Categories: ଖେଳ

‘କଳ୍ପନା କରି ନ ଥିଲି ଏମିତି ସୁଯୋଗ ପାଇବି’

ନୂଆଦିଲ୍ଲୀ,୨୨।୮:ଏସିଆ କପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ହାଇଦ୍ରାବାଦ ପାଇଁ ଘରୋଇ କ୍ରିକେଟ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଇପିଏଲ ଖେଳିଥିବା ତିଳକ ବର୍ମା ୧୭ ଜଣିଆ ଦଳର ଏକମାତ୍ର ନୂଆ ଚେହେରା। ନିକଟରେ ତିଲକ ଅନ୍ତର୍ଜାତୀୟ ଟି-୨୦ରେ ଡେବ୍ୟୁ କରିଥିଲେ। ବର୍ତ୍ତମାନ ତାଙ୍କୁ ମଧ୍ୟ ଦିନିକିଆ ଦଳରେ ଚୟନ କରାଯାଇଛି। ବିସିସିଆଇ ମଙ୍ଗଳବାର ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛି। ଏଥିରେ ତିଲକ କହିଛନ୍ତି ଯେ, ସେ ଏସିଆ କପ ଦଳରେ ସିଧାସଳଖ ମନୋନୀତ ହେବା କଳ୍ପନା କରି ନ ଥିଲେ।
ୱେଷ୍ଟଇଣ୍ଡିଜ ଗସ୍ତରେ ତିଳକ ଭାରତ ପାଇଁ ତାଙ୍କର ପ୍ରଥମ ଟି-୨୦ ଖେଳିଥିଲେ। ସେ ବର୍ତ୍ତମାନ ଟିମ ଇଣ୍ଡିଆ ସହିତ ଆୟର୍ଲାଣ୍ଡରେ ଅଛନ୍ତି। ତିଳକ ଏପର୍ଯ୍ୟନ୍ତ ୭ ଟି-୨୦ ମ୍ୟାଚରେ ହାରାହାରି ୩୪.୮ରେ ୧୭୪ ରନ ସଂଗ୍ରହ କରିଛନ୍ତି। ବିସିସିଆଇ ଦ୍ୱାରା ପ୍ରକାଶିତ ଭିଡିଓରେ ତିଳକ ବ୍ୟାଟିଂ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି। ତିଳକ କହିଛନ୍ତି, ମୁଁ ସବୁବେଳେ ଭାରତ ପାଇଁ ଏକଦିବସୀୟ ଖେଳ ଖେଳିବାର ସ୍ବପ୍ନ ଦେଖିଥିଲି, କିନ୍ତୁ ଏସିଆ କପ ପାଇଁ ସିଧାସଳଖ ଚୟନ କରିବାକୁ ମୁଁ କେବେ ଭାବି ନ ଥିଲି। ଏହା ମୋ ପାଇଁ ଏକ ବଡ ଡିଲ। ମୁଁ କିଛି ଦିନ ପୂର୍ବରୁ ମୋର ଟି-୨୦ ଡେବୂ୍ୟ କରିଥିଲି ଏବଂ ଏକ ମାସ ମଧ୍ୟରେ ଦିନିକିଆ ଦଳରେ ମନୋନୀତ ହେଲି।
ତିଳକ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କୁ ପ୍ରଶଂସା କରିଥିଲେ। ସେ କହିଛନ୍ତି, ରୋହିତ ଭାଇ ମୋତେ ସବୁବେଳେ ସମର୍ଥନ କରୁଥିଲେ। ଆଇପିଏଲରେ ଖେଳୁଥିବାବେଳେ ସେ କହୁଥିଲେ, ଖେଳକୁ ଉପଭୋଗ କର ଏବଂ ଯେତେବେଳେ ତୁମେ ଆବଶ୍ୟକ କରିବ ମୋ ପାଖକୁ ଆସିବ। ମୁଁ ତାହା କରୁଛି ମୁଁ ଖୁସି ଯେ ମୋତେ ଏସିଆ କପ ଦଳରେ ମନୋନୀତ କରାଯାଇଛି।

Share