Categories: ଜାତୀୟ

‘ମୋତେ ପ୍ରଧାନମନ୍ତ୍ରୀ କଲେ ବି ମୁଁ ଏନ୍‌ଡିଏରେ ଯୋଗ ଦେବି ନାହିଁ’

ନୂଆଦିଲ୍ଲୀ,୮ା୬: ୨୦୨୪ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ଏକ ନୂତନ ସରକାର ଗଠନ ହେବାକୁ ଯାଉଛି। ଆସନ୍ତାକାଲି ଅର୍ଥାତ୍‌ ରବିବାର(ଜୁନ୍‌ ୯)ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଏସବୁ ମଧ୍ୟରେ ଉତ୍ତରପ୍ରଦେଶର ନାଗିନା ଆସନ ଜିତି ଏମ୍‌ପି ହୋଇଥିବା ଆଜାଦ ସମାଜ ପାର୍ଟି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ କହିଛନ୍ତି, ଏନ୍‌ଡିଏ ଲୋକମାନେ ତାଙ୍କୁ ପ୍ରଧାନମନ୍ତ୍ରୀ କଲେ ମଧ୍ୟ ସେ ଏହି ମେଣ୍ଟରେ ଯୋଗଦେବେ ନାହିଁ।

ଏକ ସାକ୍ଷାତକାରରେ ସେ କହିଛନ୍ତି, ନାଗିନାବାସୀ ସେମାନଙ୍କ ସ୍ବାର୍ଥ ରକ୍ଷା ପାଇଁ ମୋତେ ଭୋଟ୍‌ ଦେଇଛନ୍ତି। ସମ୍ବିଧାନର ବିରୋଧୀମାନଙ୍କୁ ଏକ ଶିକ୍ଷା ଦେବାକୁ ଭୋଟ୍‌ ଦେଇଛନ୍ତି। ରାଜନୈତିକ ଶକ୍ତି ଆବଶ୍ୟକ କିନ୍ତୁ ଏଥିପାଇଁ ଆଦର୍ଶ ସହ କୌଣସି ଆପୋଷ ବୁଝାମଣା ହୋଇପାରିବ ନାହିଁ ଏବଂ ଏଭଳି ପରିସ୍ଥିତିରେ ଏନ୍‌ଡିଏରେ ଯୋଗଦେବା ପ୍ରଶ୍ନ ବି ଉଠୁନି।

ଭାଜପାକୁ ଟାର୍ଗେଟ୍‌ କରି ସେ କହିଛନ୍ତି, ଯଦି ଶାସକ ଦଳ ଏତେ ଭଲ ହୋଇଥାନ୍ତା, ତେବେ ଏତେ କମ୍‌ ଆସନ ପାଇ ନ ଥାନ୍ତା। ଏହା ଏକ ହାରିବା ପରି। ଶାସକ ଦଳ ୪୦୦ ଦାବି କରିଥିଲେ ଏବଂ ଜନସାଧାରଣ ସେମାନଙ୍କୁ କେଉଁଠାରେ ଛାଡ଼ିଥିଲେ? ଯଦି ଭାଜପାର ବରିଷ୍ଠ ନେତାମାନେ କ୍ଷତି ନିୟନ୍ତ୍ରଣ କରି ନ ଥାନ୍ତେ, ତେବେ ସେମାନଙ୍କ ଆସନ ୨୦୦ରୁ କମ୍‌ ହୋଇଥାନ୍ତା। ଆଜାଦ ସମାଜ ପାର୍ଟି ଏହାର ସ୍ବାର୍ଥ ପାଇଁ କାର୍ଯ୍ୟ କରିବ। ପଦ ଓ ପ୍ରତିଷ୍ଠା ପାଇଁ ମୁଁ ରାଜନୀତିକୁ ଆସିନାହିଁ ବୋଲି ଚନ୍ଦ୍ରଶେଖର କହିଛନ୍ତି।

Share