Categories: ଫୁରସତ

ରୋଜଗାର ଟଙ୍କାରେ ଋଣ ପରିଶୋଧ କରିଥିଲି

ସବୁ ପ୍ରଥମର ପ୍ରାଥମିକତା ଜିଇଥିବା ଯାଏ ନିଜ ବାସ୍ନାରେ ବିଭୋର କରୁଥାଏ ସଭିଙ୍କୁ। ଯେମିତି ଅମରତ୍ୱ ଲଭେ ପ୍ରଥମ ପ୍ରେମ।, ଶିହରଣ ସବୁବେଳେ ବୁଣି ଦେଉଥାଏ ପ୍ରଥମକରି ବାପାଙ୍କ କୋଳରେ ବସି ଖଡ଼ି ଛୁଇଁବା, ଘରୁ ଲୁଚିକରି ସାଙ୍ଗମାନଙ୍କ ସହିତ ପୋଖରୀରେ ବୁଡ଼ି ବୁଡ଼ି ଆଖି ନାଲି ପକେଇ, ବୋଉ ପଛେ ପଛେ ଲୁଚିକରି ବାପାଙ୍କ ମାଡ଼ରୁ ନିସ୍ତାର ପାଇବା, ପିଲାଦିନର ମନେଥିବା ସବୁ ପ୍ରଥମ ମାନଙ୍କର ସ୍ମୃତି। ହୃଦୟର କୋଉଠି ନା କୋଉଠି ପ୍ରାଣପ୍ରିୟା ପ୍ରଣୟିନୀର ପ୍ରଥମ ଛୁଆଁ ପରି ମଜବୁତ୍‌ ଜାଗାଟିଏ ମାଡି ବସିଥାଏ ଜୀବନରେ ପ୍ରଥମ ରୋଜଗାରର ପ୍ରଥମ ସ୍ମୃତି।
ସବୁ ମା’ବାପାଙ୍କର ସ୍ବପ୍ନ ଥାଏ ପୁଅଟିଏ ହେଉ ଭଲ ରୋଜଗାର କରୁ, ପାଞ୍ଚଜଣରେ ଜଣେ ହୋଇ ବଂଶ ମର୍ଯ୍ୟାଦା ବଢ଼ାଉ। ତେଣୁ ନିଜେ ନ ଖାଇ ପିଲାମାନଙ୍କୁ ଖୁଆଇ, ନିଜେ ଅନେକ ରାତି ନ ଶୋଇ ପିଲାଙ୍କ ଆବଶ୍ୟକତା ପୂରଣ କରିବାରେ ସ୍ବପ୍ନ ଦେଖିଚାଲନ୍ତି ମା’ବାପା। ଏସବୁ ମୁଁ ଏବେ ବୁଝୁଛି ବାପା ହେବାପରେ। କିନ୍ତୁ ପ୍ରତ୍ୟେକ ବ୍ୟକ୍ତିର ନିଜର ବି କିଛି ସ୍ବପ୍ନ ଥାଏ; ଯାହାର ଆଧାରରେ ସେ ଅହରହ ସଜାଡ଼ି ଚାଲୁଥାଏ ନିଜକୁ। ଗୋଟିଏ ପରିପୂର୍ଣ୍ଣ ଜୀବନ ଜିଇବାର ଲୋଭ କାହାର ବା ନ ଥାଏ ଯେ ମୁଁ ସେଥିରୁ ବାଦ୍‌ ପଡ଼ିଥାନ୍ତି? ମୁଁ ବି ଦେଖିଥିଲି ସେଇମିତି କିଛି ଯୁବସୁଲଭ ସ୍ବପ୍ନ। ଅନେକ ଢଙ୍ଗରେ ନିଜକୁ ସଜାଡ଼ିଛି, ଗଢ଼ିବାକୁ ଚେଷ୍ଟା କରିଛି ନିଜକୁ ଆଖିଦେଖା ଆଦର୍ଶମାନଙ୍କ ପରି। ଭିତରୁ ଭିତରୁ ଭାଙ୍ଗିଛି ଯେତିକି ସେତିକି ଅଣ୍ଟା ସଳଖିବାରେ ଚେଷ୍ଟା କରିଛି।
