‘ଜଣେ ବୋକା ମିଳିଗଲେ ଇସ୍ତଫା ଦେବି’

ଓ୍ବାଶିଂଟନ୍‌, ୨୨।୧୨ : ଜଣେ ବୋକା ମିଳିଲା ପରେ ସିଇଓ ପଦରୁ ଇସ୍ତଫା ଦେବେ ବୋଲି ମାଇକ୍ରୋବ୍ଲଗିଙ୍ଗ୍‌ ଆପ୍‌ ଟୁଇଟର ମାଲିକ ଏଲନ ମସ୍କ କହିଛନ୍ତି। ମସ୍କଙ୍କ ଏପରି ପ୍ରତିକ୍ରିୟା ଆସିବାର କାରଣ ହେଉଛି, ଗତ ରବିବାର ସେ ଟୁଇଟରର ସିଇଓ ପଦରୁ ଓହରିଯିବା ଉଚିତ୍‌ ବୋଲି କି? ପ୍ରଶ୍ନ କରି ଏକ ଅନ୍‌ଲାଇନ୍‌ ପୋଲ୍‌ ଭୋଟିଂ କରିଥିଲେ। ପୋଲ୍‌ର ରେଜଲ୍ଟ ଅନୁସାରେ ମସ୍କ ନିଜ ଆଗାମୀ ନିଷ୍ପତ୍ତି ନେବେ ବୋଲି ଏକ ପୋଷ୍ଟ ଜରିଆରେ କହିଥିଲେ। ଏହାର ଗୋଟିଏ ଦିନ ପରେ ପୋଲ୍‌ ରେଜଲ୍ଟ ପ୍ରକାଶ ପାଇଥିଲା, ଯେଉଁଥିରେ ମସ୍କ ସିଇଓ ପଦରୁ ଓହରିଯିବା ଦରକାର ବୋଲି ୫୭.୫% ୟୁଜର୍ସ ି ମତ ଦେଇଥିବାବେଳେ ମାତ୍ର ୪୨% ଟୁଇଟର ୟୁଜର୍ସ ଏହାକୁ ବିରୋଧ କରିଥିଲେ। ୟୁଜର୍ସଙ୍କ ବହୁମତ ଅନୁସାରେ ମସ୍କ ସିଇଓ ପଦରୁ ଓହରିଯିବା କଥା। କିନ୍ତୁ ପୋଲ ରେଜଲ୍ଟ ପ୍ରକାଶ ପାଇବାପରେ ସେ ତୁରନ୍ତ କୌଣସି ପ୍ରତିକ୍ରିୟା ଦେଇ ନ ଥିବାବେଳେ ଏହାର ଦୁଇଦିନ ପରେ ସେ ଏ କଥା କହିଛନ୍ତି। ପାଖାପାଖି ୧୭ ନିୟୁତ ୟୁଜର୍ସ ଏହି ପୋଲ୍‌ରେ ଅଂଶଗ୍ରହଣ କରିଥିଲେ।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟୁଇଟର ଆକାଉଣ୍ଟରୁ ବ୍ୟାନ୍‌ ହଟାଇବା ଲାଗି ମସ୍କ ୟୁଜର୍ସଙ୍କ ମତ ଲୋଡ଼ିଥିଲେ, ଯାହାପାଇଁ ସେ ଏହି ପ୍ରକାରେ ଏକ ପୋଲ ବ୍ୟବସ୍ଥା କରିଥିଲେ। ଏବେ ନିଜ କ୍ଷେତ୍ରରେ ଉକ୍ତ ପନ୍ଥା ଆପଣାଇଛନ୍ତି। ଟୁଇଟରର ମାଲିକାନା ଏଲନ ମସ୍କଙ୍କ ହାତକୁ ଯିବାପରେ ରୀତିମତ ସେ ଚର୍ଚ୍ଚାରେ ରହିଆସୁଛନ୍ତି। ପ୍ରଥମେ କାର୍ଯ୍ୟାଳୟରୁ ଶତାଧିକ କର୍ମଚାରୀଙ୍କୁ ଛଟେଇ କରି ସେ ବିବାଦ ଭିତରକୁ ଠେଲି ହୋଇଯାଇଥିଲେ। ଆଉ ଏବେ କମ୍ପାନୀ ନିୟମରେ ଗୋଟିଏ ପରେ ଗୋଟିଏ ପରିବର୍ତ୍ତନ କରି ଚର୍ଚ୍ଚା ପରିସରରେ ରହିଛନ୍ତି। ୟୁଜର୍ସଙ୍କ ଉପରେ ଟୁଇଟର ପକ୍ଷରୁ କଟକଣା ଲଗାଯିବା ଯୋଗୁ ବହୁ ଲୋକ ଏବେ ମାଷ୍ଟୋଡୋମ୍‌ ଭଳି ଅନ୍ୟ ନେଟଓ୍ବର୍କିଂ ସାଇଟ୍‌ ଆଡକୁ ମୁହଁାଇଛନ୍ତି। ନିକଟରେ ୟୁରୋପର କେତେଜଣ ପ୍ରତିଷ୍ଠିତ ଖବରଦାତା ମସ୍କଙ୍କ ବିରୋଧରେ ମିଥ୍ୟା ଖବର ପ୍ରସାର କରୁଥିବା ଅଭିଯୋଗ ଆଣି ସେମାନଙ୍କ ଆକାଉଣ୍ଟକୁ ଟୁଇଟରରୁ ହଟାଇ ଦିଆଯାଇଥିଲା। ଟେସ୍‌ଲା ବୈଦ୍ୟୁତିକ କାର୍‌ ମାଲିକଙ୍କ ଏହି ନିଷ୍ପତ୍ତିକୁ ୟୁରୋପୀୟ ସଂଘ (ଇୟୁ) ନିନ୍ଦା କରିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଚେତାବନୀ ଦେଇଥିଲେ। ଏହାପରେ ମସ୍କ ପୁଣିଥରେ ସମ୍ପୃକ୍ତ ଖବରଦାତାଙ୍କ ଆକାଉଣ୍ଟଗୁଡ଼ିକୁ ଆକ୍‌ଟିଭ୍‌ କରିଥିଲେ।

Share