Advertisement

ମୁଁ ଭାଜପାରେ ଥିଲି, ଅଛି ଆଉ ରହିବି: ହିମାଂଶୁ ଶେଖର

ଧର୍ମଶାଳା,୫।୪: ସାରା ରାଜ୍ୟରେ ପଦ୍ମର ଲହର ଥିବା ବେଳେ ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଜଣେ ସ୍ବାଧୀନ ପ୍ରାର୍ଥୀ ବାଜିମାତ କରିଥିଲେ। ଉଭୟ ବିଜେଡି ଏବଂ ଭାଜପାର ଛାମୁଆ ନେତାଙ୍କୁ ସେ ପଛରେ ପକାଇ ନିର୍ବାଚନ ଜିତିଥିଲେ। ୨୯ ବର୍ଷ ଧରି ବିଜେଡି ଗଡ଼ ଭାବେ ପରିଚିତ ଥିବା ଏହି ଆସନରେ ବିଧାୟକ ପ୍ରାର୍ଥୀ ହିଂମାଶୁ ଶେଖର ସାହୁ ୪ହଜାରରୁ ଅଧିକ ଭୋଟରେ ବିଜେତା ହୋଇଥିଲେ। ତେବେ ହିମାଂଶୁ ନିର୍ବାଚନ ଆରମ୍ଭରୁ ଭାଜପାରୁ ଟିକେଟ ଆଶାୟୀ ଥିଲେ। ହେଲେ ଦଳ ତାଙ୍କୁ ଟିକେଟ ନ ଦେଇ ସ୍ମୃତିରେଖା ପହିଙ୍କୁ ଦେଇଥିଲା। ଏନେଇ ହିମାଂଶୁଙ୍କ ପ୍ରଶଂସକ ଭାଜପା କାର୍ଯ୍ୟାଳୟରେ ଅହୋରାତ୍ର ଧାରଣା ଦେଇଥିଲେ। ଶେଷରେ ହିମାଂଶୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବା ପରେ ଲୋକଙ୍କ ସମର୍ଥନରେ ବିଜେତା ମୁକୁଟ ପିନ୍ଧିଛନ୍ତି। ଏହାପରେ ପୁଣି ଥରେ ସେ ଭାଜପାକୁ ଫେରିଥିବା ଜଣାପଡ଼ିଛି।
ଏନେଇ ପ୍ରତିକ୍ରିୟା ରଖି ହିମାଂଶୁ କହିଛନ୍ତି, ମୁଁ ଭାଜପାରେ ଥିଲି, ଅଛି, ରହିବି। ନିର୍ବାଚନରେ ଭାଜପା ଦଳ ପାଇଁ ୩ରୁ ୪ ବର୍ଷ ଧରି କାମ କରି ଆସୁଥିବା ସ୍ମୃତିରେଖାଙ୍କୁ ଟିକେଟ ଦେଇଥିଲା। ଯେହେତୁ ଦଳ ପାଇଁ ସେ କାମ କରୁଥିଲେ ତେଣୁ ତାଙ୍କୁ ବାଦ୍‌ ଦେବା ଠିକ୍‌ ହେବ ନାହିଁ ବୋଲି ଦଳ ପକ୍ଷରୁ ମୋତେ କୁହାଯାଇଥିଲା। ହେଲେ ଭାଜପା ମୋତେ ସମର୍ଥନ କରି ଆସୁଥିଲା।
ଏହାଛଡ଼ା ଧର୍ମଶାଳାରେ ସ୍ବାଧୀନ ଭାବେ ଲଢ଼ିବାକୁ ନେଇ ସେ କହିଛନ୍ତି, ସେଠାରେ ମାଫିଆଙ୍କ ସହ ଲଢ଼ୁଥିଲି। ନିର୍ବାଚନ ସମୟରୁ ଏଯାବତ ମୋ ନାମରେ ୪୦ରୁ ୫୦ ମାମଲା ରୁଜୁ ହୋଇଛି। ମୋର ଅନେକ ସମର୍ଥକ ଜେଲରେ ଅଛନ୍ତି। ତେବେ ନିର୍ବାଚନରେ ଧର୍ମଶାଳା ସ୍ବାଧୀନ ପାଇଁ ଆମେ ସମସ୍ତେ ଲଢ଼ିଲୁ, ଧର୍ମର ଲଢ଼େଇ ହୋଇଥିଲା, ଧର୍ମର ଜୟ ହୋଇଛି।
ସେହିଭଳି ଧର୍ମେନ୍ଦ୍ରଙ୍କ ସହ ଭେଟକୁ ନେଇ ସେ କହିଛନ୍ତି, ଦଳରୁ ଇସ୍ତଫା ଦେଇ ଲଢ଼ିବାକୁ ପଡ଼ିଥିଲା। କାରଣ ଦୁଇଜଣ ଏକାସାଙ୍ଗରେ ଛିଡ଼ା ହୋଇ ପାରିବେ ନାହିଁ। ଦଳ କେବେ ମୋତେ ନିଲମ୍ବିତ କରି ନ ଥିଲା। ମୋତେ ବିଜୟ ପରେ ଡାକରା ଆସିଥିଲା। ମୁଁ ଭେଟିବାକୁ ଆସିଥିଲି। ଦଳ ସହ ମିଶି ରାଜ୍ୟର ଉନ୍ନତି ପାଇଁ କାମ କରିବି ବୋଲି ସେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share