ଭୁବନେଶ୍ୱର, ୭।୧୦(ସୁନିତ୍ ମିଶ୍ର): ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରୁ ଲୋକ ସଭା ନିର୍ବାଚନ ଲଢ଼ିବି। ଏଥିଲାଗି ଅନୁମତି ଦେବା ପାଇଁ ଦଳ ପାଖରେ ଅନୁରୋଧ କରିଥିବା ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଗଣମାଧ୍ୟମକୁ ସାକ୍ଷାତ୍କାର ଦେବା ଅବସରରେ କହିଛନ୍ତି। ଧର୍ମେନ୍ଦ୍ର କହିଛନ୍ତି, ଆଗାମୀ ନିର୍ବାଚନ ଲାଗି ବିରୋଧୀ ‘ଇଣ୍ଡିଆ’ ମେଣ୍ଟ ପ୍ରକୃତ ଚ୍ୟାଲେଞ୍ଜ। ହେଲେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦେଶ ପାଇଁ ଯେପରି ତୃତୀୟ ଥର ଲାଗି ସେବା କରିବେ ତାକୁ ସୁନିଶ୍ଚିତ କରିବା ହେଉଛି ଭାଜପାର ମୁଖ୍ୟ ଏଜେଣ୍ଡା। ଭାଜପା ଏବଂ ଏନ୍ଡିଏ କୌଣସି ନିର୍ବାଚନକୁ ଖାମଖିଆଲି ଭାବେ ନେଉ ନ ଥିବାରୁ ତାହା ଇଣ୍ଡିଆ ମେଣ୍ଟ ବାସ୍ତବ ଚ୍ୟାଲେଞ୍ଜ ବୋଲି ଚିନ୍ତା କରୁଛନ୍ତି। ସେ ଲୋକ ସଭା ନିର୍ବାଚନ ଲଢିବା ପାଇଁ ଇଚ୍ଛା ରଖିଥିବା ନେଇ ଦଳୀୟ ସ୍ତରରେ ଜଣାଇଥିବା କହିଛନ୍ତି। ପ୍ରଧାନମନ୍ତ୍ରୀ ମହିଳା ସଂରକ୍ଷଣ ବିଲ୍ ଆଣି ମହିଳାମାନଙ୍କ ରାଜନୈତିକ ଅଧିକାରକୁ ସୁନିଶ୍ଚିତ କରିଛନ୍ତି। କଂଗ୍ରେସ ମହିଳା ସଂରକ୍ଷଣ ବିଲ୍ ଆଣିବା କ୍ଷେତ୍ରରେ କୌଣସି ପ୍ରକାର ଦୃଢ଼ ଇଚ୍ଛାଶକ୍ତି ଦେଖାଇ ନ ଥିଲା। ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଶରେ ଜାତିଗତ ଜନଗଣନା କରିବାକୁ ଯେଉଁ ଦାବି କରିଛନ୍ତି ସେ ଓ ତାଙ୍କ ପାରିବାରିକ ଦଳ ଓବିସି ଏବଂ ଆର୍ଥିକ ଅନଗ୍ରସର ଶ୍ରେଣୀ ଲୋକଙ୍କ ଲାଗି ୭୫ ବର୍ଷ ଭିତରେ କ’ଣ କରିଛନ୍ତି ତା’ର ଉତ୍ତର ରଖନ୍ତୁ ବୋଲି ଧର୍ମେନ୍ଦ୍ର କହିଛନ୍ତି।