୧୯୯୨ ମସିହାର କଥା, ସେତେବେଳେ ମୁଁ ଜୟପୁର ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର କଳା ଛାତ୍ରୀ। ସେବେ ଜୟପୁର ଆକାଶବାଣୀ କେନ୍ଦ୍ରର ଯୁବବାଣୀ କାର୍ଯ୍ୟକ୍ରମରେ ପ୍ରସାରିତ କରିବା ପାଇଁ ରଘୁଭାଇ ମୋର ୩/୪ଟି କବିତାର ହାର୍ଡକପି ନେଇଥିଲେ। ନିର୍ଦ୍ଧାରିତ ସମୟ ଆସିବାରୁ ରେକର୍ଡିଂ ପାଇଁ ରେଡିଓ ଷ୍ଟେଶନ ତରଫରୁ ମୋତେ ଡାକିଲେ। ଖୁସି ଯେତିକି ହେଉଥିଲି ଭୟ ବି ସେତିକି କରୁଥିଲି। କାରଣ ସେତେବେଳେ ରେଡିଓର ମହତ୍ତ୍ୱ ଟିଭିଠୁ ଶହେ ଗୁଣ ଅଧିକ ଥିଲା। ତେବେ ସେ ଯାହା ବି ହେଉ ଭଲରେ ଭଲରେ ରେକର୍ଡିଂ ସରିଗଲା। ହେଲେ ମୁଁ ଜାଣି ନ ଥିଲି ଯେ, କବିତା, ଗଳ୍ପ ପାଇଁ ପଇସା ମିଳେ; ତେଣୁ ରେକର୍ଡିଂ ଶେଷ ହେବା ପରେ ଯେବେ ମୋ ନାଁରେ ଦୁଇଶହ ଟଙ୍କାର ଚେକ୍ ମିଳିଲା ମୋତେ ବହୁତ ଖୁସି ଲାଗିଥିଲା। ଚେକ୍ଟିକୁ ଆଣି ମା’ବାପାଙ୍କୁ ଦେଲି, ସେମାନେ ବହୁତ ଖୁସି ହେଲେ। ଏପରିକି ବାପା ତାଙ୍କ ଡାଏରୀରେ ବି ଲେଖିଲେ ଯେ, ଜେଜେମା’ ଜେଜେବାପାଙ୍କ କଳା ମୋ ଭିତରେ ଅଛି ବୋଲି। ତା’ପରେ ବାପା ମୋତେ ନେଇ ଷ୍ଟେଟ ବ୍ୟାଙ୍କ୍ ଗଲେ ଆଉ ଚେକ୍ଟିକୁ ଭଙ୍ଗାଇ ମୋ ନାଁରେ ଆକାଉଣ୍ଟ ଖୋଲି ସେଥିରେ ଟଙ୍କାତକ ଜମା କରିଦେଲେ। ତା’ପରଠୁ ପ୍ରତି ୨/୩ ମାସ ଅନ୍ତରାଳରେ ମୋର ଗଳ୍ପ, କବିତା ପ୍ରସାରିତ ହେଲା। ଏପରିକି ଯୁବବାଣୀରେ ପ୍ରସାରିତ ଅନେକ ନାଟକରେ ମୁଖ୍ୟ ନାୟିକା ହୋଇ ମୁଁ ସ୍ବର ବି ଦେଲି। ଆଉ ସେ ବାବଦରେ ଯେଉଁ ଚେକ୍ ପାଉଥିଲି ସେ ସବୁକୁ ଭଙ୍ଗେଇ ବାପା ମୋ ଆକାଉଣ୍ଟରେ ରଖି ଦେଉଥିଲେ। ବାପା ପିଆର୍ ଡିପାର୍ଟମେଣ୍ଟରେ ଆର.ଓ. ଥିଲେ। ୧୯୯୧ରେ ଅବସର ନେଇ ସାରିଥିଲେ ହେଁ ରେଡିଓରେ ତାଙ୍କ ପ୍ରିୟ କାର୍ଯ୍ୟକ୍ରମ ପଲ୍ଲୀଶ୍ରୋତା ମଣ୍ଡଳୀ ସବୁବେଳେ ଶୁଣୁଥିଲେ, ତା’ ସହିତ ମୋ ପ୍ରୋଗ୍ରାମ ବି ଶୁଣିବାକୁ ଭୁଲୁ ନ ଥିଲେ। ଅନ୍ୟପକ୍ଷେ ମା’ ବି ସାହି ପଡ଼ିଶାଙ୍କୁ କହୁଥିଲେ ମୋ ପ୍ରୋଗ୍ରାମ ଶୁଣିବାକୁ। ସେମାନେ ସର୍ବଦା ମୋତେ ଉତ୍ସାହିତ କରୁଥିଲେ ଭଲ ଲେଖିବାକୁ। ସେତେବେଳେ ମାଲକାନଗିରି ଜିଲାର ଗୋବିନ୍ଦପାଲ୍ଲୀରେ ଆମର