ରୋଜଗାର ଟଙ୍କାରେ ନିଜ ପଢ଼ାଖର୍ଚ୍ଚ ତୁଲାଇଥିଲି

ପ୍ରଥମ ରୋଜଗାରର ପୁଲକ କଥା ଚିନ୍ତା କଲାବେଳେ, ନିଶ୍ଚିତ ଭାବରେ ମଣିଷ ଏକ ଆର୍ଥ-ସାମାଜିକ ପରିବେଶ ଭିତରକୁ ଟାଣି ହୋଇଯାଏ। ପରିବାର, ସମାଜ ଓ ଅର୍ଥର ଓତପ୍ରୋତ ଜଡ଼ିତ ଦୃଶ୍ୟାବଳୀରେ ସେ ଖୋଜେ ନିଜର ଜିଜୀବିଷା। ପ୍ରାୟତଃ ପ୍ରତ୍ୟେକଙ୍କ ଜୀବନରେ ଏହା ହିଁ ଘଟି ଥାଏ। ମୋ ଜୀବନରେ ବି ପ୍ରଥମ ରୋଜଗାର କଥା ମନେ ପକାଇଲାବେଳେ ଆଖିଆଗରେ ଉଜାଗର ହୋଇଉଠେ ଏକାବନ ବର୍ଷ ତଳର ସ୍ମୃତି; ଯେତେବେଳେ ମୁଁ ଥାଏ ମାତ୍ର ଷୋହଳ ବର୍ଷର କିଶୋର। ମାଟ୍ରିକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ପାଇଁ ନାଁ ଲେଖାଇଥାଏ। କିନ୍ତୁ ଆବଶ୍ୟକ ପଢ଼ା ସାମଗ୍ରୀ କିଣିବାକୁ ଘରର ଦୁର୍ବଳ ଆର୍ଥିକାବସ୍ଥା ବାଧା ଦେଉଥାଏ। ମା’ ଛେଉଣ୍ଡ ଆମ ସାତ ଭାଇଭଉଣୀଙ୍କୁ ମଣିଷ କରିବାକୁ ବାପା କରୁଥିବା କଷ୍ଟକୁ ଆଉ ସହି ହେଉ ନ ଥାଏ। ତେଣୁ ନିଜ ପଢ଼ା ଖର୍ଚ୍ଚ ତୁଳାଇବାକୁ ମୁଁ ୪ଟି ପିଲାଙ୍କୁ ଟ୍ୟୁଶନ କରିବାକୁ ଆରମ୍ଭ କରେ। ଜଣକୁ ପାଞ୍ଚ ଟଙ୍କା କରି ମାସ ଶେଷକୁ କୋଡ଼ିଏ ଟଙ୍କା ପାଏ। ଆଉ ସେହି ଟଙ୍କାରେ କେତେବେଳେ କାଗଜ ଦିସ୍ତାଏ ହେଉ କି କଲମ ଖଣ୍ଡେ, କି କମ୍‌ ଦାମ୍‌ର ପୁସ୍ତକଟିଏ କିଣି ମୋର ପଢ଼ାଖର୍ଚ୍ଚ ଯେନତେନ ତୁଲାଇଥାଏ। ବାପାଙ୍କୁ ମଧ୍ୟ ମୋ ପାଇଁ ବ୍ୟସ୍ତ ନ ହେବାକୁ ବେଳେବେଳେ ବିନମ୍ର ଅନୁନୟ କରେ; ଯାହାକୁ ଶୁଣି ବାପା ଉପରେ ହସିବାର ଅଭିନୟ କରୁଥିଲେ ହେଁ ତାଙ୍କ ଆଖି କୋଣରେ ଜକେଇ ଆସୁଥିବା ଲୁହ କିନ୍ତୁ ସ୍ପଷ୍ଟ ବାରି ହୋଇଯାଉଥାଏ। ସେହି ପୂଜ୍ୟ ବାପାଙ୍କ ଆଶୀର୍ବାଦରୁ ପରବର୍ତ୍ତୀ ସମୟରେ କେମେଷ୍ଟ୍ରି ଅନର୍ସରେ ବି.ଏସ୍‌ସି. ପାସ୍‌ କରିବା ସହ ଇତିହାସରେ ଏମ୍‌.ଏ. ଓ ଏଲ୍‌.ଏଲ୍‌ବି ପଢ଼ିବାରେ ସକ୍ଷମ ହେବା ସହିତ ଉଦିତନଗର ସରକାରୀ ଉଚ୍ଚ ବିଦ୍ୟାଳୟ, ରାଉରକେଲାରେ ସହକାରୀ ଶିକ୍ଷକ ଭାବେ କାମ କରିବାର ସୁଯୋଗ ପାଏ। ୩ବର୍ଷ ସେଠାରେ କାମ କରିବା ପରେ ରାଉରକେଲା ମ୍ୟୁନିସିପାଲ୍‌ କଲେଜର କେମେଷ୍ଟ୍ରି ବିଭାଗରେ ସିନିୟର୍‌ ଡେମୋନ୍‌ଷ୍ଟ୍ରେଟର୍‌ ଭାବେ ପ୍ରାୟ ୩୬ ବର୍ଷ କାମ କରି ଶେଷରେ ୨୦୧୫ରେ ଚାକିରିରୁ ଅବସର ନିଏ। ତା’ପରେ ପ୍ରାୟ ୫ ବର୍ଷ ରାଉରକେଲା ଶ୍ରୀ ଅରବିନ୍ଦ ସ୍କୁଲ୍‌ରେ ଅତିଥି ଶିକ୍ଷକ ଭାବେ ମଧ୍ୟ କାର୍ଯ୍ୟ କରେ। କେବଳ ଶିକ୍ଷକତା ନୁହେଁ କବିତା ଲେଖିବାରେ ବି ମୋର ଥାଏ ଖୁବ୍‌ ରୁଚି। ମୋର ଅନେକ କବିତା ବିଭିନ୍ନ ଖବରକାଗଜ ଓ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ପାଠକୀୟ ପ୍ରଶଂସା ବି ପାଏ। ଧୀରେ ଧୀରେ ମୋର ପରିଚିତି ବଢ଼େ। ରାଉରକେଲା ତଥା ଓଡ଼ିଶାର ଏକ ପୁରାତନ ସାହିତ୍ୟ ଅନୁଷ୍ଠାନ କୁହାଯାଉଥିବା କଲ୍‌ଚରାଲ୍‌ ଏକାଡେମିର ମଧ୍ୟ ମୁଁ ଆଜୀବନ ସଦସ୍ୟ ହୁଏ। ତେବେ ଜୀବନରେ ମିଳିଥିବା ଏହିସବୁ ଖ୍ୟାତି ଆଉ ଯଶ କୀର୍ତ୍ତି ଆଗରେ କିନ୍ତୁ ସେଦିନର ସେହି ସ୍ବଳ୍ପ ରୋଜଗାରର ମୂଲ୍ୟ ଢେର୍‌ ଅଧିକ ଲାଗେ।