‘ମୁଁ ଆଶା କରି ନ ଥିବା ଘଟଣା ଘଟିଥିଲା’

ମୁମ୍ବାଇ: ନିର୍ଦ୍ଦେଶକ ତଥା ପ୍ରଯୋଜକ କରଣ ଜୋହର ନିଜର ବହୁ ପ୍ରତୀକ୍ଷିତ ଶୋ’ ‘କଫି ଓ୍ବିଥ୍‌ କରନ୍‌ ସିଜନ-୭’କୁ ପୁଣି ଥରେ ଆରମ୍ଭ କରିଛନ୍ତି। ଏହି ସପ୍ତାହରେ ସେ ବଲିଉଡ୍‌ର ଦୁଇ ଜଣାଶୁଣା ଷ୍ଟାର୍‌ଙ୍କ ସହ ଶୋ’ର ସପ୍ତମ ସିଜନ୍‌ ଆରମ୍ଭ କରିଥିଲେ। ‘ରକି ଔର୍‌ ରାନୀ କି ପ୍ରେମ କହାନୀ’ର ଅଭିନେତ୍ରୀ ଆଲିଆ ଭଟ୍ଟ, ସ୍ବାମୀ ରଣବୀର କପୁରଙ୍କ ସହ କରଣ ଜୋହରଙ୍କ ଶୋ’ରେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କଥାବାର୍ତ୍ତା ହୋଇଥିଲେ। ଏହି ସମୟରେ ଆଲିଆ ମଧ୍ୟ ସେହି ଖୁସି ମୁହୂର୍ତ୍ତକୁ ଶେୟାର କରିଥିଲେ। ଯେତେବେଳେ ରଣବୀର କପୁର ତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ରଣବୀର କିପରି ରୋମାଣ୍ଟିକ୍‌ ଢଙ୍ଗରେ ପ୍ରପୋଜ କରିଥିଲେ ସେ ବିଷୟରେ ଆଲିଆ କହିଥିଲେ।

ସେ କହିଛନ୍ତି, ରଣବୀରଙ୍କ ଯୋଜନା ଏପରି ଥିଲା ଯେ, ଯାହା ମୋତେ ଆଶ୍ଚର୍ଯ୍ୟ କରିଥିଲା, କାରଣ ମୁଁ ସେପରି କିଛି ଭାବି ନ ଥିଲି କିମ୍ବା ଆଶା କରି ନ ଥିଲି। ଆଲିଆ ଆହୁରି କହିଛନ୍ତି,ଆମେ ଏ ବିଷୟରେ ମଧ୍ୟ କଥାବାର୍ତ୍ତା କରି ନ ଥିଲୁ। କାରଣ ଯେତେବେଳେ ଆମେ ଏ ବିଷୟରେ କହୁଥିଲୁ, କରୋନା ମହାମାରୀ ଆସିଲା ଏବଂ ବିଳମ୍ବ ହେଲା। ରଣବୀର କହିଛନ୍ତି, କେବଳ ଗୋଟିଏ ରିଙ୍ଗ୍‌ ନେଇ ବିବାହ ପ୍ରସ୍ତାବ ଦେବା ପାଇଁ ଏକ ଆଶ୍ଚର୍ଯ୍ୟଜନକ ସ୍ଥାନକୁ ବାଛିଥିଲେ। ଯେଉଁ ସ୍ଥାନ ପ୍ରତି ଉଭୟଙ୍କର ଦୁର୍ବଳତା ରହିଥିଲା। ସେହି ସ୍ଥାନଟି ଥିଲା ‘ମସାଇ ମାରା ନ୍ୟାଶନାଲ ରିଜର୍ଭ’ ଜଙ୍ଗଲ।

ରଣବୀର ଟ୍ରାଭେଲ ଗାଇଡ୍‌ଙ୍କୁ ଫଟୋଗ୍ରାଫର କରିଥିଲେ। ଆଲିଆ ଏହା ମଧ୍ୟ କହିଛନ୍ତି କି ରଣବୀର କିପରି ଟ୍ରାଭେଲ ଗାଇଡ୍‌ଙ୍କୁ କ୍ୟାମେରାରେ ତାଙ୍କର ବିଶେଷ ମୁହୂର୍ତ୍ତ କ୍ୟାପଚର କରିବାକୁ କହିଥିଲେ, ଯାହା ତାଙ୍କୁ ଅଧିକ ଆଶ୍ଚର୍ଯ୍ୟ କରିଥିଲା। ସବୁକିଛି ସରିବା ପରେ ମୋତେ ଏକ ସ୍ବପ୍ନ ପରି ଲାଗିଥିଲା। ଯେଉଁଥିପାଇଁ ମୁଁ ବହୁତ ଭାବପ୍ରବଣ ହୋଇଯାଇଥିଲି ବୋଲି ଆଲିଆ କହିଥିଲେ।

Share