ନୂଆଦିଲ୍ଲୀ,୩୦ା୧୧: ଆର୍ମେନିଆର ୟେରେଭାନ୍ଠାରେ ଚାଲିଥିବା ଆଇବିଏ ଜୁନିୟର ଓ୍ବାଲର୍ଡ ବକ୍ସିଂ ଚାମ୍ପିୟନଶିପ୍ ୨୦୨୩ର ୬ଷ୍ଠ ଦିବସରେ ଭାରତକୁ ଉଲ୍ଲେଖନୀୟ ସଫଳତା ମିଳିଛି। ୮ବକ୍ସର ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି। ଟୁର୍ନାମେଣ୍ଟରେ ଭାଗ ନେଇଥିବା ୮ଜୁନିୟର ବାଳିକାଙ୍କ ମଧ୍ୟରୁ ୬ ଜଣ ସେମିଫାଇନାଲରେ ପ୍ରବେଶ କରିଛନ୍ତି।
ଏସିଆନ ଜୁନିୟର ବକ୍ସିଂ ଚାମ୍ପିୟନଶିପ୍ର ଦୁଇ ସ୍ବର୍ଣ୍ଣ ବିଜେତା ପରୀ (୫୦କେଜି) ଓ ନିଧି (୬୬କେଜି) ଯଥା କ୍ରମେ ରୋମାନିଆର ମୁଲର ମିକାଏଲା ଓ ଚାଇନିଜ ତାଇପେର କାଓ ଚିନ୍ ଆଇଙ୍କ ବିପକ୍ଷରେ ୫-୦ରେ ସହଜ ବିଜୟ ହାସଲ କରିଛନ୍ତି।
ପାୟଲ (୪୮କେଜି) ୫-୦ରେ ଆୟର୍ଲାଣ୍ଡର ଡୋହର୍ଟି ଲରେନଙ୍କୁ ପରାସ୍ତ କରିଥିବା ବେଳେ ଆମିଶା (୫୪କେଜି)ରେ ଦକ୍ଷିଣ କୋରିଆର କିିମ୍ ଜିଆଇଙ୍କୁ ହରାଇ ଦେଇଛନ୍ତି। ଏସିଆନ ଜୁନିୟର ରୌପ୍ୟ ପଦକ ବିଜେତା ନେହା ଲୁଥିନୀ (୪୬କେଜି) ବେଲାରୁଷର ହିକୋସ୍କାୟା ଆନହେଲିନାଙ୍କୁ ୪-୧ ବିଭାଜିତ ନିଷ୍ପତ୍ତିରେ ହରାଇ ଦେଇଛନ୍ତି।
ପ୍ରାଚୀ (୫୪କେଜି) କାଜାଖସ୍ତାନର ସିଥାନକାଇଜିକ୍ ପାନାରଙ୍କ ବିପକ୍ଷରେ କଷ୍ଟସାଧ୍ୟ ବିଜୟ ହାସଲ କରିଛନ୍ତି। ପ୍ରଥମ ରାଉଣ୍ଡରେ ତାଙ୍କୁ ସଂଘର୍ଷ କରିବାକୁ ପଡ଼ିଥିଲା। ଶେଷ ଦୁଇ ରାଉଣ୍ଡରେ ଦୃଢ ପ୍ରତ୍ୟାବର୍ତ୍ତନ ସହ ସେ ୩-୨ରେ ମୁକାବିଲା ଜିତି ନେଇଥିଲେ। ଭାରତର ଏକମାତ୍ର ମହିଳା ଜୟଶ୍ରୀ ଦେବୀ ଏକତରଫା ମୁକାବିଲାରେ ରୁଷିଆର ଲିଓନେଭା କିରାଙ୍କଠାରୁ ୧-୪ରେ ହାରିଯାଇଛନ୍ତି।
ବାଳକ ବିଭାଗରେ ୪ ଭାରତୀୟ ବକ୍ସର ପଦକ ରାଉଣ୍ଡକୁ ଉନ୍ନୀତ ହେବାରେ ସଫଳ ହୋଇଛନ୍ତି। ବାଳକ ବିଭାଗରେ ୪ ଭାରତୀୟ ବକ୍ସରଙ୍କ ମଧ୍ୟରୁ ୨ଜଣ ପଦକ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଏସିଆନ ଜୁନିୟର ସ୍ବର୍ଣ୍ଣ ବିଜେତା ହାର୍ଦ୍ଦିକ ପନଓ୍ବାର (୮୦କେଜି) ଓ ଯତିନ (୫୪କେଜି) ଚମତ୍କାର ପ୍ରଦର୍ଶନ ସହ ଯଥାକ୍ରମେ ଦକ୍ଷିଣ କୋରିଆର ପାର୍କ ଡାମିୟନ ଏବଂ ଜର୍ଜିଆର ମୁସ୍କୁଡିଆନି ଡେଭିକ୍ଙ୍କୁ ହରାଇ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି। ବ୍ରିଜେଣ ଟାମଟା (୪୬କେଜି) ଓ ଡିଭାଶ କାଟାରେ (୫୦କେଜି) ଏହି ଦୁଇ ବକ୍ସର କ୍ୱାର୍ଟରଫାଇନାଲରେ ପରାଜିତ ହୋଇଛନ୍ତି। ସେମିଫାଇନାଲ ଡିସେମ୍ବର ୨ରେ ଏବଂ ଫାଇନାଲ ଡିସେମ୍ବର ୩, ୪ ଅନୁଷ୍ଠିତ ହେବ।