Categories: ଖେଳ

‘ମୁଁ ଚ୍ୟାଲେଞ୍ଜ୍‌ ନେବାକୁ ପସନ୍ଦ କରେ’

ନୂଆଦିଲ୍ଲୀ,୨୯।୮: ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଗାମୀ ଏସିଆ କପ ଏବଂ ଦିନିକିଆ ବିଶ୍ୱକପ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ଅଛନ୍ତି। ଗତ ୧୫ବର୍ଷ ଧରି ଭାରତୀୟ କ୍ରିକେଟ ଦଳରେ ସେବା କରୁଥିବା କୋହଲି ଚ୍ୟାଲେଞ୍ଜକୁ ପସନ୍ଦ କରନ୍ତି ବୋଲି କହିଛନ୍ତି।
ବିରାଟ କୋହଲି କହିଛନ୍ତି, ମୋ ସାମ୍ନାରେ ଚ୍ୟାଲେଞ୍ଜ ଯାହା ବି ହେଉ ମୁଁ ଧୈର୍ଯ୍ୟର ସହ ଏହାକୁ ସାମ୍ନା କରେ। ୧୫ ବର୍ଷ ପରେ ମଧ୍ୟ ମୁଁ ପ୍ରତିଯୋଗିତାକୁ ଭଲ ପାଏ ଏବଂ ବିଶ୍ୱକପ ୨୦୨୩ ହେଉଛି ଏକ ଚ୍ୟାଲେଞ୍ଜ ଯାହାକୁ ପୂରଣ କରିବାକୁ ମୁଁ ପ୍ରସ୍ତୁତ। ମୁଁ ନୂଆ ଚ୍ୟାଲେଞ୍ଜକୁ ଭଲ ପାଏ ଯାହା ମୋତେ ଅନ୍ୟ ସ୍ତରକୁ ନେଇଯାଏ।
ସେ ଆହୁରି ମଧ୍ୟ କହିଛନ୍ତି, ଚାପ ସବୁବେଳେ ଥାଏ। ପ୍ରଶଂସକମାନେ ସର୍ବଦା କୁହନ୍ତି ଯେ ଆମ ଟିମ୍‌ ଏକ ଆଇସିସି କପ ଜିତୁ। ମୁଁ ମଧ୍ୟ ଏହା ଚାହେଁ। ମୁଁ ଜାଣେ ଦଳଠାରୁ ଅନେକ ଆଶା ଅଛି। କିନ୍ତୁ ମୁଁ ଆପଣଙ୍କୁ କହିବାକୁ ଚାହେଁ ଯେ ଖେଳାଳିଙ୍କ ଅପେକ୍ଷା ଟ୍ରଫି ଜିତିବାକୁ ଅଧିକ କେହି ଚାହାଁନ୍ତି ନାହିଁ।
ମୋ କ୍ୟାରିୟରର ମୁଖ୍ୟ ଆକର୍ଷଣ ହେଉଛି ୨୦୧୧ ବିଶ୍ୱକପ ଜିତିବା। ମୁଁ ସେତେବେଳେ ମୋ ବୟସ ୨୩ ଥିଲା ଏବଂ ବୋଧହୁଏ ମୁଁ ସେତେବେଳେ ଏହାର ମହାନତା ବୁଝି ନ ଥିଲି। କିନ୍ତୁ ବର୍ତ୍ତମାନ ୩୪ ବର୍ଷ ବୟସରେ ଏହଳ ବୁଝିପାରୁଛି। ସଚିନ ତେନ୍ଦୁଲକରଙ୍କ ପାଇଁ ଏହା ଆହୁରି ଅଧିକ ଥିଲା କାରଣ ଏହା ତାଙ୍କର ଶେଷ ବିଶ୍ୱକପ ଥିଲା। ଏହା ଏକ ସ୍ବପ୍ନ ପରି ଥିଲା। ମୋର ମନେ ଅଛି ଯେତେବେଳେ ଆମେ ଯାତ୍ରା କରୁଥିଲୁ ସମସ୍ତ ଖେଳାଳିଙ୍କ ଉପରେ କେତେ ଚାପ ଥିଲା। ଖୁସିର କଥା ସେତେବେଳେ କୌଣସି ସୋସିଆଲ ମିଡିଆ ନ ଥିଲା ବୋଲି କୋହଲି କହିଛନ୍ତି।
ସୂଚନାଯୋଗ୍ୟ, ଅଗଷ୍ଟ ୩୦ରୁ ଏସିଆ କପ ଖେଳାଯିବାକୁ ଥିବାବେଳେ ଦିନିକିଆ ବିଶ୍ୱକପ ଭାରତ ଆୟୋଜନ କରିବ। ଏହା ଅକ୍ଟୋବର ୫ରେ ଆରମ୍ଭ ହେବ ଏବଂ ଫାଇନାଲ ମ୍ୟାଚ ନଭେମ୍ବର ୧୯ରେ ହେବ।

Share