ପ୍ରଥମ ପାରିଶ୍ରମିକ ମା’କୁ ଦେଇଥିଲି: ଶିଶୁ ସାହିତି୍ୟକ ତଥା ଅଧ୍ୟାପକ ପ୍ରମୋଦ ବିଶ୍ୱାଳ

ପୁରୀ ଜିଲା ଅସ୍ତରଙ୍ଗ ନିକଟସ୍ଥ ବରାଙ୍ଗ ଗାଁରେ ମୋ ଜନ୍ମ। ଶିକ୍ଷାଗତ ଯୋଗ୍ୟତା ଇଂରାଜୀରେ ସ୍ନାତକୋତ୍ତର। ପେଶାରେ ଜଣେ ଇଂରାଜୀ ଅଧ୍ୟାପକ ହେଲେ ହେଁ, ନିଶା କିନ୍ତୁ ମୋର ଗପ, କବିତା ଲେଖିବା, ଗୀତ ଗାଇବା ଓ ପ୍ରବଚନ ଦେବା। ମୋ ମା’ ଅଲେଖ ଦୀକ୍ଷା ନେଇଥିବାରୁ ପିଲାଦିନେ ଆମଘରକୁ ଅନେକ ସାଧୁସନ୍ଥ ଆସୁଥିଲେ। ସେମାନଙ୍କ ପାଖେ ବସି ଭଜନ, କୀର୍ତ୍ତନ ତଥା ଭକ୍ତି କଥା ଶୁଣି ଶୁଣି ମୋ ଭିତରେ ବି କ୍ରମେ ଆଧ୍ୟାତ୍ମିକ ଭାବନା ଜାଗ୍ରତ ହୋଇଥିଲା। ତା’ସାଙ୍ଗକୁ ରେଡ଼ିଓ ଶୁଣିବାର ନିଶା ମୋତେ ଧୀରେ ଧୀରେ ଗପ, କବିତା ଲେଖିବା ମଧ୍ୟ ଶିଖାଇଦେଲା। ଷଷ୍ଠ/ସପ୍ତମରେ ପଢିଲାବେଳେ ଛୋଟ ଛୋଟ ଗପ, କବିତା ଲେଖିବା ଆରମ୍ଭ କରିଥିଲି। ହେଲେ ଯୁକ୍ତ ଦୁଇରେ ପଢିଲାବେଳେ ପ୍ରଥମ ଥର ପାଇଁ ମୋର ଏକ କବିତା ଆକାଶବାଣୀର ଯୁବବାଣୀ ବିଭାଗ ପାଇଁ ଚୟନ ହେଲା। ‘ତିନୋଟି ପାଖୁଡ଼ା’ ଶୀର୍ଷକ ଏହି କବିତାଟି ରେଡ଼ିଓରେ ବାଜିବା ପରେ ମୋତେ ୭୫ଟଙ୍କା ପାରିଶ୍ରମିକ ମିଳିଥିଲା; ଯାହାକି ଥିଲା ମୋ ଜୀବନର ପ୍ରଥମ ରୋଜଗାର। ସେଥିରୁ ୨୫ ଟଙ୍କା ଗାଁର ତ୍ରିନାଥ ମଣ୍ଡପରେ ମେଳା ପାଇଁ ଦେଇସାରିବା ପରେ ବଳିଥିବା ୫୦ ଟଙ୍କାକୁ ନେଇ ମୁଁ ମୋ ମା’ ହାତରେ ଦେଇଥିଲି। ମା’ ଖୁସିରେ ମୋ ମୁଣ୍ଡକୁ ଆଉଁସିଦେଇ ମୋତେ ସେଦିନ ଢେର୍‌ ଆଶୀର୍ବାଦ କରିଥିଲା। ଆଉ ତା’ରି ଆଶୀର୍ବାଦରୁ ହିଁ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଇଂରାଜୀରେ ସ୍ନାତକୋତ୍ତର ସାରିବା ପରେ ଇଂରାଜୀ ଅଧ୍ୟାପକ ଭାବେ ମୋର ପ୍ରଥମ ପୋଷ୍ଟିଂ ବାରଙ୍ଗସ୍ଥିତ କୁଞ୍ଜବିହାରୀ ମହାବିଦ୍ୟାଳୟରେ ହେଲା। ବର୍ଷେ ପରେ ପଟିଆସ୍ଥିତ ରାଜା ମଧୂସୁଦନ ଦେବ ମହାବିଦ୍ୟାଳୟକୁ ମୋର ବଦଳି ହେଲା। ସେବେଠାରୁ ଅର୍ଥାତ୍‌ ୧୯୯୫ରୁ ଆଜି ପର୍ଯ୍ୟନ୍ତ ମୁଁ ଉକ୍ତ ମହାବିଦ୍ୟାଳୟରେ ଅଧ୍ୟାପନା କରିଆସୁଛି। ଆଉ ତା’ରି ଭିତରୁ ବି ସମୟ ବାହାର କରି ପ୍ରାୟ ୫/୬ ବର୍ଷ ଆକାଶବାଣୀର ଶିଶୁବିଭାଗ ଅଧିନରେ ଆସୁଥିବା ୪ଟି ପ୍ରୋଗାମ୍‌ ‘ଶିଶୁ ସଂସାର’, ‘ଚକା ଚକା ଭଉଁରୀ’, ‘କିଶୋର ଚକ୍ର’ ତଥା ‘ବିଦ୍ୟାଳୟ କାର୍ଯ୍ୟକ୍ରମ’ ପାଇଁ ଅନେକ ଗପ, କବିତା ମଧ୍ୟ ପଠାଇଛି ଆଉ ସେ ବାଦଦେ ପାରିଶ୍ରମିକ ବି ପାଇଛି। ତା’ପରେ ୩/୪ ବର୍ଷ ରେଡ଼ିଓର ବ୍ୟଙ୍ଗ ସାହିତ୍ୟ ଯେମିତିକି ‘ଚହଟ ଚମ୍ପା’ରେ ମଧ୍ୟ ମୋର ଅନେକ ଲେଖା ବାଜିଛି। ‘ଚହଟ ଚମ୍ପା’ ବନ୍ଦ ହୋଇଯିବା ପରେ ଆଉ ରେଡ଼ିଓ ପାଇଁ ଲେଖାଲେଖି କଲିନି ସତ କିନ୍ତୁ ରେଡ଼ିଓ ଶୁଣିବାର ନିଶା ଆଜିଯାଏଁ ମୋର ସେମିତି ରହିଛି। ମୁଁ ଟିଭି ଦେଖିବାକୁ ଭଲ ପାଏନି ହେଲେ ପ୍ରତିଦିନ କିଛିକିଛି ସମୟ ରେଡ଼ିଓ ଶୁଣେ। ଏଥିସହିତ ଶିଶୁ ଗଳ୍ପ ଓ କବିତା ବି ଲେଖେ। ୟା’ ଭିତରେ ‘ଭକ୍ତି ପୁଷ୍ପାଞ୍ଜଳି’ ଓ ‘ଅନାବନା ଭାବନା’ ନାମରେ ଦୁଇଟି ଶିଶୁ କବିତା ସଂକଳନ ମୋର ପ୍ରକାଶିତ ହୋଇସାରିଲାଣି। ଏସବୁବାଦ୍‌ ନିଜର ଏହି ବ୍ୟସ୍ତମୟ ଜୀବନରୁ ସମୟ ବାହାର କରି ମୁଁ ୧୦୮ ହନୁମାନ ଚାଳିସା ପାରାୟଣ ବି କରିଥାଏ। ଭକ୍ତି କଥାମୃତ ସମ୍ପର୍କିତ ପ୍ରବଚନ ବି ଦେଇଥାଏ। ରାଜ୍ୟର ବିଭିନ୍ନ ସ୍ଥାନ ତଥା ରାଜ୍ୟ ବାହାରକୁ ବି ଅନେକ ଥର ପ୍ରବଚନ ଦେବା ପାଇଁ ଯାଇ ଶ୍ରୋତାଙ୍କର ମନ ଜିଣିବାରେ ସକ୍ଷମ ହୋଇପାରି ଥିବାରୁ ମୋତେ ବହୁତ ଆତ୍ମସନ୍ତୋଷ ବି ଲାଗେ।

ଅମ୍ବ୍ରିତା