Categories: ଜାତୀୟ

ତୋ ମୁଣ୍ଡରେ କେମିକାଲ ଢାଳିବି

ନୂଆଦିଲ୍ଲୀ,୨୯ା୧୦: ଛଟ୍‌ ପୂଜା ପୂର୍ବରୁ ଶୁକ୍ରବାର ଯମୁନା ନଦୀଘାଟ ଅନୁଧ୍ୟାନ କରିବାକୁ ଯାଇଥିବା ପଶ୍ଚିମ ଦିଲ୍ଲୀର ଭାଜପା ଏମ୍‌ପି ପର୍ଭେଶ ବର୍ମା ଜଣେ ଅଫିସରଙ୍କ ଉପରେ ଗର୍ଜୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଦେଢ଼ ମିନିଟ୍‌ର ଏହି ଭିଡିଓରେ ବର୍ମା ଦିଲ୍ଲୀ ଜଳ ବୋର୍ଡ (ଡିଜେବି)ର ଜଣେ ଅଫିସରଙ୍କ ମୁଣ୍ଡରେ ରାସାୟନିକ ପଦାର୍ଥ ଢାଳିଦେବାର ଧମକ ଦେଉଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ଭାଜପା ଏମ୍‌ପି ପୁଣିଥରେ ବିବାଦ ଘେରକୁ ଆସିଛନ୍ତି।
ନଦୀରେ ଆମୋନିଆ ଫସ୍‌ଫରସ୍‌ ଫେଣକୁ ନିୟନ୍ତ୍ରଣ କରିବା ପାଇଁ ଉକ୍ତ ରାସାୟନିକ ସାମଗ୍ରୀ ବ୍ୟବହାର ଉପରେ ଅଫିସର ଜଣକ ଯୁକ୍ତି ବାଢ଼ୁଥିଲେ। ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନ ଏବଂ ଭାରତ ସରକାରଙ୍କ ଜାତୀୟ ଗଙ୍ଗା ପରିଷ୍କରଣ ମିଶନ ଉକ୍ତ କେମିକାଲ୍‌କୁ ଅନୁମୋଦନ କରିଥିବା ସେ କହିଥିଲେ। ତେବେ ଏମ୍‌ପି ବର୍ମା ଏହାକୁ ବିରୋଧ କରି ତୁମେ ଏଠାରେ ଲୋକଙ୍କୁ ମାରିଦେଉଛ ବୋଲି କହିଥିଲେ। ୮ ବର୍ଷରେ ତୁମେ ଯମୁନାକୁ ପରିଷ୍କାର କରିବାରେ ବିଫଳ ହୋଇଛ। ଏବେ ନଦୀରେ ରାସାୟନିକ ପଦାର୍ଥ ପକାଉଛ। ଯାଇ ସେହି ପାଣିରେ ବୁଡ଼ ବୋଲି ବର୍ମା ଉକ୍ତ ଅଫିସରଙ୍କୁ କହିଥିଲେ। ଛଟ୍‌ପର୍ବରେ ଶ୍ରଦ୍ଧାଳୁ ବୁଡ଼ ପକାଇବାକୁ ଏଠାକୁ ଆସିଥାନ୍ତି। ଅଥଚ ତୁମେ ସେଠାରେ ରାସାୟନିକ ପକାଇବାକୁ କହୁଛି। ଏହି ରାସାୟନିକକୁ ତୁମ ମୁଣ୍ଡରେ ଢାଳିଦେବି କି ବୋଲି ଭାଜପା ଏମ୍‌ପି ଡିଜେବି ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ।

Share