Categories: ଜାତୀୟ

ସବୁ ବରଦାସ୍ତ କରିବି କିନ୍ତୁ ମୋ ମାଆର ଅପମାନ ନୁହେଁ…ଏମିତି କାହିଁକି କହିଲେ ଚିରାଗ ପାସଓ୍ବାନ

ନୂଆଦିଲ୍ଲୀ,୩୧।୮: ଗତ କିଛିଦିନ ହେଲା କେନ୍ଦ୍ର ମନ୍ତ୍ରୀ ଚିରାଗ ପାସଓ୍ବାନ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି, ମୁଁ ସବୁକିଛି ସହ୍ୟ କରିପାରିବି, କିନ୍ତୁ ମୋ ମା’ଙ୍କୁ ଅପମାନ ସହ୍ୟ କରିପାରିବି ନାହିଁ। ମୋ ମାଆ ମୋ ବାପାଙ୍କ ସହ ବହୁତ ବଡ଼ ବଡ଼ ସ୍ବପ୍ନ ଦେଖୁଥିଲେ ହେଲେ ସେ ଚାଲିଯିବା ପରେ ମୋ ପାଇଁ ତାଙ୍କୁ ବହୁ ଦୁର୍ଦ୍ଦିନ ଦେଖିବାକୁ ପଡିଛି। ଏହା ମୁଁ ସହ୍ୟ କରିପାରିଲି ନାହିଁ ।

ବାପାଙ୍କ ବିୟୋଗ, ପରିବାରର ବିଚ୍ଛିନ୍ନତା, ଘର ନେଇଯିବା, ମାମୁଁ ଘର ବାହାରେ ରାତିସାରା ଠିଆ ହେବାର ପୁରୁଣା ଦିନଗୁଡ଼ିକୁ ମନେ ପକାଇ ଚିରାଗ କହିଛନ୍ତି ଯେ, ଯେତେବେଳେ ନିଜ ରକ୍ତ ମୋ ପିଠିରେ ଛୁରାଘାତ କରିଥିଲା, ସେତେବେଳେ ବାହାର ଲୋକଙ୍କୁ କ’ଣ ବା କୁହାଯାଇ ପାରିବ। ଗତ ତିନିବର୍ଷ ମଧ୍ୟରେ ଦଳକୁ ପୂର୍ବ ସ୍ଥିତିକୁ ଫେରାଇ ଆଣିଛି। ସମସ୍ତେ ମୋ ମାଙ୍କୁ ଜାଣନ୍ତି। ସେ ବହୁତ ଶକ୍ତିଶାଳୀ ମହିଳା। ସେ ଏପରି ପରିସ୍ଥିତି ପୂର୍ବରୁ କେବେ ଦେଖି ନ ଥିଲେ।

ମୋ ମାଆ କାନ୍ଦୁଥିବାର କେବେ ଦେଖି ନାହିଁ କିନ୍ତୁ ଦିନେ ରାତିରେ ମାଆ ଏକ କୋଠରୀ କୋଣରେ କାନ୍ଦୁଥିବାର ଦେଖିଥିଲି। ସେଦିନ ରାତିରେ ହଜିଯାଇଥିବା ସବୁ ଜିନିଷ ଫେରାଇ ଆଣିବି ବୋଲି ପ୍ରତିଜ୍ଞା କଲି। ଚିରାଗ ଆହୁରି କହିଛନ୍ତି, ଆଜି ମୁଁ ସନ୍ତୁଷ୍ଟ ଯେ ଆଜି ଯାହା ହାସଲ କରିଛି, ମୋ ପରିଶ୍ରମରେ। ଯଦି ମୁଁ ସଂଘର୍ଷ କରି ନ ଥାନ୍ତି, ତେବେ ଦୟାରୁ ମନ୍ତ୍ରୀ ହୋଇଥାନ୍ତି।

Share