କେନ୍ଦୁଝର ଜିଲାର ବୃନ୍ଦାବନପୁର ହେଉଛି ମୋର ପ୍ରକୃତ ଗାଁ। ହେଲେ ମୋ ମା’ ଯେହେତୁ କେନ୍ଦୁଝର ଜିଲାର ବାସୁଦେବପୁରରେ ରହି ଶିକ୍ଷକତା କରୁଥିଲେ, ତେଣୁ ମୋର ଜନ୍ମ ସେହିଠାରେ ହିଁ ହୋଇଥିଲା। ପାଠପଢ଼ା ଆରମ୍ଭ ହେଲା ବେଳକୁ ମା’ଙ୍କର ଜୁନାଗଡ଼ ବଦଳି ହୋଇଗଲା। ତେଣୁ ପ୍ରଥମରୁ ତୃତୀୟ ମୁଁ ଜୁନାଗଡ଼ରେ ପଢ଼ିଲି। ତା’ପରେ ମା’ଙ୍କର ପୁଣି କେନ୍ଦୁଝର ବଦଳି ହେବାରୁ ଚତୁର୍ଥ, ପଞ୍ଚମ ସେଠି ପଢ଼ିଲି। ଏହାପରେ ନବୋଦୟ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇ କେନ୍ଦୁଝରର ହଦଗଡ଼ଠାରେ ଥିବା ଜବାହର ନବୋଦୟ ବିଦ୍ୟାଳୟରେ ଷଷ୍ଠରୁ ଯୁକ୍ତଦୁଇ ଯାଏ ପଢ଼ିଥିଲି। ତା’ପରେ କେନ୍ଦୁଝରସ୍ଥିତ ଧରଣୀଧର ସ୍ବଂୟଶାସିତ ମହାବିଦ୍ୟାଳୟରେ ଅର୍ଥନୀତିରେ ସ୍ନାତକ ଏବଂ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ପାସ୍ କରି ବିଏଡ୍ କଲି। ବିଏଡ୍ ସରିବା ପରେ ମୋର ବାହାଘର ହୋଇଗଲା। ଶାଶୁଘର ବି ଥିଲା ସେହି କେନ୍ଦୁଝରରେ। ଶାଶୁଘର ଲୋକେ ଏବଂ ମୋ ସ୍ବାମୀଙ୍କ ସହଯୋଗରେ ପୁଣି ପାଠପଢ଼ା ଆରମ୍ଭ କରି ଏମ୍ଏଡ୍ ପାସ୍ କଲି। ତା’ପରେ ମୋତେ ବାସୁଦେବପୁର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ ଚାକିରି ମିଳିଗଲା। ଏହା ଥିଲା ୨୦୦୭ ମସିହାର କଥା। ପ୍ରଥମ ମାସ ଯେଉଁ ଦରମା ପାଇଲି ସବୁଯାକ ଟଙ୍କା ନେଇ ମୋ ମା’ବାପାଙ୍କୁ ଦେଇଥିଲି। କାରଣ ସେମାନେ ହିଁ ମୋତେ ପିଲାଟି ଦିନରୁ ପାଠ ପଢ଼ାଇ, ଗାଇଡ୍ କରି ଯୋଗ୍ୟା କରାଇବାକୁ ଆପ୍ରାଣ ଚେଷ୍ଟା କରିଥିଲେ। ଏଥିରେ ମୋ ସ୍ବାମୀ ଓ ଶାଶୁଘର ଲୋକଙ୍କର ବି ପୂର୍ଣ୍ଣ ସହମତି ଥିଲା, ସେଥିପାଇଁ ମୋତେ ବହୁତ ଖୁସି ଲାଗିଥିଲା। ତେବେ ଶିକ୍ଷୟିତ୍ରୀ ଭାବେ ଚାକିରିରେ ଜଏନ୍ କରିବା ପୂର୍ବରୁ ୨୦୦୬ରେ ଓଏଏସ୍ ପରୀକ୍ଷା ପାଇଁ ବିଜ୍ଞପ୍ତି ବାହାରିଥିଲା ଆଉ ମୁଁ ସେଥିରେ ଆବେଦନ ବି କରିଥିଲି; ଯାହାର ଫଳାଫଳ ୨୦୧୦ରେ ଆସିଲା। ଓଏଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଜାଣି ଘରେ ସମସ୍ତେ ବହୁତ ଖୁସି ହୋଇଯାଇଥିଲେ। ମୁଁ ବି ଖୁବ୍ ଖୁସି ଥିଲି। ତା’ପରେ ଶିକ୍ଷୟିତ୍ରୀ ଚାକିରି ଛାଡ଼ି ଟ୍ରେନିଂ ପାଇଁ ଚାଲିଗଲି। ପାଖାପାଖି ବର୍ଷେ ଟ୍ରେନିଂ ନେବା ପରେ ୨୦୧୧ ଅକ୍ଟୋବରରେ ଡେପୁଟି କଲେକ୍ଟର ଭାବେ ବାରିପଦାରେ ଜଏନ୍ କଲି। ୨୦୧୬ ଯାଏ ସେଠି ରହିଲି। ତା’ପରେ ତହସିଲଦାର ଭାବେ ମୟୂରଭଞ୍ଜ ଜିଲାର କୁସୁମି ବାଦାମପାହାଡ଼କୁ ମୋର ବଦଳି ହେଲା। ୨୦୧୮ରେ ପୁଣି ମୋର ବଦଳି ହେଲା ଦେବଗଡ଼କୁ; ଯେଉଁଠାରେ ଏବେ ବି ମୁଁ ତହସିଲଦାର ପୋଷ୍ଟରେ ଅବସ୍ଥାପିତ। ଚାକିରିର ବ୍ୟସ୍ତମୟ ଜୀବନରୁ ସମୟ ବାହାର କରି କିଛି କିଛି ଲେଖାଲେଖି ବି ମୁଁ କରେ। ବିଶେଷକରି ଗପ, କବିତା ଲେଖିବାରେ ଥାଏ ମୋର ରୁଚି। ୟା’ଭିତରେ ୪ଟି ଗଳ୍ପ ଓ ୧ଟି କବିତା ସଂକଳନ ମୋର ପ୍ରକାଶିତ ହୋଇସାରିଲାଣି; ଯାହାର ନଁା ହେଲା: ଭିଜା ଭିଜା ଋତୁ (ଗଳ୍ପ), ପ୍ରେମିକାପଣ (କବିତା), ଶବ୍ଦ ହଜିଗଲା ପରେ (ଗଳ୍ପ), ଢେଉ (ଗଳ୍ପ) ଏବଂ ଛବି; ଚୂନା ଚୂନା ଚିତ୍ର ଜୀବନର (କ୍ଷୁଦ୍ର ଗଳ୍ପ ସଂକଳନ)। ତା’ଛଡ଼ା ଆଗକୁ ଖୁବ୍ ଶୀଘ୍ର ‘ପଲ୍ଲବୀ ନାୟକଙ୍କ ଯେତେ ସବୁ ଅକବିତା’ ନାମରେ ଏକ କବିତା ସଂକଳନ ଏବଂ ‘ଋତୁର ନଁା ବସନ୍ତ’ ନାମରେ ଏକ ଉପନ୍ୟାସ ବି ମୋର ପ୍ରକାଶିତ ହେବାକୁ ଯାଉଛି। ତେଣୁ ମୁଁ ଏତିକି କହିବାକୁ ଚାହେଁ ଯେ, ଚାକିରି ହେଉ ଅବା ଲେଖାଲେଖି, ଏସବୁ ମୁଁ ଯାହାବି କରୁଛି ତା’ ପଛରେ ଭଗବାନଙ୍କ ଆଶୀର୍ବାଦ ଓ ମୋ ପରିବାର ଲୋକଙ୍କର ସହଯୋଗ ଓ ପ୍ରେରଣାକୁ ହିଁ ମୁଁ ଶ୍ରେୟ ଦେବି।
– ଅମ୍ବ୍ରିତା