Categories: ଜାତୀୟ

ମୁଁ ଚେତାବନୀ ଦେଇଥିଲି, ମାତ୍ର ସେ ମଜା ଉଡ଼ାଇଥିଲେ: ରାହୁଲ

ନୂଆଦିଲ୍ଲୀ,୨।୫: ଦେଶରେ କରୋନା ସଂକ୍ରମଣ ବଢୁଥିବା ନେଇ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ ଚେତାବନୀ ଦେଇଥିଲେ। ମାତ୍ର ସେ ଏହାର ମଜା ଉଡ଼ାଇଥିଲେ ବୋଲି ଏକ ସାକ୍ଷାତକାରରେ ରାହୁଲ କହିଛନ୍ତି। ସେ କହିଛନ୍ତି, ମୋଦି ସରକାର ବୈଜ୍ଞାନିକମାନଙ୍କ ଚେତାବନୀକୁ ହେୟଜ୍ଞାନ କରିଛନ୍ତି।

ରାହୁଲ କହିଛନ୍ତି, ଭାରତରେ ଯେଉଁଭଳି କରୋନା ନିଜର ପ୍ରକୋପ ଦେଖାଇଛି ଏଥିରେ ସାରା ଦୁନିଆ ଆଶ୍ଚର୍ଯ୍ୟ ହୋଇଛି। ଦେଶରେ କେଉଁଠି ଅକ୍ସିଜେନ ପାଇଁ ଲାଇନ୍‌ ଲାଗୁଛି ତ ଆଉ କେଉଁଠି ଔଷଧ ପାଇଁ, କେଉଁଠି ବେଡ୍‌ ପାଇଁ ତ ଆଉ କେଉଁଠି ଶବଦାହ ପାଇଁ। ରାହୁଲ ମହାମାରୀକୁ ନେଇ ପ୍ରଥମରୁ ଚେତାବନୀ ଦେଇଥିଲେ କିନ୍ତୁ ସରକାର ଏହାକୁ ଏଡ଼ାଇ ଦେଇଥଲେ।

କରୋନାର ଦ୍ୱିତୀୟ ଲହରକୁ ନେଇ ରାହୁଲ କହିଥିଲେ, ଏହା ଲହଡ଼ି ନୁହେଁ; ଏହା ସୁନାମୀ। ସେ କହିଛନ୍ତି, କରୋନା ସହ ମୁକାବିଲା କରିବା ପାଇଁ ଆମ ପାଖରେ ପ୍ରତ୍ୟେକ ଜିନିଷର ଅଭାବ ରହିଛି। ରାଜଧାନୀର ସବୁଠୁ ଭଲ ହସ୍ପିଟାଲରେ ବେଡ୍‌ ପୂରଣ ହୋଇସାରିଲାଣି। ଦେଶରେ ଡାକ୍ତରମାନେ ଅକ୍ସିଜେନ ଦେବାକୁ ଦାବି କରୁଛନ୍ତି। ଆମର ସ୍ବାସ୍ଥ୍ୟକର୍ମୀଙ୍କ ଆଖି ସାମ୍ନାରେ ଶହ ଶହ କରୋନା ରୋଗୀଙ୍କ ମୃତ୍ୟୁ ଘଟୁଛି। ସେମାନେ ରୋଗୀଙ୍କ ଜୀବନ ବଞ୍ଚାଇବାକୁ ଏପ୍ରକାର ଅସମର୍ଥ। ବର୍ତ୍ତମାନ ଭାରତ କରୋନା ଭୂତାଣୁର ପେଣ୍ଠ ପାଲଟିଗଲାଣି। ଭାରତର ଏପରି ଅବସ୍ଥା ଦେଖି ସାରା ଦୁନିଆ ଦୋହଲି ଗଲାଣି।

ସେ କହିଛନ୍ତି, ଏମିତି ହେବ ବୋଲି ଆମେ କେବେ ଚାହୁଁ ନ ଥିଲୁ। ସେଥିପାଇଁ ଅନେକ ଥର ମୁଁ ଚେତାବନୀ ଦେଇଛି। ବୈଜ୍ଞାନିକମାନେ ମଧ୍ୟ ସରକାରଙ୍କୁ ବହୁବାର ଚେତାବନୀ ଦେଇଥିଲେ। ମାତ୍ର ସରକାର ଏହାକୁ ମାନିବାକୁ ନାରାଜ। ଯେଉଁଥିପାଇଁ ଦେଶ ଆଜି ଏମିତି ଏକ ଦୁଃସମୟର ସାମ୍ନା କରୁଛି।

Share