ମୁଁ ଆପଣଙ୍କୁ ଭୋଟ ଦେଇଛି, ଏବେ ମୋ’ ପାଇଁ କନ୍ୟାଟିଏ ଖୋଜି ଦିଅନ୍ତୁ; ବିଧାୟକଙ୍କୁ ପେଟ୍ରୋଲ ପମ୍ପ କର୍ମଚାରୀ କଲେ ଅପିଲ୍‌…

ଲକ୍ଷ୍ନୌ,୧୮।୧୦: ମୁଁ ଆପଣଙ୍କୁ ଭୋଟ ଦେଇଛି, ଏବେ ମୋ ପାଇଁ ବଧୂଟିଏ ଖୋଜି ଦିଅନ୍ତୁ। ଏହା ହେଉଛି ଜଣେ ବିଧାୟକଙ୍କୁ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଅପିଲ। ନିର୍ବାଚନରେ ବିଧାୟକଙ୍କୁ ସମର୍ଥନ କରିଥିବା ଯୋଗୁ ଏବେ ସେ ମଧ୍ୟ ତାଙ୍କୁ ବ୍ୟକ୍ତିଗତ ଜୀବନରେ ସେଭଳି ସମର୍ଥନ ଦେବାକୁ କର୍ମଚାରୀଜଣଙ୍କ କହିଥିଲେ। ଏହି ଘଟଣାର ଭିଡିଓ ଏବେ ଭାଇରାଲ ହେଉଛି।

ଘଟଣାଟି ଉତ୍ତରପ୍ରଦେଶର। ଚରଖାରୀର ବିଧାୟକ ବ୍ରିଜଭୂଷଣ ରାଜପୁତଙ୍କ ଗାଡ଼ି ପେଟ୍ରୋଲ ପମ୍ପରେ ତେଲ ଭରିବାକୁ ଯାଇଥିଲେ। ସେଠାରେ କାର୍ଯ୍ୟରତ ଜଣେ ୪୩ ବର୍ଷୀୟ କର୍ମଚାରୀ ତାଙ୍କ ନିକଟକୁ ଆସିଥିଲେ। ପରେ ସେ ଅବିବାହିତ ଥିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ବିଧାୟକ ନିଜର ଫେସବୁକ୍‌ରେ ଶେୟାର କରିଥିବା ଭିଡିଓ ଅନୁଯାୟୀ ପେଟ୍ରୋଲ ପମ୍ପ କର୍ମଚାରୀ କହିଥିଲେ ଯେ, ମୁଁ କରଓ୍ବାଚୌଥ ଦିନ ଜନ୍ମ ହୋଇଛି, ହେଲେ ମୋ’ ପାଇଁ ଓଷା କରିବାକୁ କେହି ନାହାନ୍ତି। ଏହା ଶୁଣି ବ୍ରିଜଭୂଷଣ ତାଙ୍କୁ ପଚାରିଥିଲେ, ଆପଣ ମୋତେ ସେକଥା କହିବାକୁ କାହିଁକି ଭାବିଲେ? ଜବାବରେ କର୍ମଚାରୀ ଅଖିଳେନ୍ଦ୍ର ଖରେ କହିଥିଲେ ଯେ, କାରଣ ମୁଁ ଆପଣଙ୍କୁ ଭୋଟ ଦେଇଛି। ଏହା ଶୁଣି ବିଧାୟକ ହସିଥିଲେ। ଏପରିକି ତାଙ୍କ ବିବାହ କରାଇବାକୁ ଚେଷ୍ଟା କରିବେ ବୋଲି କହିଥିଲେ। ଏବେ ଏହି ଭିଡିଓ ବେଶ ଭାଇରାଲ ହେଉଛି।
ଦେଖନ୍ତୁ ଭିଡିଓ:

Share