Categories: ଜାତୀୟ

ମନ୍ତ୍ରୀ ହେବି କେବେ ଭାବି ନ ଥିଲି: ଏସ ଜୟଶଙ୍କର

ନୂଆଦିଲ୍ଲୀ,୨୯।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଦାୟିତ୍ୱ ପାଇବା ନେଇ ଏସ ଜୟଶଙ୍କର ପ୍ରଥମ ଥର ପାଇଁ ଖୋଲାଖୋଲି ନିଜ ମତ ରଖିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ ଅନ୍ୟ କୌଣସି ପ୍ରଧାନମନ୍ତ୍ରୀ ତାଙ୍କୁ ମନ୍ତ୍ରୀ କରିଥାନ୍ତେ କି ନାହିଁ ସେ ନିଶ୍ଚିତ ନୁହଁନ୍ତି।
ପୁଣେରେ ନିଜ ପୁସ୍ତକ ‘ଦ ଇଣ୍ଡିଆ ଓ୍ବେ: ଷ୍ଟ୍ରାଟେଜି ଫର୍‌ ଆନ୍‌ ଅନ୍‌ସର୍ଟନ ଓ୍ବାଲର୍‌ଡ’ ର ମରାଠୀ ସଂସ୍କରଣ ଉନ୍ମୋଚନ କରି ଜୟଶଙ୍କର କହିଛନ୍ତି, ମନ୍ତ୍ରୀ ହେବା ପୂର୍ବରୁ ବୈଦେଶିକ ସଚିବ ହେବା ତାଙ୍କର ଅଭିଳାଷର ସୀମା ଥିଲା। ମୁଁ କେବେ ମନ୍ତ୍ରୀ ହେବି ମଧ୍ୟ ଭାବି ନ ଥିଲି।
ବୈଦେଶିକ ସମ୍ପର୍କ ଉପରେ ଅଧିକ ଆଲୋଚନା କରି ଜୟଶଙ୍କର କହିଛନ୍ତି, ଭଗବାନ କୃଷ୍ଣ ଏବଂ ଭଗବାନ ହନୁମାନ ଦୁନିଆର ସର୍ବଶ୍ରେଷ୍ଠ କୂଟନୀତିଜ୍ଞ। ମୁଁ ଏହାକୁ ସମସ୍ତ ଗମ୍ଭୀରତାର ସହିତ କହୁଛି। ଯଦି କେହି ତାଙ୍କର କୂଟନୈତିକ ଦୃଷ୍ଟିକୋଣ ବିଷୟରେ ଆଲୋଚନା କରାଯିବ, ସେ କେଉଁ ପରିସ୍ଥିତିରେ ଥିଲେ, ତାଙ୍କୁ କେଉଁ ପ୍ରକାରର ମିଶନ ଦିଆଯାଇଥିଲା, ସେ କିପରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ସେଥିରୁ ଏହା ବୁଝାଯିବ ସେମାନେ ବହୁମୁଖୀ କୂଟନୀତିଜ୍ଞ ଥିଲେ।

Share