ଓଡ଼ିଶା ଫେରିବେ ଆଇଏଏସ ମନୋଜ ଆହୁଜା, ମିଳିପାରେ ବଡ଼ ଦାୟିତ୍ୱ

ଭୁବନେଶ୍ୱର,୨୫।୬:ଓଡ଼ିଶା ଫେରିବେ ୧୯୯୦ ବ୍ୟାଚ ଆଇଏଏସ ମନୋଜ ଆହୁଜା। ମଙ୍ଗଳବାର କେନ୍ଦ୍ର ସରକାର ତାଙ୍କୁ ନିଜ ଓଡ଼ିଶା କ୍ୟାଡର ଫେରାଇ ଦେଇଛନ୍ତିି । ଆହୁଜାଙ୍କୁ ଓଡ଼ିଶା ଫେରାଇବା ପାଇଁ କେନ୍ଦ୍ର ସରକାରଙ୍କୁ ମୋହନ ସରକାର ଅନୁରୋଧ କରିଥିଲେ । ତେବେ ତାଙ୍କ ଫେରିବା ପରେ ରାଜ୍ୟରେ ବଡ ଧରଣର ପ୍ରଶାସନିକ ଅଦଳବଦଳ ହେବ ବୋଲି ଚର୍ଚ୍ଚା ହେଉଛି । ସେ ପରବର୍ତ୍ତୀ ମୁଖ୍ୟ ସଚିବ ହୋଇପାରନ୍ତି ବୋଲି ମଧ୍ୟ ଅନୁମାନ କରାଯାଉଛି।

ସୂଚନା ଅନୁସାରେ, ନିଯୁକ୍ତି ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି ଆଜି ୧୯୯୦ ବ୍ୟାଚ ଆଇଏଏସ ମନୋଜ ଆହୁଜାଙ୍କୁ ଓଡ଼ିଶା କ୍ୟାଡର ଫେରିବା ପାଇଁ ଅନୁମତି ଦେଇଛନ୍ତି । ଓଡ଼ିଶା ସରକାର ତାଙ୍କର କେନ୍ଦ୍ରୀୟ ଡେପୁଟେସନ ଅବଧିକୁ ସମାପ୍ତ କରି ଫେରାଇ ଦେବାକୁ ଅନୁରୋଧ କରିଥିଲେ । ରାଜ୍ୟ ସରକାରଙ୍କ ଅନୁରୋଧକୁ ବିଚାର କରି କେନ୍ଦ୍ର କ୍ୟାବିନେଟର ନିଯୁକ୍ତି ସଂକ୍ରାନ୍ତ କମିଟି ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଆହୁଜା ଏବେ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବ ଭାବେ କାର୍ଯ୍ୟ କରୁଛନ୍ତି ।