Categories: ଜାତୀୟ

ହୋମଗାର୍ଡଙ୍କୁ ଲୁହାପାଇପ୍‌ରେ ପିଟିଲେ ଆଇଏଏସ୍‌ ଅଧିକାରୀ

ପାଟନା,୧।୬: ବିହାରର ଛପ୍ରାଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳା ଆଇଏଏସ୍‌ ଅଧିକାରୀ ଡ୍ୟୁଟିରେ ଥିବା ଜଣେ ହୋମଗାର୍ଡଙ୍କୁ ଲୁହାପାଇପରେ ପିଟିଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ଛପ୍ରାର ଡେପୁଟି ଡେଭ୍‌ଲପମେଣ୍ଟ କମିଶନର(ଡିଡିସି) ପ୍ରିୟଙ୍କା ରାଣୀ ହୋମଗାର୍ଡ ଅଶୋକ କୁମାର ଶାହାଙ୍କୁ ଲୁହାପାଇପରେ ପିଟିଥିଲେ। ଫଳରେ ଅଶୋକ ଆହତ ହୋଇ ଚାପରା ସଦର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଅଭିଯୋଗ ମୁତାବକ, ଅଶୋକ ଡିଡିସି ପିୟଙ୍କାଙ୍କ ଘରେ ଡ୍ୟୁଟିରେ ଥିଲେ। ସେତେବେଳେ ପ୍ରିୟଙ୍କା ରାତି ପ୍ରାୟ ୧୨ଟାରେ ଘରକୁ ଫେରିଥିଲେ। ଏହି ସମୟରେ ଅଶୋକ ମୁଖ୍ୟ ଦ୍ୱାର ଖୋଲିଥିଲେ। ସେତିକିବେଳେ ଡିଡିସି ପ୍ରିୟଙ୍କା ଅଶୋକଙ୍କୁ ଏଠାକୁ କାହିଁକି ଆସିଛ ବୋଲି ପ୍ରଶ୍ନ କରିଥିଲେ। ଅଶୋକ ଡ୍ୟୁଟିରେ ଥିବା କହିଥିଲେ। ହେଲେ ପ୍ରିୟଙ୍କା ରାସ୍ତାକୁ ଯାଇ ଡ୍ୟୁଟି କରିବାକୁ କହିଥିଲେ। ହେଲେ ଅଶୋକ ତାଙ୍କୁ କହିଥିଲେ ଯେ, ଅସ୍ତ୍ରଶସ୍ତ୍ର ଲୁଟ ହେବାର ଭୟ ଅଛି, ତେଣୁ ସେଠାରେ ଡ୍ୟୁଟି କରିପାରିବି ନାହିଁ ବୋଲି କହିଥିଲେ। ଏଥିରେ ସେ କ୍ରୋଧାନ୍ବିତ ହୋଇ ଦୁର୍ବ୍ୟବହାର କରିବା ସହ ଏକ ଲୁହାପାଇପ୍‌ରେ ଅଶୋକଙ୍କୁ ମାଡ଼ ମାରିଥିଲେ। ପରେ ତାଙ୍କ ଡ୍ରାଇଭର ଏବଂ ଅନ୍ୟ ଯବାନମାନେ ତାଙ୍କୁ ଉଦ୍ଧାର କରିଥିଲେ ବୋଲି ଅଶୋକ କହିଛନ୍ତି।

ଏହି ଘଟଣାକୁ ନେଇ ହୋମଗାର୍ଡ ଆସୋସିଏଶନ ପକ୍ଷରୁ ନିନ୍ଦା କରାଯାଇଛି। ହୋମଗାର୍ଡ ୟୁନିୟନ ନେତା ଶରନ ଡିଏମ୍‌ସି ଅମନ ସମୀରଙ୍କ ନିକଟରେ ଅଭିଯୋଗକରିି ନ୍ୟାୟ ଦାବି କରିଛନ୍ତି। ୟୁନିୟନ ସଦସ୍ୟମାନେ ଡିଡିସିଙ୍କ ବିରୋଧରେ ଏଫ୍‌ଆଇଆର ପଞ୍ଜୀକୃତ କରି ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

 

Share