କୌଣସି ପରିସ୍ଥିତିରେ ଇସ୍ତଫା ଦେବି ନାହିଁ: ଇମ୍ରାନ

ଇସଲାମାବାଦ,୨୩।୩: ପାକିସ୍ତାନର ଇମ୍ରାନ ଖାନ ସରକାର ଉପରେ ସଙ୍କଟର ବାଦଲ ଛାଇ ଯାଇଛି। ଇମ୍ରାନଙ୍କ ଗାଦିରୁ ହଟାଇବା ପାଇଁ ତାଙ୍କ ନିଜ ଦଳ ତେହେରିକ-ଇ-ଇନସାଫ (ପିଟିଆଇ)ର ଏମ୍‌ପିମାନେ ବି ଲାଗିପଡିଛନ୍ତି। ସେମାନେ ବିରୋଧୀ ସହ ହାତ ମିଳାଇଛନ୍ତି। ସରକାର ବିରୋଧରେ ସଂସଦରେ ଏକ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ବିପକ୍ଷ ପ୍ରସ୍ତୁତ ହେଉଛନ୍ତି। ରାଜନୈତିକ ସଙ୍କଟ ମଧ୍ୟରେ ଇମ୍ରାନ ଇମ୍ରାନ ଖାନ ବୁଧବାର କହିଛନ୍ତି, ସେ କୌଣସି ପରିସ୍ଥିତିରେ ଇସ୍ତଫା ଦେବେ ନାହିଁ। ତାଙ୍କ ଦଳ ତେହେରିକ-ଇ-ଇନସାଫ (ପିଟିଆଇ) ଦଳ ଅବିଶ୍ୱାସ ଭୋଟ୍‌ରେ ବିଜୟୀ ହେବ। ଯଦି କେହି ଭାବନ୍ତି ଯେ, ସେ ଘରକୁ ଯିବେ, ତେବେ ସେ ଭୁଲ କରୁଛନ୍ତି।
ଅର୍ଥନୀତି ଏବଂ ବୈଦେଶିକ ନୀତିକୁ ଠିକ ଭାବରେ ପରିଚାଳନା କରୁ ନ ଥିବାରୁ ବିରୋଧୀଦଳ ଇମ୍ରାନଙ୍କୁ ବାରମ୍ବାର ଟାର୍ଗେଟ୍‌ କରୁଛନ୍ତି। ସେମାନେ ପିଟିଆଇ ସରକାରକୁ ହଟାଇବାକୁ ଚାହୁଁଛନ୍ତି। ଏଥିପାଇଁ ହଜାର ହଜାର ଲୋକ ରାଲି ମଧ୍ୟ କରିଥିଲେ।
ସୂଚନାଯୋଗ୍ୟ,ଇମ୍ରାନଙ୍କ ବିରୋଧରେ ସଂସଦରେ ମାର୍ଚ୍ଚ ୨୮ରେ ଅବିଶ୍ୱାସ ପ୍ରସ୍ତାବକୁ ନେଇ ଭୋଟିଂ ହେବାର ଅଛି। ଅବିଶ୍ୱାସ ପ୍ରସ୍ତାବ ଜିତିବା ପାଇଁ, ସଂସଦର ନିମ୍ନ ଗୃହରେ ସମୁଦାୟ ୩୪୨ ଜଣ ସଦସ୍ୟଙ୍କ ମଧ୍ୟରୁ ୧୭୨ ଜଣ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ। ଜାତୀୟ ସଭାରେ ଇମ୍ରାନ ଖାନ ବହୁମତ ରହିଛି। ଏଠାରେ ତାଙ୍କ ପିଟିଆଇର ୧୫୫ ସଦସ୍ୟ ଏବଂ ମିଳିତ ସହଯୋଗୀ ଦଳର ୨୩ ସଦସ୍ୟ ଅଛନ୍ତି। ବିରୋଧୀ ଦଳର ୧୬୩ ସଦସ୍ୟ ଅଛନ୍ତି। ବିରୋଧୀ ଦଳ ଆଶା କରୁଛନ୍ତି ଯେ ଶାସକ ମିଳିତ ମଞ୍ଚର କିଛି ଅସନ୍ତୁଷ୍ଟ ବିଧାୟକ ତାଙ୍କ ସରକାରକୁ ହଟାଇବାରେ ସେମାନଙ୍କୁ ସମର୍ଥନ କରିବେ। ୨୦୧୮ରେ କ୍ରିକେଟର-ରାଜନେତା ପାଲଟିଥିବା ଇମ୍ରାନ କ୍ଷମତାକୁ ଆସିଥିଲେ ଏବଂ ପରବର୍ତ୍ତୀ ସାଧାରଣ ନିର୍ବଚନ ୨୦୨୩ ରେ ହେବ।

Share