Categories: ଜାତୀୟ

ଆଇଏଏସ ଅଧିକାରୀଙ୍କୁ ବିରୋଧୀ ଦଳ ନେତାଙ୍କ ସେବାରେ କରାଯାଇଛି ନିୟୋଜିତ, କଂଗ୍ରେସକୁ ଟାର୍ଗେଟ କଲେ କୁମାରସ୍ବାମୀ…

ବେଙ୍ଗାଲୁରୁ,୧୮।୭ : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜନତା ଦଳ (ସେକୁଲାର) ନେତା ଏଚଡି କୁମାରସ୍ବାମୀ କର୍ନାଟକ କଂଗ୍ରେସ ସରକାରଙ୍କ ଉପରେ ଏକ ବଡ ଅଭିଯୋଗ କରିଛନ୍ତି। ମଙ୍ଗଳବାର ବେଙ୍ଗାଲୁରୁରେ ବିରୋଧୀ ଏକତାର ଦ୍ୱିତୀୟ ବୈଠକ ନେଇ ସେ କହିଛନ୍ତି ଏଥିରେ ଉପସ୍ଥିତ ଥିବା ବିରୋଧୀ ଦଳର ନେତାଙ୍କ ସେବା କରିବାକୁ କଂଗ୍ରେସ ସରକାର ୩୦ ଜଣ ଆଇଏଏସ ଅଧିକାରୀଙ୍କୁ ନିୟୋଜିତ କରିଛନ୍ତି। ଏଭଳି କରି ରାଜ୍ୟ ସରକାର ଆଇଏଏସଙ୍କୁ ଗୋତି ଶ୍ରମିକରେ ପରିଣତ କରିଛନ୍ତି।

ଆଇଏଏସ ଅଧିକାରୀମାନେ ରାଜ୍ୟର କ୍ଷମତା ଏବଂ ଦକ୍ଷତାର ପ୍ରତୀକ। ଏହି ଅଧିକାରୀମାନଙ୍କୁ ରାଜନେତାଙ୍କ ସେବା କରିବା ପାଇଁ ଦ୍ୱାରପାଳ ଭାବରେ ପୋଷ୍ଟ କରିବା ଅଲ ଇଣ୍ଡିଆ ସେବା (ଆଚରଣ) ନିୟମର ସ୍ପଷ୍ଟ ଉଲ୍ଲଂଘନ ଅଟେ।

କୁମାରସ୍ବାମୀ ଏକ ଟୁଇଟ କରି ନେତାମାନଙ୍କୁ ସେବା ପାଇଁ ନିୟୋଜିତ କରାଯାଇଥିବା ଆଇଏଏସ ଅଧିକାରୀଙ୍କ ନାମ ତାଲିକା ଶେୟାର କରିଛନ୍ତି। ଏକ ମିଳିତ ମେଣ୍ଟ ଗଠନ କରି କ୍ଷମତା ହାସଲ କରିବାର ଲୋଭରେ କଂଗ୍ରେସ ସରକାର କର୍ନାଟକର ଗର୍ବ, ଐତିହ୍ୟ ଏବଂ ଆତ୍ମ ସମ୍ମାନକୁ ଦୋହଲାଇ ଦେଇଛନ୍ତି। କଂଗ୍ରେସର କର୍ନାଟକ ୟୁନିଟ ଏହାର ସହଯୋଗୀ ନେତାଙ୍କ ସେବା କରିବାକୁ ଆଇଏଏସ ଅଧିକାରୀଙ୍କୁ ନିୟୋଜିତ କରି ଭୁଲ କରିଛି।

ଏହା ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ନୁହେଁ କିମ୍ବା ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହ ନୁହେଁ। ଏହା କେବଳ ଏକ ରାଜନୈତିକ ସଭା। ସହଯୋଗୀ ଦଳର ନେତାମାନଙ୍କ ସେବା ପାଇଁ ସରକାରୀ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ନିଯୁକ୍ତ କରିବା ହେଉଛି ରାଜ୍ୟର ୬.୫ କୋଟି କନ୍ନଡବାସୀଙ୍କ ପ୍ରତି ଏକ ବଡ ଅନ୍ୟାୟ।

ମୁଁ ଆଶ୍ଚର୍ଯ୍ୟ ହେଉଛି ଯେତେବେଳେ ଅଧିକାରୀ ମାନେ ଏହା ତାଙ୍କ ଆତ୍ମ ସମ୍ମାନ ଏବଂ ସମ୍ମାନକୁ କ୍ଷତି ପହଞ୍ଚାଇବ ବୋଲି ଜାଣି ମଧ୍ୟ ଏଭଳି କାର୍ଯ୍ୟ କରିବାକୁ କିଭଳି ରାଜି ହେଲେ। ଏପରି ବିବାଦୀୟ ଆଦେଶ ଦେଇଥିବା ମୁଖ୍ୟ ସଚିବ ଲୋକଙ୍କ ନିକଟରେ ଉତ୍ତରଦାୟୀ।

 

Share