Categories: ଖେଳ

ଦର୍ଶକଙ୍କ ଉପସ୍ଥିତିରେ ଖେଳାଯିବ ଆଇ-ଲିଗ୍‌ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୪: ଦୁଇ ବର୍ଷ ବ୍ୟବଧାନରେ ପ୍ରଥମଥର ପାଇଁ ଦର୍ଶକଙ୍କ ଉପସ୍ଥିତିରେ ଖେଳାଯିବ ଆଇ-ଲିଗ୍‌ ମ୍ୟାଚ୍‌। ତେବେ ଷ୍ଟାଡିୟମର କିଛି ନିର୍ଦ୍ଦିଷ୍ଟ ଷ୍ଟାଣ୍ଡ ଏବଂ ସେକ୍‌ଶନରେ ଦର୍ଶକଙ୍କୁ ଅନୁମତି ପ୍ରଦାନ କରାଯିବ ବୋଲି ଆଇ-ଲିଗ୍‌ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଆସନ୍ତା ୨୨ ତାରିଖରୁ କୋଲ୍‌କାତାଠାରେ ଚଳିତ ୨୦୨୧-୨୨ ସିଜନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି। କୋଲ୍‌କାତାର କଲ୍ୟାଣୀ ମ୍ୟୁନିସିପାଲ ଷ୍ଟାଡିୟମ, ନଇହାତି ଷ୍ଟାଡିୟମ ଏବଂ ମୋହନବାଗାନ ଗ୍ରାଉଣ୍ଡରେ ଲିଗ୍‌ର ସମସ୍ତ ମ୍ୟାଚ୍‌ ଖେଳାଯିବ। ”ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଓ ପଶ୍ଚିମବଙ୍ଗ ସରକାରଙ୍କ ସ୍ବାସ୍ଥ୍ୟ ଗାଇଡ୍‌ଲାଇନ ଅନୁସାରେ ହିରୋ ଆଇ-ଲିଗ୍‌ ପାଇଁ ଷ୍ଟାଡିୟମର ନିର୍ଦ୍ଦିଷ୍ଟ ଷ୍ଟାଣ୍ଡ୍ସ ଏବଂ ସେକ୍‌ଶନରେ ଦର୍ଶକଙ୍କୁ ଅନୁମତି ପ୍ରଦାନ କରାଯିବ। ଦର୍ଶକଙ୍କୁ ଷ୍ଟାଣ୍ଡରେ ସ୍ବାଗତ କରିବା ଦ୍ୱାରା ଆମକୁ ଅପାର ସନ୍ତୋଷ ମିଳିବ। କଠିନ ସମୟରେ ଦର୍ଶକଙ୍କ ସମର୍ଥନ ପାଇଁ ଆମେ କୃତଜ୍ଞ“ ବୋଲି ଲିଗ୍‌ ସିଇଓ ସୁନାନ୍ଦୋ ଧର ବିଜ୍ଞପ୍ତିରେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଦଳୀୟ ବାୟୋ ବବଲରେ କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ଜାନୁୟାରୀ ୩ ତାରିଖରେ ଚଳିତ ସିଜନକୁ ବାତିଲ କରି ଦିଆଯାଇଥିଲା।

Share