ସୋନୁ ସୁଦଙ୍କ ଘରେ ଆଇଟି ଚଢ଼ାଉ

ନୂଆଦିଲ୍ଲୀ,୧୫।୯: ବଲିଉଡ୍‌ ଅଭିନେତା ସୋନୁ ସୁଦଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଓ ତାଙ୍କ ଲିଙ୍କ୍‌ରେ ଥିବା ଲକ୍ଷ୍ନୌର ଏକ କମ୍ପାନୀ ଉପରେ ବୁଧବାର ଆୟକର ବିଭାଗ (ଆଇଟି) ଚଢ଼ାଉ କରିଛି। ନିକଟରେ ସୋନୁଙ୍କ କମ୍ପାନୀ ଓ ଲକ୍ଷ୍ନୌସ୍ଥିତ ରିଅଲ ଇଷ୍ଟେଟ୍‌ ଫାର୍ମ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷର ହୋଇଥିଲା। ଏହି ଚୁକ୍ତିରେ ଟିକସ୍‌ ଠକେଇ ହୋଇଥିବା ଅଭିଯୋଗ ହେବା ପରେ ଚଢ଼ାଉ କରାଯାଇଥିବା ଆୟକର ବିଭାଗ ସୂତ୍ରରୁ ଜଣାପଡ଼ିଛି।

ବଲିଉଡ୍‌ର ଜଣାଶୁଣା ଅଭିନେତା ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସହ ଏକ ହାଇପ୍ରୋଫାଇଲ୍‌ ବୈଠକରେ ଯୋଗଦେଇଥିଲେ। ରାଜଧାନୀରେ ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ଏଏପି ସରକାରଙ୍କ ପକ୍ଷରୁ କରାଯାଇଥିବା ମେଣ୍ଟରଶିପ୍‌ ଯୋଜନାର ଆମ୍ବାସାଡର ଭାବେ ସୋନୁଙ୍କ ନାମ ଘୋଷଣା କରାଯାଇଥିଲା। ଏହି ବୈଠକ ପରେ ରାଜନୀତି କ୍ଷେତ୍ରରେ ପଦାର୍ପଣ କରିବାକୁ କୌଣସି ଯୋଜନା ନ ଥିବା ସୋନୁ ସ୍ପଷ୍ଟ କରିଥିଲେ। କିନ୍ତୁ କେଜରିଓ୍ବାଲଙ୍କ ସହ ବୈଠକ ପରେ ସୋନୁଙ୍କ ଘରେ ଆଇଟି ଚଢ଼ାଉକୁ ସମାଲୋଚନା କରିଛନ୍ତି ପ୍ରମୁଖ ବିରୋଧୀ ଦଳ।

 

Share