ନୂଆଦିଲ୍ଲୀ,୨୦।୭: ଭାରତୀୟ କ୍ରିକେଟର୍ ବିରାଟ କୋହଲି ଏବେ ଖରାପ ଫର୍ମରେ ଅଛନ୍ତି। ତାଙ୍କୁ ଦଳରୁ ବାଦ୍ ଦେବା ପାଇଁ ବହୁ ପୂର୍ବତନ କ୍ରିକେଟର୍ ଦାବି କରିଛନ୍ତି। କିନ୍ତୁ ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର କୋହଲିଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ନିକଟରେ ଇଂଲଣ୍ଡ ଗସ୍ତରେ ବିରାଟ ୬ଟି ଇନିଂସରେ (ଟେଷ୍ଟ, ଟି-୨୦ ଏବଂ ଦିନିକିଆ) ମାତ୍ର ୭୬ ରନ କରିଛନ୍ତି। ଗାଭାସ୍କର କହିଛନ୍ତି, ଯଦି ମୁଁ କୋହଲିଙ୍କ ସହ ୨୦ ମିନିଟ ରହିବି, ତେବେ ବୋଧହୁଏ ମୁଁ ତାଙ୍କର ଦୁର୍ବଳତା ଠିକ କରିପାରିବି। ମୁଁ ଏହା କହୁ ନାହିଁ ଯେ ମୁଁ ତାଙ୍କୁ ସାହାଯ୍ୟ କରିବି କିନ୍ତୁ ବିଶେଷତଃ ଅଫ ଷ୍ଟମ୍ପ ବାହାରେ ଯାଉଥିବା ବଲ୍ ସହ ତାଙ୍କ ସମସ୍ୟାର ସମାଧାନ କରିପାରିବି।
ନିଜ ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି, ଜଣେ ଓପନର୍ ଭାବେ, ବାହାରେ ଯାଉଥିବା ବଲ୍ ଉପରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ତେଣୁ ଏହାର ମୁକାବିଲା ପାଇଁ ଧୈର୍ଯ୍ୟ ଆବଶ୍ୟକ। କୋହଲିଙ୍କ ସହ ମଧ୍ୟ ସମାନ ଅସୁବିଧା ଅଛି। ସେ ପ୍ରତ୍ୟେକ ବଲରେ ରନ ସ୍କୋର କରିବାକୁ ଚେଷ୍ଟା କରୁଛନ୍ତି। ତେଣୁ ତାଙ୍କୁ କ୍ରିଜ୍ରେ ରହି ପ୍ରଥମେ ବଲ୍କୁ ପରଖିବାକୁ ପଡିବ।
ସୂଚନାଯୋଗ୍ୟ, କୋହଲି ଗତ ଅଢେଇ ବର୍ଷ ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟ୍ରେ ଆଦୌ ଶତକ ମାରିନାହାନ୍ତି। ଶେଷଥର ପାଇଁ ସେ ୨୦୧୯ରେ ଶତକ ହାସଲ କରିଥିଲେ।