Categories: ଜାତୀୟ

ରଘୁବଂଶ କଥା ଉଠାଇଲେ ମେହବୁବା

ନୂଆଦିଲ୍ଲୀ,୧୬।୮: ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ଅଧ୍ୟକ୍ଷା ମେହବୁବା ମୁଫତି ବୁଧବାର ସୁପ୍ରିମକୋର୍ଟ ଧାରା ୩୭୦ ମାମଲାର ଶୁଣାଣି କରିଥିବାରୁ ବହୁତ ଖୁସି ଥିବା କହିଛନ୍ତି। ଏହି ସମୟରେ ସେ ପ୍ରଭୁ ରାମଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ଧାରା ୩୭୦ ରଦ୍ଦକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ଚାଲିଥିବା ଶୁଣାଣିରେ ଯୋଗଦେବା ପାଇଁ ନୂଆଦିଲ୍ଲୀରେ  ପହଞ୍ଚିଥିବା ମୁଫ୍‌ତି କହିଥିଲେ,ବହୁସଂଖ୍ୟକବାଦ ଆଧାରରେ ଦେଶ ଚାଲିପାରିବ ନାହିଁ। ଏହି ଦେଶ ସମ୍ବିଧାନ ଅନୁଯାୟୀ ଚାଲିବ।
ପ୍ରଭୁ ରାମ ଏବଂ ରଘୁ ରାଜବଂଶ ବିଷୟରେ ଉଲ୍ଲେଖ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା କହିଛନ୍ତି,ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଆମର ବିଶ୍ୱାସ ରହିଛି। ମୁଁ ସେମାନଙ୍କୁ ନିବେଦନ କରିବାକୁ ଚାହେଁ ଯେ, ଦେଶ ରଘୁକୁଲ ରିତ ସଦା ଚଲି ଆଏ, ପ୍ରାଣ ଜାୟେ ପର ବଚନ ନ ଜାୟେ ନୀତିରେ ବିଶ୍ୱାସ କରେ। ହିନ୍ଦୁ ପୁରାଣରେ ଭଗବାନ ରାମଙ୍କ ସହ ଜଡିତ ରଘୁବଂଶ ଏହି ନୀତିରେ ବିଶ୍ୱାସ କରିଥିଲେ ଯେ, ତୁମେ ତୁମର ପ୍ରତିଜ୍ଞା କେବେ ଭାଙ୍ଗିବ ନାହିଁ। ଏଥିପାଇଁ ଜୀବନ ହରାଇବାକୁ ପଡିଲେ ମଧ୍ୟ ଚିନ୍ତା ନାହିଁ।
ମେହବୁବା ମୁଫତି କହିଛନ୍ତି, ଧାରା ୩୭୦ ରଦ୍ଦ କରିବା ପ୍ରସଙ୍ଗ ୧୯୪୭ରେ ଭାରତର ଲୋକ ଏବଂ କଶ୍ମୀରର ମୂଳ ବାସିନ୍ଦାଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ସହିତ ଜଡିତ। ସୁପ୍ରିମକୋର୍ଟ ଏହା ଶୁଣୁଥିବାରୁ ମୁଁ ବହୁତ ଖୁସି (ଧାରା ୩୭୦ ରଦ୍ଦକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ)। ଏହା କେବଳ ଏକ ଆଇନଗତ ପ୍ରସଙ୍ଗ ନୁହେଁ। ଜମ୍ମୁ କଶ୍ମୀରବାସୀଙ୍କ ପାଇଁ ଏହା ଏକ ଭାବପ୍ରବଣ ପ୍ରସଙ୍ଗ। ଜମ୍ମୁ କଶ୍ମୀରର ଲୋକଙ୍କ ପାଇଁ ସ୍ବର ହୋଇଥିବାରୁ ଆମେ ଓକିଲମାନଙ୍କୁ କୃତଜ୍ଞତା ଜଣାଉଛୁ।

Share