ଟୋକିଓ,୧୬ା୪: ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କୁ ନିକଟରେ ଆକ୍ରମଣ କରାଯାଇଥିଲା। ସ୍ମୋକ୍ ବମ୍ ଆକ୍ରମଣରୁ ଅଳ୍ପକେ ରକ୍ଷା ପାଇଥିଲେ ପ୍ରଧାନମନ୍ତ୍ରୀ। ଯଦିଓ ପୋଲିସ ଏହି ଆକ୍ରମଣର ସନ୍ଦିଗ୍ଧଙ୍କୁ ଧରିଥିଲା, କିନ୍ତୁ ଘଟଣା ପରଠାରୁ ଜାପାନରେ ଅନୁଷ୍ଠିତ ହେବାକୁ ଥିବା ଜି-୭ ବୈଠକର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି।
ଆସନ୍ତା ମାସରେ ଜାପାନରେ ଜି-୭ ଦେଶର ଏକ ବୈଠକ ହେବ। ଆକ୍ରମଣରୁ ରକ୍ଷା ପାଇବାର ଗୋଟିଏ ଦିନ ପରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଗ୍ରୁପ ଅଫ୍ ଇଣ୍ଡଷ୍ଟ୍ରିଆଲ ପାଓ୍ବାର(ଜି-୭) ବୈଠକର ନିରାପତ୍ତା ନିଶ୍ଚିତ ନିମନ୍ତେ ଯଥାସମ୍ଭବ ଉଦ୍ୟମ କରିବାକୁ ଶପଥ କରିଛନ୍ତି। ଏହି ସଭାଗୁଡ଼ିକର ସୁରକ୍ଷା ପାଇଁ ମୁଁ ଦାୟୀ ରହିବି ବୋଲି କିଶିଦା କହିଛନ୍ତି।
ପଶ୍ଚିମ ଜାପାନର ଏକ ବନ୍ଦର ଅଞ୍ଚଳରେ ୨୩ ଏପ୍ରିଲରେ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରଚାର କରୁଥିବା ବେଳେ କିଶିଦାଙ୍କୁ ଧୂଆଁ ବମ୍ ସାହାଯ୍ୟରେ ଆକ୍ରମଣ କରାଯାଇଥିଲା।
ଏହି ଘଟଣାରେ ପୋଲିସ ୨୪ ବର୍ଷୀୟ ରିୟୁଜୀ କିମୁରା ନାମକ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ଗିରଫ କରିଥିବା ବେଳେ ଛୁରି ଜବତ କରିଥିଲା ବୋଲି ଏକ ରିପୋର୍ଟରୁ ପ୍ରକାଶ।