ସେତେବେଳେ ଦରମା ମିଳିବା ଦିନ ଆମ ଛୁଆଙ୍କର ମଉଛବ। ସେଦିନ ଆମ କଟକ ଜିଲା ପ୍ରାଚୀକୂଳିଆ ନୂଆବେତେଣ୍ଡା ନିବାସୀ ପ୍ରଫୁଲ୍ଲ କୁମାର ମିଶ୍ର ଓରଫ ମିଶ୍ରମାଷ୍ଟ୍ରେ ମାନେ ମୋ ନନାଙ୍କର ଚାଲି ବେଶ୍ ଦେଖିଲାଭଳିଆ ।
ଗୋଟେ ଗୋଡ଼ ଘର ଭିତରେ ତ ଆଉ ଗୋଟେ ଯାଇ ଦାଣ୍ଡପିଣ୍ଡାରେ। ଆମର ବି ଖୁସି କହିଲେ ନ ସରେ। ନନାଙ୍କର ଫେରିଲା ବାଟକୁ ବିଲେଇ ଭଳିଆ ଚାହିଁବସିଥାଉଁ ଆମେ ଭାଇ ଭଉଣୀ। ଦାସ ଗୁଡ଼ିଆ ଦୋକାନରୁ କାଗଜ ଗୁଡେଇ ନନା ଆଣିକି ଆସିବେ ପକୁଡି। ନିଜେ ମହମହ ବାସୁଥିବେ ହାଟରୁ ବରଜୁଆ ଖିଲିପାନ ଖଣ୍ଡେ କଳରେ ଜାକି। ସେଦିନ ହାଟରୁ ବଡ଼ମାଛ ବି ଆସିଥିବ ନିଶ୍ଚୟ। ନନା ଆମର ମାଛ ଡାଆଣା ଭାରି। ପିଲାଟି ଦିନରୁ ମୋର ଭାରି ଇଚ୍ଛା ହୁଏ, ମୁଁ ନନାଙ୍କ ଭଳିଆ ଦରମା ଗଣ୍ଡେ ପାଆନ୍ତିକି ହେଲେ? ଆହା, ଯାହା ଇଚ୍ଛା କରନ୍ତି ତାହା କିଣି ପେଟପୂରେଇ ଖାଇଯା’ନ୍ତି ଆଗ। ମନର ଓରିମାନା ମେଣ୍ଟେଇବାକୁ ଯାଇ କୁନି କୁନି ଭାଇ ଭଉଣୀଙ୍କୁ ବୁଝେଇ ଶୁଖେଇ ବସେଇ ମିଛିମିଛିକା ମାଷ୍ଟ୍ରଟିଏ ବି ହୁଏ ମୁଁ। ମାସ ଶେଷ ହେଲାଣି ଯାଉଛି ଦରମା ଗଣ୍ଡାକ ଆଣିବି କହି ଖଣ୍ଡିଆ ଖପରା, ଚିରା କାଗଜଗୁଡାକୁ ଗୋଟେଇ ଗାଟେଇ ଆଣି ତାଙ୍କୁ ଦେଖାଏ। କୁହେ, ଏଇ ଦେଖୁଛ ମୋ ଦରମା। ଅବୁଝା ପିଲା ଦି’ଟା ଜିଦିକରି ବସନ୍ତି ତାଙ୍କପାଇଁ ଖାଇବା ଜିନିଷ କିଣିଦେବାକୁ। ମୁଁ ବିଚରା ହଟହଟା ହୁଏ ଭାରି। ସତରେ ଭାରି ନିଆରା ସେ ଦିନ ସବୁର ଅନୁଭୂତି। ବେଶ୍ ମନେଅଛି ସେଦିନ, ଯେବେ ମୁଁ ସତକୁ ସତ ମୋ ପରିଶ୍ରମର ଫଳ, ମାନେ ପାରିଶ୍ରମିକକୁ ନିଜ ହାତରେ ମୁଠେଇ ଧରିଲି ଆତ୍ମହରା ହୋଇ। ଅଷ୍ଟମ ଶ୍ରେଣୀରେ ପଢ଼ୁଥାଏ। ଆମ ସାହିର ପୋଷ୍ଟମାଷ୍ଟ୍ରେ ସାହୁ ମଉସା ତାଙ୍କ ତୃତୀୟ ଶ୍ରେଣୀ ପଢୁଆ ଝିଅର ଡେଣାକୁ ଟାଣି ଘୋଷାରି ଆସି ଆମ ଘରେ ଦିନେ ହାଜର। ଶୀତୁଆ ସା। ମୁଁ ବୋଉ ପାଖେ ବସି ଲଣ୍ଠନ ଜାଳି ପଢୁଥାଏ। ମଉସା କହିଲେ ବାବୁରେ ମୋ ଧନଟା ପରା, ଏ ଉଦଣ୍ଡିର ଆଜିଠୁ ଘଡିଏ ଘଡ଼ିଏ ପାଠ ଦେଖେ ତୁ,ମୋ ବାପା। ସେଇଦିନୁ କିଛି