଭଲ ପାଉଥିଲି ସମୟର ସଦୁପଯୋଗ କରି ନିଜର ସ୍ବପ୍ନକୁ ସାକାର କରିବା ପାଇଁ ସେଣ୍ଟ ଜାଭିୟର୍ସ ସ୍କୁଲରେ ଶିକ୍ଷୟିତ୍ରୀ ରୂପେ ଯୋଗଦେଲି। ମୋ ପରିବାର ମୋତେ ଦୃଢ଼ ଭାବରେ ସମର୍ଥନ କଲେ। ଗୋଟିଏ ସ୍ବତନ୍ତ୍ର ପରିବେଶରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ପିଲାମାନଙ୍କ ଗହଣରେ ସମୟ ବିତେଇ ଖୁବ୍ ଆତ୍ମସନ୍ତୋଷ ପାଉଥିଲି। ମାସ ଶେଷରେ ସ୍କୁଲ କର୍ତ୍ତୃପକ୍ଷ ଯେତେବେଳେ ଚେକ୍ଟିଏ ଧରେଇଦେଲେ ଖୁସିରେ ମୋ ମନ କୁରୁଳି ଉଠିଲା। ପ୍ରଥମ ଉପାର୍ଜନ ମୋ ମନରେ ଆତ୍ମ ପ୍ରତ୍ୟୟ ସୃଷ୍ଟି କରିଥିଲା। ମୁଁ ଚେକ୍ ଭଙ୍ଗେଇ ଟଙ୍କା ଆଣିବା ପରେ ପ୍ରଥମେ ଠାକୁରଙ୍କ ପାଇଁ କିଛି ଟଙ୍କା ରଖିଥିଲି। ତା’ପରେ ମୋ ବୋଉ ପାଇଁ ଗୋଟିଏ ଶାଢ଼ି ଆଣିଥିଲି। ମୁଁ ଯାଉଥିବା ଅନାଥ ଆଶ୍ରମରେ ପିଲାମାନଙ୍କୁ ମିଠା ବାଣ୍ଟିବା ସହିତ ଗୋଟିଏ ଗୋଟିଏ କଲମ ଦେଇଥିଲି। ପୁଅ, ଝିଅ, ପୁତୁରା ଓ ମୋତେ ନେବାଆଣିବା କରୁଥିବା ଡ୍ରାଇଭରଙ୍କୁ ମଧ୍ୟ ଖୁସିରେ ଖର୍ଚ୍ଚ କରିବାକୁ କିଛି ଟଙ୍କା ଦେଇଥିଲି। ମୋ ଦରମା ଆଶାନୁରୂପ ନଥିଲା। କିନ୍ତୁ ଏତେ ବର୍ଷ ପରେ ମୋ ସ୍ବପ୍ନ ପୂରଣ ହେଲା ଓ ମୁଁ ଉପାର୍ଜନକ୍ଷମ ହୋଇ ପାରିଲି ଏହା ମୋତେ ବହୁତ ଖୁସି ଦେଇଥିଲା। ଏଥର ନିଜ ରୋଜଗାରରେ ଅନ୍ୟମାନଙ୍କୁ ସାହାଯ୍ୟ କରିପାରିବି ଏମିତି ଭାବନାଟିଏ ଧୀରେ ଧୀରେ ମୋ ଭିତରେ ଦୃଢ଼ ହେଉଥିଲା।