ଜାଗାଟିଏ ଥିଲା। ବାପା ଅବସର ନେଲା ପରେ ଗାଁର ଶାନ୍ତ ବାତାବରଣରେ ରହିବାକୁ ପସନ୍ଦ କରି ସେଠାରେ ଛୋଟ ଘରଟିଏ ତୋଳିଲେ; ଯେଉଁଠିକୁ ଆମେ ଛୁଟିରେ ଯାଉଥିଲୁ। କିଛିଦିନ ପରେ ସେଠାରେ ମୋର ଜମା ହୋଇଥିବା ଟଙ୍କାରେ ବାପା ଆଉ କିଛି ଟଙ୍କା ମିଶାଇ ପ୍ରଥମ କରି ଏକ ଜମି ଧରିଲେ ଏବଂ ମୋ ନାଁରେ ଗୋଟିଏ ଗାଈଟିଏ ମଧ୍ୟ କିଣିଥିଲେ। ଆଶ୍ଚର୍ଯ୍ୟର କଥା, ସେଇ ଗୋଟିଏ ଗାଈ ଆମ ପାଇଁ ଏତେ ଲକି ହେଲା ଯେ, ଧୀରେ ଧୀରେ ଦୁଇଟି ଗାଈ, ଦୁଇଟି ବଳଦ ଏବଂ ଦୁଇଟି ମଇଁଷି ହୋଇ ଆମ ଗୋରୁଶାଳା ଭର୍ତ୍ତି ହୋଇଗଲା। ମା’ବାପା କହୁଥିଲେ ମୋ ନାଁରେ ଭଲ ଶୁଜୁଛି ବୋଲି। ଏମିତିରେ ଗ୍ରାଜୁଏଶନ୍ ସରିବା ପରେ ମୁଁ ଗୋବିନ୍ଦପାଲ୍ଲୀରେ ନୂଆ କରି ଖୋଲିଥିବା ଏକ ଇଂଲିଶ ମିଡିୟମ୍ ସ୍କୁଲରେ ଶିକ୍ଷୟିତ୍ରୀ ରୂପେ କାର୍ଯ୍ୟ କରିବା ପାଇଁ ଅର୍ଗାନାଇଜର୍ ମୁନା ସାର୍ ଅନୁରୋଧ କରିବାରୁ ମୁଁ ସେଠାରେ ପିଲାଙ୍କୁ ପଢେଇବାକୁ ଲାଗିଲି। ସେଠାରୁ ଯେଉଁ ସ୍ବଳ୍ପ ଦରମା ପାଉଥିଲି ସେଥିରେ ମା’ବାପାଙ୍କ ପାଇଁ ଲୁଗା ଖଣ୍ଡେ କି ଧୋତି ଖଣ୍ଡେ କିଣି ଆଣିଲେ ସମୟ ଅସମୟରେ ଘରକୁ ଆସୁଥିବା ଅତିଥିଙ୍କ ମାନ ମର୍ଯ୍ୟାଦାରେ ତାହା ଲାଗିଯାଉଥିଲା। ମୁଁ କିଛି କହିବା ଆଗରୁ ଗେଲରେ ସେମାନେ ମୋ ମୁଣ୍ଡକୁ ଏପରି ଆଉଁଶି ଦେଉଥିଲେ ଯେ, ସେଥିରେ ତାଙ୍କର ଖୁସି କେତେ ବାରି ହୋଇପଡୁଥିଲା। ହେଲେ ଆଜି ଆଉ ସେମାନେ ନାହାନ୍ତି। ଇଚ୍ଛା ଥିଲା ମୋ ରୋଜଗାରରେ ମା’ପାଇଁ ସୁନାମୁଦିଟିଏ କିଣିବାକୁ କିନ୍ତୁ କରିପାରିଲି ନାହିଁ। ସେ ହଠାତ୍ ଚାଲିଗଲେ। ମୋ ଇଚ୍ଛା ଇଚ୍ଛାରେ ହିଁ ରହିଗଲା। ବାପା ବି ଅତି ସାଦାସିଧା ଗାନ୍ଧିବାଦୀ ମଣିଷ ଥିଲେ। ଧଳା ଶାର୍ଟ, ଖାକି ପ୍ୟାଣ୍ଟରେ ସାରା ଜୀବନ ବିତେଇଥିଲେ। ତେବେ ପିଲାଦିନରୁ ମା’ବାପା ଥିବା ଯାଏ ଯେତେ ସବୁ କଥା ମନେପଡିଲେ ଲାଗେ କୌଣସି କ୍ଷେତ୍ରରେ ଆଖିଦୃଶିଆ ପରି ଅଧିକା ନ ପାଇ ବି ମୋ ମା’ବାପାଙ୍କୁ ଯେଉଁ ଖୁସି ଦେଇଛି, ଯେଉଁ ଶାନ୍ତି ଦେଇଛି ସେତିକି ହିଁ ବୋଧେ ଆଶୀର୍ବାଦର କବଚ ହୋଇ ମୋତେ ପ୍ରତି ମୁହୂର୍ତ୍ତରେ ରକ୍ଷା କରୁଛି।
-ଅମ୍ବ୍ରିତା