Categories: ଜାତୀୟ

ଗୋଧ୍ରା ଘଟଣାବେଳେ ସରକାର ଚଳାଇବାରେ ମୋର ଅଭିଜ୍ଞତା ନ ଥିଲା: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୭।୯: ଭାଏବ୍ରାଣ୍ଟ୍‌ ଗୁଜରାଟ ସମ୍ମିଳନୀର ୨୦ ବର୍ଷ ସମାପ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସେ ଗୋଧ୍ରା ଘଟଣାକୁ ମନେ ପକାଇ ସେହି ସମୟରେ ତାଙ୍କର ସରକାର ଚଳାଇବାରେ ତାଙ୍କର ଅଭିଜ୍ଞତା ନ ଥିଲା ବୋଲି କହିଛନ୍ତି।
ସେ କହିଛନ୍ତି, ଗୋଧ୍ରା ଘଟଣା ପରେ ସମଗ୍ର ଗୁଜରାଟରେ ହିଂସା ଆରମ୍ଭ ହୋଇଥିଲା। ସେତେବେଳେ ଜଣେ ମୁଖ୍ୟମନ୍ତ୍ରୀ ଭାବରେ ମୋର ଅଭିଜ୍ଞତା ନ ଥିଲା, ତଥାପି ଗୁଜରାଟ ଲୋକଙ୍କ ଉପରେ ମୋର ବହୁତ ବିଶ୍ୱାସ ଥିଲା। କିଛି ଲୋକ ନିଜର ଏଜେଣ୍ଡା ଚଳାଉଥିଲେ। ଗୁଜରାଟକୁ ବଦନାମ କରିବା ପାଇଁ ଏକ ଷଡଯନ୍ତ୍ର କରାଯାଇଥିଲା ଏବଂ ଲୋକମାନେ ନକାରାତ୍ମକତା ବିସ୍ତାର କରିବାକୁ ଯଥାସମ୍ଭବ ଚେଷ୍ଟା କରିଥିଲେ। ସେମାନେ ଭାବିଥିଲେ ଯେ ଗୁଜରାଟ ଧ୍ୱଂସ ହୋଇଛି, କିନ୍ତୁ ଗୁଜରାଟକୁ ଏହି ନକାରାତ୍ମକତାରୁ ଉଦ୍ଧାର କରିବା ପାଇଁ ଆମ ସରକାର ଧ୍ୟାନ ଦେଇଥିଲେ।
ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି, ଯେଉଁମାନେ ଏଜେଣ୍ଡା ଚଳାଉଥିଲେ, ସେହି ସମୟରେ ମଧ୍ୟ ନିଜ ନିଜ ଢଙ୍ଗରେ ଘଟଣାଗୁଡ଼ିକର ମୂଲ୍ୟାଙ୍କନ କରିବାରେ ବ୍ୟସ୍ତ ଥିଲେ। କୁହାଯାଇଥିଲା ଯେ ଯୁବକ, ବ୍ୟବସାୟୀ, ଶିଳ୍ପ ଗୁଜରାଟରୁ ସ୍ଥାନାନ୍ତର ହେବେ। ଗୁଜରାଟକୁ ବଦନାମ କରିବା ପାଇଁ ଯୋଜନା ଥିଲ। ଏକ ଷଡଯନ୍ତ୍ର ରଚାଯାଇଥିଲା। କୁହାଯାଇଥିଲା ଯେ ଗୁଜରାଟ କେବେବି ନିଜ ପାଦରେ ଠିଆ ହୋଇପାରିବ ନାହିଁ। ସେହି ସଙ୍କଟରେ ମୁଁ ଏକ ପ୍ରତିଶ୍ରୁତି ଦେଇଥିଲି ଯେ ପରିସ୍ଥିତି ଯାହା ହେଉନା କାହିଁକି ମୁଁ ଗୁଜରାଟକୁ ଏଥିରୁ ବାହାର କରିଦେବି। ଗୁଜରାଟ ଭୟଙ୍କର ଦିନରୁ ବାହାରି ଆସିଥିଲା ଏବଂ ଆଜି ଗୁଜରାଟ କେଉଁଠାରେ ପହଞ୍ଚିଛି? ଜୀବନରେ ଏହାଠାରୁ ଅଧିକ ସନ୍ତୋଷ ଆଉ କ’ଣ ହୋଇପାରେ। ଆମେ କେବଳ ଗୁଜରାଟର ବିକାଶ କରିନାହୁଁ ବରଂ ଏହାର ଭବିଷ୍ୟତ ବିଷୟରେ ମଧ୍ୟ ଚିନ୍ତା କରିଛୁ, ଏଥିପାଇଁ ଆମେ ‘ଭାଏବ୍ରାଣ୍ଟ୍‌ ଗୁଜରାଟ’କୁ ଏକ ପ୍ରମୁଖ ମାଧ୍ୟମ କରିଛୁ। ଗୁଜରାଟର ଆତ୍ମବିଶ୍ୱାସ ବଢାଇବା ପାଇଁ ‘ଭାଏବ୍ରାଣ୍ଟ୍‌ ଗୁଜରାଟ’ ଏକ ମାଧ୍ୟମ ଭାବରେ ତିଆରି କରାଯାଇଥିଲା।

Share