ରୌପ୍ୟ ନଗରୀ କଟକର ମେରିଆ ବଜାରରେ ମୋର ଜନ୍ମ। ପାଠପଢା ବି ସେଇଠି। ପ୍ୟାରିମୋହନ ଏକାଡେମୀରୁ ଏକାଦଶ ପାସ୍ କରି ଶୈଳବାଳା ମହିଳା ମହାବିଦ୍ୟାଳୟରେ ଗୃହ ବିଜ୍ଞାନରେ ସ୍ନାତକୋତ୍ତର ଶେଷ କରିଥିଲି। ୧୯୮୩ ମସିହାରେ ମୁଁ ଉକ୍ତ କଲେଜରେ ସ୍ନାତକ ପରୀକ୍ଷାରେ ଭଲ ମାର୍କ ରଖି ବେଷ୍ଟ ଗ୍ରାଜୁଏଟ୍ ହେବାର ସୌଭାଗ୍ୟ ଅର୍ଜନ କଲି। ସ୍ମୃତିର ଗନ୍ତାଘରେ ଏବେ ବି ସାଇତା ହୋଇ ରହିଛି ସେଦିନର ସେଇ ରୋମାଞ୍ଚଭରା ଅନୁଭୂତି, ଯେତେବେଳେ ମୁଁ ସମ୍ମାନିତ ହେଲି ମହାବିଦ୍ୟାଳୟର ଜଣେ ନବୋଦିତ ଛାତ୍ରୀ ଭାବରେ। ସେଦିନ କଲେଜ ତରଫରୁ ମୋତେ ଉଚ୍ଛ୍ବସିତ ଭାବେ ସମ୍ବର୍ଦ୍ଧିତ କରାଗଲା ଆଉ ବେଷ୍ଟ ଗ୍ରାଜୁଏଟ୍ ହୋଇଥିବାରୁ ନିରୁପମା ମହାପାତ୍ର ମେମୋରିଆଲ୍ ଆୱାର୍ଡର ପ୍ରମାଣପତ୍ର ସହିତ ୧୧୦୦ ଟଙ୍କା ପୁରସ୍କାର ଦିଆଯାଇଥିଲା; ଯାହାକି ଥିଲା ମୋ ଜୀବନର ସର୍ବପ୍ରଥମ ଉପାର୍ଜନ। ସେହି ଟଙ୍କାରୁ ୩୦୦ ଟଙ୍କା ନିଜ ଇଚ୍ଛାରେ ଖର୍ଚ୍ଚ କରିବା ପାଇଁ ବୋଉ ମୋତେ ଅନୁମତି ଦେବାରୁ, ମୁଁ ଜଣେ ବାନ୍ଧବୀଙ୍କ ସହ ବଜାର ଯାଇ ବୋଉ ପାଇଁ ୧୫୦ ଟଙ୍କାର ଗୋଟିଏ ଶାଢି ଏବଂ ମୋ ପାଇଁ ବି ଗୋଟିଏ ଶାଢି କିଣିଥିଲି। ବାକି ପଇସା ବୋଉ ମୋ ପାଇଁ ସଞ୍ଚତ୍ ରଖିଥିଲା। ଆଜି ବି ସେକଥା ମନେପଡିଲେ ଆଖିରେ ଲୁହ ଜକେଇ ଆସେ। ତେବେ ମୋର ଗୋଟେ ସ୍ବପ୍ନ ଥିଲା ଅଧ୍ୟାପିକା ହେବାକୁ। ଶିକ୍ଷାଦାନ କରିବାର ଅଦମ୍ୟ ଇଚ୍ଛା ମୋତେ ବୋଧହୁଏ ଆଜି ଟାଣି ଆଣିଛି ବିଦ୍ୟାଳୟ ଶିକ୍ଷା କ୍ଷେତ୍ରକୁ। ଦିନେ ସ୍ବପ୍ନ ଥିଲା ପିଲାମାନେ ମ୍ୟାଡାମ୍ ଡାକିବେ। ଆଜି କିନ୍ତୁ କୁନି ପିଲାଙ୍କ ‘ଗୁରୁମା’ ଡାକ ମନରେ ଅଧିକ ସରାଗ ବୋଳି ଦେଉଛି। ଶିକ୍ଷାଦାନ ବ୍ୟତିତ ମୁଁ ଅନେକ ଲେଖାଲେଖି ବି କରେ। ବିଜ୍ଞାନ ଦିଗନ୍ତ, ସରଳା, ହୋମ୍ ସାଇନ୍ସ ଭଳି ପତ୍ରିକାରେ ମୋର ଅନେକ ଲେଖା ପ୍ରକାଶିତ ହୋଇଛି। ଜଣେ ବିଜ୍ଞାନ ଲେଖିକା ଭାବରେ ପରିଚୟ ବି ପାଇଛି। କେବଳ ସେତିକି ନୁହେଁ ଗାଳ୍ପିକା, ପ୍ରାବନ୍ଧିକା ଭାବରେ ମଧ୍ୟ ମୋର ଏକ ଭିନ୍ନ ପରିଚୟ ସୃଷ୍ଟି ହୋଇଛି। ମୋ ଲିଖିତ ଅନେକ ଗପ, କବିତା, ପ୍ରବନ୍ଧ ଆଦି ବିଭିନ୍ନ ଖବରକାଗଜ ତଥା ପତ୍ରପତ୍ରିକାରେ ପ୍ରକାଶିତ ହୋଇ ପାଠକାଦୃତ ମଧ୍ୟ ହୋଇପାରିଛି। ସମ୍ପ୍ରତି ଭୁବନେଶ୍ୱରର ଡୁମୁଡୁମା ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ମୁଁ କାର୍ଯ୍ୟରତା। ଈଶ୍ୱରଙ୍କ କୃପାରୁ ସଂଘର୍ଷ କରି ଜିଇଁବା ଭିତରେ ମୋ ଆଗରେ ଆଜି ଏକ ପରିପୂର୍ଣ୍ଣ ଓ ସାର୍ଥକ ଜୀବନର ସ୍ବର୍ଣିମ ସରଣୀଟିଏ ଆହୁରି ଆଗକୁ ମାଡିଯିବା ପାଇଁ ମୋତେ ପ୍ରେରଣା ଦେଉଥିବାର ମୁଁ ଲକ୍ଷ୍ୟ କରୁଛି।