Categories: ଜାତୀୟ

ମୁଁ କଂଗ୍ରେସ ଛାଡୁନି, ଯଦି କେହି ଧକ୍କା ଦେଇ ବିଦା କରିବ ତେବେ…

ନୂଆଦିଲ୍ଲୀ,୧୭।୨: କଂଗ୍ରେସ ନେତା ମନୀଷ ତିୱାରୀ କଂଗ୍ରେସ ଛାଡିବା ନେଇ ହେଉଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଭାଜପାରେ ଯୋଗଦେବେ କି ନାହିଁ ବୋଲି ପଚରାଯିବାରୁ ସେ ସ୍ପଷ୍ଟ ଭାବେ କହିଛନ୍ତି, ସେ କଂଗ୍ରେସ ଦଳ ଛାଡୁ ନାହାଁନ୍ତି, କିନ୍ତୁ ଯଦି କେହି ତାଙ୍କୁ ଧକ୍କା ମାରି ବିଦା କରି ଦିଅନ୍ତି ତେବେ ଏହା ଅନ୍ୟ କଥା ହେବ।
କଂଗ୍ରେସ ଛାଡିବା ଏବଂ ଭାଜପାରେ ଯୋଗଦେବାର ଚର୍ଚ୍ଚା ଉପରେ ମନୀଷ କହିଛନ୍ତି, ମୁଁ ଏହା ପୂର୍ବରୁ ଅନେକ ଥର କହିଛି ଯେ ଆମେ କଂଗ୍ରେସ ଦଳର ଭଡାଟିଆ ନୁହେଁ, ଦଳର ଅଂଶବିଶେଷ। କିନ୍ତୁ ଯଦି କେହି ଆମକୁ ବାହାରକୁ ଠେଲି ଦିଅନ୍ତି, ତେବେ ତାହା ଅନ୍ୟ ଏକ ବିଷୟ। ଆମେ ଏହି ପାର୍ଟିକୁ ୪୦ ବର୍ଷ ଦେଇଛୁ। ଆମ ପରିବାର ଦେଶର ଏକତା ଏବଂ ଅଖଣ୍ଡତା ପାଇଁ ରକ୍ତ ବୁଆଇଛୁ। ଆମେ ଆଦର୍ଶ ରାଜନୀତିରେ ବିଶ୍ୱାସ କରୁ। କିନ୍ତୁ ଯଦି କେହି ତାହା ନ ବୁଝିବ ତେବେ ଆମେ କିଛି କରିପାରିବୁ ନାହିଁ ବୋଲି ସେ କହିଛନ୍ତି।
ଏହାପୂର୍ବରୁ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଦଳର ଷ୍ଟାର ପ୍ରଚାରକ ତାଲିକାରେ ତାଙ୍କ ନାମକୁ ସାମିଲ ନ କରାଯିବାରୁ ମନୀଷ ଦଳ ଉପରେ ପରୋକ୍ଷରେ ବର୍ଷିଥିଲେ। ସେ ଟୁଇଟ୍‌ କରି କହିଥିଲେ, ତାଙ୍କ ନାମ ଏହି ତାଲିକାରେ ଥିଲେ ସେ ଆଶ୍ଚର୍ଯ୍ୟ ହୋଇଥାନ୍ତେ।

Share