Categories: ଜାତୀୟ

ଉପରାଜ୍ୟପାଳ ହେବାକୁ ମୋର ଆଗ୍ରହ ନାହିଁ: ଗୁଲାମ ନବୀ…

ଶ୍ରୀନଗର,୨।୧୦ : ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡେମୋକ୍ରାଟିକ ପ୍ରୋଗେସିଭ ଆଜାଦ ପାର୍ଟିର ଅଧ୍ୟକ୍ଷ ଗୁଲାମ ନବୀ ଆଜାଦ ତାଙ୍କୁ ଉପରାଜ୍ୟପାଳ କରାଯିବା ପ୍ରଶ୍ନର ଉତ୍ତର ଦେଇଛନ୍ତି। ଗୁଲାମ ନବୀ କହିଛନ୍ତି ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ହେବାକୁ ମୋର ଆଗ୍ରହ ନାହିଁ। ମୁଁ ଏଠାକୁ ରୋଜଗାର କରିବାକୁ ଆସିନାହିଁ ବରଂ ଲୋକଙ୍କ ସେବା କରିବାକୁ ଆସିଛି। ଡେମୋକ୍ରାଟିକ ପ୍ରୋଗେସିଭ ଆଜାଦ ପାର୍ଟି (ଡିପିଏପି)ର ପ୍ରତିଷ୍ଠା ଦିବସରେ ଆୟୋଜିତ ଏକ ରାଲିରେ ସେ ଗୁଜବକୁ ଅସ୍ବୀକାର କରି ଏଭଳି ଉତ୍ତର ଦେଇଛନ୍ତି। ଗୁଜବରେ ବିଶ୍ୱାସ ନକରିବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତି।

କିଛି ଲୋକ ଗୁଜବ ପ୍ରଚାର କରୁଛନ୍ତି ମୁଁ ପୁନର୍ବାସ ସନ୍ଧାନରେ ଅଛି। ଯେତେବେଳେ ମୁଁ ୨୦୦୫ ରେ ମୁଖ୍ୟମନ୍ତ୍ରୀ ହୋଇଥିଲି, ସେତେବେଳେ ମୁଁ ଦୁଇଟି କେନ୍ଦ୍ରୀୟ ମନ୍ତ୍ରଣାଳୟ ସ୍ବରାଷ୍ଟ୍ର ଓ ନଗର ଉନ୍ନୟନ ଏବଂ ସଂସଦୀୟ ବ୍ୟାପାର ଛାଡିଥିଲି। ଲୋକଙ୍କ ସେବା କରିବା ପାଇଁ ଏଭଳି କରିଥିଲି। ମୋର କୌଣସି କାମ ନ ଥିଲା ତାହା ନୁହେଁ।

ବେରୋଜଗାରୀ ଏବଂ ମୁଦ୍ରାସ୍ଫୀତି ଜମ୍ମୁ-କଶ୍ମୀରର ଦୁଇଟି ମୁଖ୍ୟ ସମସ୍ୟା, ଯାହା ମୁଁ ଏହି ଅଞ୍ଚଳର ପର୍ଯ୍ୟଟନ ସମ୍ଭାବନାକୁ ଉପଯୋଗ କରି ସମାଧାନ କରିବାକୁ ଚାହୁଁଛି।

ପଦବୀ ପୂରଣ ପାଇଁ ସରକାର କେବଳ ବିଜ୍ଞାପନ ଜାରି କରୁଛନ୍ତି। କିନ୍ତୁ ପରୀକ୍ଷା ହେଉନାହିଁ। ଶିକ୍ଷିତ ଯୁବବର୍ଗମାନଙ୍କ ପାଖରେ ଚାକିରୀ ନାହିଁ। ଅଭିଭାବକମାନେ ସେମାନଙ୍କର ସଞ୍ଚୟ ପିଲାମାନଙ୍କ ଶିକ୍ଷା ପାଇଁ ଖର୍ଚ୍ଚ କରିଛନ୍ତି। ସମାଜର ସମସ୍ତ ବର୍ଗଙ୍କୁ ଜୀବିକା ଯୋଗାଇବା ପାଇଁ ପର୍ଯ୍ୟଟନର ସାମର୍ଥ୍ୟ ଅଛି। ୨୦୦୭ ରେ ପ୍ରତିଷ୍ଠିତ ହୋଇଥିବା ଟ୍ୟୁଲିପ ଉଦ୍ୟାନ ହଜାର ହଜାର ଲୋକଙ୍କୁ ଜୀବିକା ଯୋଗାଇ ଦେଇଛି। ମୋର ଯୋଜନା ଥିଲା ଜମ୍ମୁ-କଶ୍ମୀରର ପ୍ରତ୍ୟେକ ଜିଲାରେ ୧୦ ରୁ ୧୨ ପର୍ଯ୍ୟଟନ ସ୍ଥଳ ବିକାଶ କରିବା। ମୋର ଯୋଜନା ଥିଲା ହୋମଷ୍ଟେ ସୁବିଧା ସ୍ଥାପନ କରିବା ପାଇଁ ଲୋକଙ୍କୁ ଋଣ ଯୋଗାଇବା, ଯାହା ଦ୍ୱାରା ସେମାନଙ୍କୁ ରୋଜଗାରର ସୁଯୋଗ ପ୍ରଦାନ କରାଯାଇ ପାରିଥାନ୍ତା।

Share