କେନ୍ଦୁଝର ଜିଲା ତେଲକୋଇ ନିକଟସ୍ଥ ନୂଆଗାଁରେ ମୋର ଜନ୍ମ। ଉତ୍କଳ ବିଶ୍ୱବିଦ୍ୟାଳୟରେ ଇତିହାସରେ ଏମ୍.ଏ ପଢିବା ସମୟରେ ରେଳବାଇ ବିଭାଗରେ ଜୁନିୟର୍ କ୍ଲର୍କ ପାଇଁ ଇଣ୍ଟରଭ୍ୟୁ ଦେଇଥିଲି। ସେଥିରେ କୃତକାର୍ଯ୍ୟ ହେବାରୁ ୧୯୮୯ରେ ଚାକିରିରେ ଯୋଗଦେଲି। ପ୍ରଥମ ମାସ ୧୩୫୦ ଟଙ୍କା ଦରମା ମିଳିଲା; ଯେଉଁଥିରୁ ୫୦୦ଟଙ୍କା ଘରକୁ ପଠାଇଥିଲି। ତା’ପରେ କିଛି ଟଙ୍କାରେ ନିଜ ପାଇଁ ନୂଆ ଡ୍ରେସ୍ କିଣିଲି। ବଳିଥିବା ୩୦୦ ଟଙ୍କାକୁ ସଞ୍ଚୟ କରିଥିଲି ହାର୍ମୋନିୟମ୍ କିଣିବାକୁ। ପ୍ରାୟ ୬ ବର୍ଷ ଜୁନିୟର୍ କ୍ଲର୍କ ଭାବେ କାମ କରିବା ଭିତରେ ଇତିହାସରେ ଏମ୍.ଏ ସାଙ୍ଗକୁ ଏଲ୍.ଏଲ୍.ବି ପଢା ସାରି ଦେଇଥିଲି। ତା’ପରେ ଓ.ଏ.ଏସ୍ ପରୀକ୍ଷା ଦେଇ ସେଥିରେ ମଧ୍ୟ କୃତକାର୍ଯ୍ୟ ହେବାରୁ ୧୯୯୬ ମସିହା ଜୁଲାଇ ୧ରୁ ଗୋପବନ୍ଧୁ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେଶନରେ ପାଖାପାଖି ୧୮ ମାସ ଟ୍ରେନିଂ ନେଲି। ଟ୍ରେନ୍ିଂ ସରିବା ପରେ ବଲାଙ୍ଗୀର କଲେକ୍ଟରେଟ୍ ଅଫିସ୍ରେ ଅଫିସର୍ସ ଇନ୍ଚାର୍ଚ୍ଚ (ଯାହାକୁ ଏବେ ଡେପୁଟି କଲେକ୍ଟର କୁହାଯାଉଛି)ଭାବେ ମୋତେ ନିଯୁକ୍ତି ମିଳିଲା। ୨/୩ ବର୍ଷ ସେଠାରେ କାମ କରିବା ପରେ ଜଗତସିଂହପୁରକୁ ଆଡିସନାଲ୍ ତହସିଲଦାର୍ ଭାବେ ମୋର ବଦଳି ହେଲା। ତା’ପରେ ତହସିଲ୍ଦାର୍ ଭାବେ ବି ସେଠାରେ ଦାୟିତ୍ୱ ନେଲି। ଏହାପରେ ବିଡିଓ ଭାବେ ବ୍ରହ୍ମଗିରି, ଜଗତ୍ସିଂହପୁର ଏବଂ ମୟୂରଭଞ୍ଜ ଜିଲାର ଶୁକୃଳିରେ କିଛିକିଛି ଦିନ ଦାୟିତ୍ୱରେ ରହିବା ପରେ ସବ୍-କଲେକ୍ଟର ହୋଇ ତିତିଲାଗଡ଼ ଗଲି। ତିତିଲାଗଡ଼ ସମେତ ଆଠମଲ୍ଲିକ ଓ ବାରିପଦାରେ ବି ସବ୍-କଲେକ୍ଟର ଭାବେ କିଛିକିଛି ଦିନ କାମ କଲି। ତା’ପରେ ମୟୂରଭଞ୍ଜରେ ଆଡିସନାଲ୍ ପ୍ରୋଜେକ୍ଟ ଡାଇରେକ୍ଟର, ଆଡମିନିଷ୍ଟ୍ରେଶନ୍, ଡିଆର୍ଡିଏରେ କିଛିଦିନ, ରେଢାଖୋଲରେ ପୁଣି ସବ୍-କଲେକ୍ଟର ଏବଂ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ଯୁଗ୍ମ ସଚିବ ଭାବେ କିଛିଦିନ ଦାୟିତ୍ୱରେ ରହିଲି। ଆଉ ଏବେ ମୁଁ ଓଡ଼ିଶା ରାଜ୍ୟ ପରିବହନ ନିଗମରେ ସାଧାରଣ ପରିଚାଳକ ପ୍ରଶାସନ ଭାବେ କାର୍ଯ୍ୟରତ ଅଛି। ଅବଶ୍ୟ ତା’ରି ଭିତରେ ସମୟ ବାହାର କରି ଓଡ଼ିଆରେ ଏମ୍.ଏ କରିଛି। କେବଳ ସେତିକି ନୁହେଁ ସାହିତ୍ୟ ପ୍ରତି ରୁଚି ଥିବାରୁ ଅନେକ ଲେଖା ବି ଲେଖିଛି; ଯାହାକୁ ଆଧାର କରି ୟା’ଭିତରେ ତିନୋଟି ପୁସ୍ତକ ମୋର ପ୍ରକାଶିତ ହୋଇସାରିଲାଣି, ଯଥା: ‘ଗୀତ ଲହରୀ’, ‘ମା’କିଚକେଶ୍ୱରୀ ମହିମା’, ‘ସତରଞ୍ଜ ବୁଦ୍ଧିର ବିକାଶ’। ଖୁବ୍ଶୀଘ୍ର ‘ସତରଞ୍ଜ ବୁଦ୍ଧିର ବିକାଶ’ପୁସ୍ତକର ଇଂରାଜୀ ଅନୁବାଦ ପୁସ୍ତକ; ଯାହାର ନାଁ ହେଉଛି ‘ଚେସ୍ ଡେଭଲପ୍ମେଣ୍ଟ ଅଫ୍ ବ୍ରେନ୍’ ପ୍ରକାଶିତ ହେବାକୁ ଯାଉଛି। ତା’ଛଡ଼ା ଗୀତ ବୋଲିବାରେ ବି ମୋର ଖୁବ୍ ରୁଚି ରହିଛି। ବିଶେଷକରି ଭଜନ ଓ ଜଣାଣ ମୁଁ ବୋଲେ। ସେଥିପାଇଁ ଅଲ୍ ଇଣ୍ଡିଆ ରେଡ଼ିଓର ସ୍ବୀକୃତିପ୍ରାପ୍ତ କଣ୍ଠଶିଳ୍ପୀ ଭାବେ ଭିନ୍ନ ଏକ ପରିଚୟ ବି ମୋର ରହିଛି। ଏହାଛଡ଼ା ‘ଅପହଞ୍ଚ ଇଲାକା’ ନାମରେ ମୋର ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ମଧ୍ୟ ଅଛି; ଯେଉଁଥିରେ ମୁଖ୍ୟତଃ ସଙ୍ଗୀତ ଓ ଚେସ୍ ଖେଳ ବିଷୟରେ ଆଲୋକପାତ କରାଯାଇଥାଏ।