ଖୋର୍ଦ୍ଧା ଜିଲା ଅନ୍ତର୍ଗତ କୁହୁଡ଼ିଠାରେ ମୋ ଜନ୍ମ। ଜନତା ଉଚ୍ଚ ବିଦ୍ୟାଳୟରୁ ୧୯୭୮ ମସିହାରେ ମାଟ୍ରିକ୍ ପାସ୍ କରିବା ପରେ ରାଉରକେଲାରେ ବାଣିଜ୍ୟ ବିଭାଗରେ ଇଣ୍ଟରମିଡିଏଟ୍ ପଢିଥିଲି। ତା’ପରେ ଖୋର୍ଦ୍ଧା ପ୍ରାଣନାଥ କଲେଜରେ ଗ୍ରାଜୁଏସନ୍ ଶେଷ କଲି। ଇଚ୍ଛା ଥିଲା ସାମ୍ବାଦିକତା କିମ୍ବା ରାଜନୀତି କ୍ଷେତ୍ରରେ କ୍ୟାରିୟର୍ କରିବାକୁ। ସେଥିପାଇଁ ମୁଁ ଓ ମୋ ବଡ଼ ଭାଇ ମିଶି ୧୯୮୫ ମସିହାରେ ‘କ୍ୟାପିଟାଲ୍ ଖବର’ ନାମରେ ଏକ ସାପ୍ତାହିକ ଖବରକାଗଜ ପ୍ରକାଶ କଲୁ। ଏଥିରେ ମୁଖ୍ୟତଃ ବିଭିନ୍ନ ପ୍ରକାର ଇନ୍ଭେଷ୍ଟିଗେଟିଭ୍ ନ୍ୟୁଜ୍ ପ୍ରକାଶ ପାଉଥିଲା, ଯାହାକୁ ପାଠକମାନେ ଖୁବ୍ ପସନ୍ଦ ମଧ୍ୟ କରୁଥିଲେ। କିନ୍ତୁ ଏଥିରେ ଖର୍ଚ୍ଚ ଅଧିକ ହେଉଥିବାରୁ, ଆମ ପକ୍ଷେ ତାକୁ ଚଳାଇବା ଭାରି କଷ୍ଟ ହେଲା। ଅବଶ୍ୟ ସେତେବେଳେ କେତେଜଣ ଏହି ଖବରକାଗଜଟିକୁ କିଣି ନେବାକୁ ଆମକୁ ଅନେକ ଅଫର୍ ବି ଦେଇଥିଲେ। କିନ୍ତୁ ନିଜ ସ୍ବାଭିମାନକୁ ହରାଇ ଖବରକାଗଜକୁ ଅନ୍ୟ ହାତକୁ ଟେକି ଦେବାକୁ ଆମକୁ ଭଲ ଲାଗିଲାନି। ତେଣୁ ବାଧ୍ୟ ହୋଇ ମାତ୍ର ବର୍ଷଟିଏ ଚଲାଇ ଆମେ ତାକୁ ବନ୍ଦ କରିଦେଲୁ। ତା’ପରେ ଘରର ଦୁର୍ବଳ ଆର୍ଥିକ ପରିସ୍ଥିତିକୁ ଦେଖି ଚାକିରି କରିବାକୁ ନିଷ୍ପତ୍ତିି ନେଲି ଆଉ ସିଭିଲ୍ ସପ୍ଲାଏ କର୍ପୋରେସନ୍ରେ ଜୁନିୟର୍ ଆକାଉଣ୍ଟାଣ୍ଟ ଭାବେ ଜଏନ୍ କଲି। ମୋର ପ୍ରଥମ ପୋଷ୍ଟିଂ ବଲାଙ୍ଗୀରରେ ହୋଇଥିଲା। ସେତେବେଳେ ମାସକୁ ମାତ୍ର ହଜାରେ ଟଙ୍କା ଦରମା ମିଳୁଥିଲା। ଘରଭଡ଼ା ତଥା ନିଜ ଖାଇବାପିଇବା ବାବଦେ କିଛି ଟଙ୍କା ପାଖରେ ରଖି ବାକି ଟଙ୍କା ଘରକୁ ପଠାଇ ଦେଉଥିଲି। ପାଖାପାଖି ୮ ବର୍ଷ ବଲାଙ୍ଗୀରରେ ରହିବା ପରେ ଭୁବନେଶ୍ୱରକୁ ମୋର ବଦଳି ହେଲା। ତା’ପରେ ସୁନ୍ଦରଗଡ଼, ମାଲକାନଗିରି, ନବରଙ୍ଗପୁର, ବୌଦ୍ଧ, ଗଞ୍ଜାମ, ଫୁଲବାଣୀ ଆଦି ସ୍ଥାନରେ କିଛି କିଛି ବର୍ଷ କାମ କରିବା ପରେ ଏବେ ମୁଁ ବରଗଡ଼ରେ କାର୍ଯ୍ୟରତ। ଆଉ ମାତ୍ର ବର୍ଷେ ଅଛି ଚାକିରିରୁ ଅବସର ନେବାକୁ। ଏ ତ ଥିଲା ମୋର ଚାକିରି ଜୀବନ କଥା। ଏହାବାଦ୍ ଲେଖାଲେଖିରେ ମଧ୍ୟ ମୋର ବିଶେଷ ରୁଚି ରହିଛି। ସ୍କୁଲ, କଲେଜବେଳେ ଗପ, କବିତା, ପ୍ରବନ୍ଧ ତଥା ବିଭିନ୍ନ ପ୍ରକାରର ଅନୁସନ୍ଧାନମୂଳକ ଲେଖା ଖୁବ୍ ଲେଖୁଥିଲି। ମୋ ଲେଖାମାନ ସ୍କୁଲ୍, କଲେଜ ମାଗାଜିନ୍ରେ ବି ପ୍ରକାଶ ପାଉଥିଲା। କେବଳ ଲେଖାଲେଖି କରୁଥିଲି ତାହା ନୁହେଁ ଖୁବ୍ ସୁନ୍ଦର ସୁନ୍ଦର ଚିତ୍ର ଆଙ୍କିବା ସହ ଡ୍ରାମାରେ ଅଭିନୟ ମଧ୍ୟ କରୁଥିଲି। ଏପରିକି ରାଉରକେଲାରେ ପଢିବା ସମୟରେ ମୁଁ ଡ୍ରାମା ପାଇଁ ସ୍କ୍ରିପ୍ଟ ଲେଖି ପୁରସ୍କୃତ ବି ହୋଇଥିଲି। ଚାକିରି କରିବା ପରେ ମଧ୍ୟ ବେଶ୍ କିଛିଦିନ ଲେଖାଲେଖି କରିବା ସହ ପେଣ୍ଟିଂ କରୁଥିଲି। କିନ୍ତୁ ଧୀରେ ଧୀରେ କାର୍ଯ୍ୟଭାର ତଥା ପାରିବାରିକ ଜଞ୍ଜାଳ ବଢିବାରୁ ଆଉ ଲେଖାଲେଖି କରିବାକୁ ସମୟ ପାଇଲିନି। ହେଲେ ବିଭିନ୍ନ ପ୍ରକାର ବହି, ମାଗାଜିନ୍, ତଥା ଖବରକାଗଜ ପଢିବାର ରୁଚି ଆଜିଯାଏ ବି ରହିଛି। ଏହାଛଡ଼ା ମୋ ଗାଁ ସହ ମୋର ଖୁବ୍ ନିବିଡ଼ ସମ୍ପର୍କ ଅଛି। ବାହାରେ ରହି ଚାକିରି ସିନା କରୁଛି, ହେଲେ ମୋର ମନ ସବୁବେଳେ ଗାଁରେ। ଗାଁରେ କାହାର କିଛି ଅସୁବିଧା ହେଲେ କିମ୍ବା ଗାଁରେ କିଛି ଉନ୍ନତିମୂଳକ କାର୍ଯ୍ୟ ହେଲେ ମୁଁ ମୋ ସକ୍ଷମତେ ସାହାଯ୍ୟ କରିବାକୁ ସବୁବେଳେ ପ୍ରସ୍ତୁତ ଥାଏ। ଏହା ମୋତେ ବେଶ୍ ଆନନ୍ଦ ବି ଦିଏ। ଇଚ୍ଛା ଅଛି, ଅବସର ପରେ ମୁଁ ମୋ ବାକି ଜୀବନତକ ଗାଁରେ ଶାନ୍ତିରେ କାଟିବାକୁ। ଦେଖାଯାଉ ଭଗବାନଙ୍କର କ’ଣ ବରାଦ ରହିଛି।