କୁହାଯାଏ, ଯୁବ ଦାରିଦ୍ର୍ୟ ହିଁ ବାଟ ଓଗାଳେ ସବୁ ଯୁବସୁଲଭ ଗୁଣମାନଙ୍କର। ଗୋଟେ ଯୁ ନ ଥିବା ବକ ପରି ଜୀବନ ବିତାନ୍ତି ମୋ ପରି ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମିତ ଯୁବକମାନେ। ଅନେକ ପ୍ରଚେଷ୍ଟାର ଅନ୍ତ ଘଟାଇ ପ୍ରଥମ ରୋଜଗାର… ଓଃ… ଗୋଟେ ସ୍ବର୍ଗୀୟ ଆନନ୍ଦ ହିଁ ଦେଇଥାଏ। ଯେମିତି ମୁଁ ପଢ଼ାପଢ଼ି କରି ଚାକିରିଟିଏ ଖୋଜୁଥିଲାବେଳେ ୨୦୦୧ ମସିହାରେ ଶିକ୍ଷା ସହାୟକ ଭାବେ ନିଯୁକ୍ତି ପାଇଲି ଘରଠୁ ପ୍ରାୟ ୭୦ କି.ମି ଦୂରରେ ଚାରିପଟେ ଜଳବେଷ୍ଟିତ ଗୋଟେ ନିପଟ ମଫସଲ ଗାଁରେ, ମାତ୍ର ୧୫୦୦ ଟଙ୍କା ପାରିତୋଷିକରେ(ଯାହାକୁ ଦରମା କହିହେବ ନାହିଁ)। ଦୀର୍ଘ ୧୮ ମାସ ବିଦ୍ୟାଳୟରେ ଶିକ୍ଷାଦାନ କଲାପରେ ମୋତେ ବାରମାସର ମୋଟ ୧୮,୦୦୦ ଟଙ୍କା ମିଳିଥିଲା। ଖୁସିର ସୀମା ନ ଥିଲା, ଯେଉଁଦିନ ମୋ ରୋଜଗାରରେ ଘର ପାଇଁ କିଛି କରିବାର ସୁଯୋଗ ମୋତେ ମିଳିଥିଲା। ସତ କହିବାକୁ ଗଲେ ମାସିକ ୧୫୦୦ ଟଙ୍କାର ମୂଲ୍ୟ ବା କେତେ? ମୋତେ କିନ୍ତୁ ସେତିକି ଟଙ୍କା ମୁକ୍ତି ଦେଇଥିଲା ବେରୋଜଗାରି ପଣରୁ। ସେ ଟଙ୍କାରେ ନା ନିଜ ପାଇଁ ଶାର୍ଟ ଖଣ୍ଡେ କିଣିଥିଲି ନା ବାପା ବୋଉଙ୍କ ପାଇଁ କିଛି କିଣିଥିଲି। ବରଂ ସେ ଟଙ୍କାରେ ବେକାର ଥିବା ସମୟରେ ଗାଈ କିଣିବା ପାଇଁ ବ୍ୟାଙ୍କରୁ କରିଥିବା ଋଣକୁ ପରିଶୋଧ କରିଥିଲି।
ତେଣୁ ମୋ ପ୍ରଥମ ରୋଜଗାର ମୋତେ ଋଣମୁକ୍ତ କରିବା ସହିତ ରୋଜଗାରକ୍ଷମ କରିଥିବାରୁ ତାହା ମୋତେ ଯେତିକି ପୁଲକ ଦେଇଛି ତା’ଠୁ ଅଧିକ ସ୍ବାଭିମାନର ସହ ବଞ୍ଚତ୍ବାକୁ ଆତ୍ମମନସ୍କ କରିଛି।

Share