‘ମୁଁ ତୁମକୁ ଘୃଣା କରେ’

କପ୍ତିପଦା,୨୨ା୭(ଡି.ଏନ.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ଏସିଏଫ୍‌ ସାୈମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାକୁ ୮ ଦିନ ପୂରିଛି। ପାରଳାଖେମୁଣ୍ଡିରୁ ଭାୟା ବାଲେଶ୍ୱରର ଖଇରା ଓ ମୟୂରଭଞ୍ଜ ଜିଲା କପ୍ତିପଦାର ଗୌଡ଼ଗଁା ପର୍ଯ୍ୟନ୍ତ ଅଡ଼ୁଆ ଖିଅ ଖୋଜି ଚାଲିଛି ପୋଲିସ। ବହୁ ଚର୍ଚ୍ଚିତ ଏହି ମୃତ୍ୟୁ ଘଟଣାର ଯୋରଦାର ତଦନ୍ତ ଚାଲିଥିବା ବେଳେ ପ୍ରତିଦିନ ଚୋଚକ ତଥ୍ୟ ସାମ୍ନାକୁ ଆସୁଛି। ପୋଲିସ ଜବତ କରିଥିବା ଦସ୍ତାବିଜ୍‌ ମଧ୍ୟରୁ ସୌମ୍ୟରଞ୍ଜନଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କ ଏକ ହାତ ଲେଖା ଚିଠିକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଉକ୍ତ ଚିଠିରେ ‘ଏହି ପୃଥିବୀରେ ମୁଁ ତୁମକୁ ସବୁଠୁ ଅଧିକ ଘୃଣା କରେ, ମୋ ନଁାକୁ ଏହି ଲୋକ ନାଁରେ ଯୋଡ଼ିବାକୁ ମୋତେ ଖରାପ ଲାଗୁଛି। କେମିତି ଆଉ ୩ ଦିନ କଟିବ। ୧୨ରୁ ୧୫ ତାରିଖ ପରେ ଶାନ୍ତି ମିଳିବ’ ବୋଲି ଉଲ୍ଲେଖ ରହିଛି। ଯାହାକୁ ନେଇ ସନ୍ଦେହ ଘନେଇବାରେ ଲାଗିଛି। ତେବେ ସୌମ୍ୟଙ୍କ ସହ ଝଗଡ଼ା ଯୋଗୁ ମନ ଦୁଃଖ ସମୟରେ ସେ ଏହି ଚିଠି ଲେଖିଥିଲେ ଓ ଯାହାର କିଛି ମୂଲ୍ୟନାହିଁ ବୋଲି ବିଦ୍ୟା କହିଛନ୍ତି।
ପାରଳାଖେମୁଣ୍ଡି ସ୍ଥିତ ସୌମ୍ୟଙ୍କ ସରକାରୀ କ୍ୱାର୍ଟର୍ସରୁ ଜବତ ହୋଇଥିବା ଏହିି ଚିଠିରେ ଆହୁରି ମଧ୍ୟ ଲେଖା ହୋଇଛି, ହେ ପ୍ରଭୁ ସବୁ ଭୁଲ୍‌ କ୍ଷମାକର। ମୋ ଜୀବନକୁ ନଷ୍ଟ କରନାହିଁ। ମୁଁ କାହାର କିଛି ଦୋଷ କରିନାହିଁ। ଗୋଟିଏ ଭୁଲ ନିଷ୍ପତ୍ତି କେମିିତି ଜୀବନକୁ ନଷ୍ଟ କରିଦିଏ। ପ୍ଲିଜ୍‌ ମୋତେ କ୍ଷମା କରିଦିଅ। ଜୀବନ ସାରା ପାଇଁ କଷ୍ଟ ଦେଖିପାରିବି ନାହିଁ। ତେବେ ବିଦ୍ୟାଭାରତୀ କାହା ଉଦ୍ଦେଶ୍ୟରେ ଏହି ଚିଠି ଲେଖିଥିଲେ ତାହା ସନ୍ଦେହ ଘେରରେ ଥିବା ବେଳେ ଏହି ଚିଠିରୁ ସୌମ୍ୟଙ୍କ ମୃତ୍ୟୁର ରହସ୍ୟ ଜଣାପଡ଼ିବ ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ ଯେ, ଗତ ୧୨ ତାରିଖରେ ସୌମ୍ୟରଞ୍ଜନ ତାଙ୍କ ସରକାରୀ ବାସଭବନରେ ପୋଡ଼ି ହୋଇ ଗୁରୁତର ହୋଇ ପଡ଼ିଥିଲେ। ପରଦିନ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଜବତ ହାତଲେଖା ଚିଠିରେ ୧୨ରୁ ୧୫ ତାରିଖ ପରେ ଶାନ୍ତିରେ ରହିବି ବୋଲି ଯାହା ଉଲ୍ଲେଖ ରହିଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।