ମୁମ୍ବାଇ, ୨୭।୮: ଗିରଫ ହେବାର ୩ ଦିନ ପରେ କେନ୍ଦ୍ରମନ୍ତ୍ରୀ ତଥା ଭାଜପା ନେତା ନାରାୟଣ ରାଣେ ପୁଣିଥରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କୁ ସମାଲୋଚନା କରିଛନ୍ତି। ଶୁକ୍ରବାର ରତ୍ନଗିରିଠାରେ ଭାଜପାର ‘ଜନ ଆଶୀର୍ବାଦ ଯାତ୍ରା’ରେ ଉଦ୍ବୋଧନ ଦେଇ ରାଣେ କହିଥିଲେ, ଠାକ୍ରେ ଓ ତାଙ୍କ ପରିବାର ମୋତେ ଧମକ ଦେଇଛନ୍ତି। ୩୯ ବର୍ଷ ସେମାନଙ୍କ ସହ କାର୍ଯ୍ୟ କରିଛି। ହୃଦୟରେ ଚାପି ରଖିଥିବା ସବୁ ଗୋପନ କଥାକୁ ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆଣିବି। ଭାଇବୋହୂ ଉପରେ ଏସିଡ୍ ପକାଇବାକୁ କିଏ କାହାକୁ କହିଥିଲା, ସେ ଜାଣନ୍ତି। ସେ ଗିରଫକୁ ଭୟ କରୁନାହାନ୍ତି। ଆଇନ ସମସ୍ତଙ୍କ ପାଇଁ ସମାନ ବୋଲି ରାଣେ କହିଛନ୍ତି। ସୂଚନାଯୋଗ୍ୟ, ଭାରତର ସ୍ବାଧୀନତା ବର୍ଷ ସମ୍ପର୍କରେ ଜାଣି ନ ଥିବା ମୁଖ୍ୟମନ୍ତ୍ରୀ ଠାକ୍ରେଙ୍କୁ ଚାପୁଡ଼ା ମାରିଥାନ୍ତେ ବୋଲି କହି ରାଣେ ମଙ୍ଗଳବାର ଗିରଫ ହୋଇଥିଲେ।