ସିଓଲ୍‌କୁ ଧ୍ୱଂସ କରିଦେବି, କିମ୍‌ଙ୍କ ଧମକ…

ପୋଙ୍ଗାଙ୍ଗ୍‌, ୩।୪ : ଦକ୍ଷିଣ କୋରିଆ ପ୍ରତିରକ୍ଷା ମନ୍ତ୍ରୀଙ୍କ ମନ୍ତବ୍ୟକୁ ଉତ୍ତର କୋରିଆ ନିନ୍ଦା କରିଛି ଯେଉଁଥିରେ ଦେଶର ସାମରିକ ଦକ୍ଷତା ବିଷୟରେ ସେ କହିଛନ୍ତି। ଏଥି ସହିତ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ଚେତାବନୀ ଦେଇଛନ୍ତି ଯେ ଯଦି ଦକ୍ଷିଣ କୋରିଆ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ ତେବେ ସିଓଲର ପ୍ରମୁଖ ବେସଗୁଡ଼ିକୁ ଧ୍ୱଂସ କରି ଦିଆଯିବ। ଉତ୍ତର କୋରିଆ ନେତା କିମ ଜୋଙ୍ଗ ଉନଙ୍କ ଭଉଣୀ କିମ ୟୋଙ୍ଗ ଏକ ବିବୃତ୍ତିରେ କହିଛନ୍ତି ଯେ ଦକ୍ଷିଣ କୋରିଆ ପ୍ରତିରକ୍ଷା ମନ୍ତ୍ରୀଙ୍କ ମନ୍ତବ୍ୟ କୋରିଆ ସମ୍ପର୍କକୁ ଖରାପ କରିଦେଇଛି ଏବଂ ଏହାଦ୍ୱାରା ସାମରିକ ତିକ୍ତତା ମଧ୍ୟ ବୃଦ୍ଧି ପାଇଛି।

ଦକ୍ଷିଣ କୋରିଆର ମନ୍ତ୍ରୀ ସୁ ୱୁକ କହିଥିଲେ ଯେ ତାଙ୍କ ଦେଶର ସୈନ୍ୟବାହିନୀରେ ବିଭିନ୍ନ ପ୍ରକାରର କ୍ଷେପଣାସ୍ତ୍ର। ଏସବୁର ଫାୟାରିଂ ରେଞ୍ଜ୍‌, ସଠିକତା ଏବଂ ଶକ୍ତିରେ ବହୁ ସୁଧାର କରାଯାଇଛି। ଉତ୍ତର କୋରିଆର ଯେକୌଣସି ଅଞ୍ଚଳକୁ ସଠିକ ଏବଂ ଶୀଘ୍ର ଟାର୍ଗେଟ କରିବାର ଏଗୁଡ଼ିକର କ୍ଷମତା ଅଛି। ଉତ୍ତର କୋରିଆର କ୍ଷେପଣାସ୍ତ୍ରର ମୁକାବିଲା କରିବାର କ୍ଷମତା ଦକ୍ଷିଣ କୋରିଆ ରଖିଛି ବୋଲି ସେ କହିଥିଲେ। ତେବେ ଏହାକୁ ନେଇ କିମ୍‌ ଦକ୍ଷିଣ କୋରିଆକୁ ଧମକ ଦେଇଛନ୍ତି। ଫେବୃଆରୀ ୨୬ ଏବଂ ମାର୍ଚ୍ଚ ୪ ରେ ଉତ୍ତର କୋରିଆ ଦୁଇଟି ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି।

ରବିବାର ଦିନ ପୃଥକ ପୃଥକ ବିବୃତ୍ତିରେ ଉତ୍ତର କୋରିଆର ୱାର୍କର୍ସ ପାର୍ଟିର କେନ୍ଦ୍ରୀୟ କମିଟିର ସଚିବ ପାକ ଜୋଙ୍ଗ କହିଛନ୍ତି ଯେ ଯଦି ଦକ୍ଷିଣ କୋରିଆ ସୈନ୍ୟ ବିପଜ୍ଜନକ ସାମରିକ କାର୍ଯ୍ୟରେ ଲିପ୍ତ ରୁହନ୍ତି ତେବେ ଉତ୍ତର ସିଓଲ ଏବଂ ଦକ୍ଷିଣ କୋରିଆ ମିଲିଟାରୀ ବେସକୁ ଧ୍ୱଂସ କରି ଦିଆଯିବ। ଏନେଇ ଅନ୍ତର୍ଜାତୀୟସ୍ତରରେ ଆଶଙ୍କା ବୃଦ୍ଧି ପାଇବାରେ ଲାଗିଛି।

Share