‘ମୁଁ ବଞ୍ଚିବାକୁ ଚାହେଁ, ଏହା ମୋର ଶେଷ ଇଚ୍ଛା’

କଟକ ଅଫିସ, ୮ା୬: କେନ୍ଦ୍ରାପଡା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ପୁଣି ଏକ ଭିଡିଓ ନିଜର ୟ୍ୟୁଟୁବ୍‌ ଚ୍ୟାନେଲରେ ଅପ୍‌ଲୋଡ କରିଛନ୍ତି। କୋର୍ଟଙ୍କ ବାରଣ ସତ୍ତ୍ୱେ ସେ ଏହି ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ଅନୁଭବ ଫ୍ୟାନ୍ସମାନଙ୍କୁ ନିଜେ ରହୁଥିବା ରୁମ୍‌ ବୁଲି ଦେଖାଇବା ସହ ତାଙ୍କ ଜୀବନଶୈଳୀ ସମ୍ପର୍କରେ କହିଛନ୍ତି। ଏଥିସହ ସେ ପରିବାର ଲୋକଙ୍କ ସହିତ ବିତାଇଥିବା ଖୁସିର ମୁହୂର୍ତ୍ତ ସମ୍ପର୍କରେ ଜଣାଇଛନ୍ତି। କାହାର ଭାବନା ସହ ନ ଖେଳିବାକୁ ସେ ଭିଡିଓରେ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ମୁଁ ବହୁତ ବୋଝ ନେଲିଣି। ମୋତେ ମାରି ସାରିଲଣି। ଆଉ ମରିବା ପାଇଁ ଭୟ ନାହିଁ। ସମସ୍ତଙ୍କ ପରି ମୋର ବି ଶେଷ ଇଚ୍ଛା ଅଛି। ମୁଁ ବଞ୍ଚିବାକୁ ଚାହେଁ। ଆଶା କରୁଛି ମୋର ଏହି ଶେଷ ଇଚ୍ଛା ପୂରଣ ହେବ। ଏହାପରେ ମୁଁ ଆଉ କିଛି କହିପାରିବିନି। ଯାହା ବି ସମସ୍ୟା ଆସିବ ସେସବୁର ସାମ୍ନା କରିବା ପାଇଁ ମୁଁ ପ୍ରସ୍ତୁତ ଅଛି। ଆଇନକୁ ମୁଁ ବିଶ୍ୱାସ କରେ। ମୁଁ ଏବଂ ମୋ ପରିବାର ପୁଣି ଥରେ ନୂଆ ସୂର୍ଯ୍ୟୋଦୟ ଦେଖିବ ବୋଲି ଆଶା କରୁଛି। ଏହି ଭିଡିଓରେ ଅନୁଭବ କାହାରି ନଁା ନେଇ ନ ଥିଲେ ମଧ୍ୟ ନିଜ ଅସହାୟତା ଓ କ୍ଷୋଭ ପ୍ରକାଶ କରିଥିଲେ ା
ସୂଚନାଯୋଗ୍ୟ, ଅଭିନେତା ଅନୁଭବ ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦ ମାମଲା କୋର୍ଟରେ ବିଚାରାଧୀନ ରହିଛି। କିଛିଦିନ ତଳେ ଅନୁଭବ ସୋସିଆଲ ମିଡିଆରେ ବର୍ଷାଙ୍କ ବିରୋଧରେ କିଛି ଆପତ୍ତିଜନକ ମନ୍ତବ୍ୟ ପୋଷ୍ଟ କରିଥିଲେ। ଏହାକୁ ନେଇ ବର୍ଷା କଟକ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ। କୋର୍ଟରେ ଏ ନେଇ ଏତଲା ଦାଏର ହୋଇଥିଲା। କୋର୍ଟ ଏହାର ଶୁଣାଣି କରି ବର୍ଷା ଓ ଅନୁଭବ କେହି କାହା ବିରୋଧରେ ସୋସିଆଲ ମିଡିଆରେ ମନ୍ତବ୍ୟ ନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

Share