କିଛି ସମୟ ସେ ଝିଅଟିର ପାଠ ଦେଖିଲି। ମାସ ପୂରିଲାଦିନ ସାହୁ ମଉସା ଆସି ହସିହସି ମୋ ହାତରେ ଟଙ୍କିକିଆ ନୋଟ ତିରିଶ ଖଣ୍ଡ ଗୁଞ୍ଜିଦେଇ କହିଲେ ବାପରେ ଏଇଟା ରଖ, ତୋ ଦରମା। ମୋ ଆଖି ଟେରା ହୋଇଗଲା ସତରେ। ଆଃ… କ’ଣ କହିବି ମୁଁ। ଗୋଡ଼ ମୋର ଜମା ଆଉ ତଳେ ଲାଗିଲାନି। ମଉସା ଗଲାପରେ ଭୂଇଁରେ ଚିତହୋଇ ଶୋଇ ସାନଭାଇକୁ କହିଲି ଏ ଟଙ୍କାସବୁ ଗୋଟି ଗୋଟି କରି ମୋ ମୁଣ୍ଡଠୁ ଆଣ୍ଠୁ ଯାଏ ଥୋଇଲୁ ଶୀଘ୍ର। ସେ ଅବୋଧ ଖଣ୍ଡକ ବୋଲକରା ବେଠିଆ ଭଳିଆ ମୋ କଥା ମାନି ଗୋଟିଗୋଟି କରି ଟଙ୍କିକିଆ ଖଡଖଡ଼ିଆ ନୋଟ୍ ସବୁକୁ ମୁଣ୍ଡଠୁ ଆଣ୍ଠୁ ଯାଏ ଥୋଇ ଜଗିବସିଲା କେତେବେଳେ ତା ଭାଗ୍ୟ ଖୋଲିବ ବୋଲି। ମୁଁ ଆଖି ବୁଜି ନୀରବରେ ଗୋଟେ ଚରମ ଶାନ୍ତିକୁ ଛାତି ସାରା ଅନୁଭବ କରିଚାଲିଥିଲି। କିଛି ସମୟ ପରେ ଉଠି ବୋଉସାଙ୍ଗରେ ବାଆଜି ବାଉରୀ ଘରକୁ ଯାଇ ବାଇଶ ଟଙ୍କାଦେଇ ବଡ଼ ଭାକୁରମାଛଟିଏ ଆଣିଲି ନନାଙ୍କୁ ଭଲ ଲାଗେ ବୋଲି। ଚାରି ଟଙ୍କାରେ ମୋର ଆଉ ବୋଉ ଚପଲରେ ନୂଆ ଫିତାଲଗେଇଲି ଗାଁ ମୁଣ୍ଡ ମୋଚି ପାଖରୁ। ଦି’ ଟଙ୍କାରେ ଦିଟା ନଳୀ ପୁଡ଼ିଆ ଆଣି ସାନ ଭାଇ ଭଉଣୀକୁ ଦେଇ ରାଜା କର୍ଣ୍ଣଙ୍କ ଠାଣିରେ ଦି’ଘେରା ତାଙ୍କ ଚାରିପଟେ ଘୂରିଗଲି। ଆଉ ବାକି ଦି’ଟଙ୍କା କ’ଣ କଲି ଠିକ୍ ମନେ ନାହିଁ। ତେବେ ଖୁବ୍ ନିଆରା ସେ ଅନୁଭୂତି। ଏ ତ ପିଲାବେଳର କଥା। ବଡ଼ ହେଲାପରେ ହୋଟେଲ ମ୍ୟାନେଜମେଣ୍ଟ ପାଠପଢ଼ା ସାରି ଚାକିରି କଲି ଭୁବନେଶ୍ୱରରେ ୨୦୦୧ରେ। ଚାକିରିର ପହିଲି ଦରମା ଟଙ୍କା ୨୨୦୦ ଧରି ଖୁବ୍ ଖୁସି ହୋଇଥିଲି। ଛୁଟିନେଇ ଘରକୁ ଯାଇଥିଲି ନନା, ବୋଉ ଆଉ ଭାଇ, ଭଉଣୀଙ୍କୁ ଜଣେଇବା ପାଇଁ। ସମସ୍ତଙ୍କ ଲାଗି କିଛି କିଛି ଉପହାର ନେଇଥିଲି ସାଙ୍ଗରେ। ସମୟର ସୁଅ ମୋତେ ଏବେ ଇଣ୍ଡିଆ ହାବିଟାଟ୍ ସେଣ୍ଟରରେ ଗୃହ ରକ୍ଷଣାବେକ୍ଷଣ ବିଭାଗର ମୁଖ୍ୟ କୁର୍ସିରେ ବସାଇଛି। ସାହିତ୍ୟ ଓ କଳା ମୋ ଜୀବନ, ଗଳ୍ପ କବିତା, ଚିତ୍ର ଏବଂ ସଙ୍ଗୀତ ଭିତରେ ମୁଁ ଦୁନିଆକୁ ନିଇତି ଭେଟୁଚି ଆଉ ସକାରାତ୍ମକ ଢଙ୍ଗରେ ବଞ୍ଚୁଛି।