ମିଲାନ, ୨ା୯ (ଏପି)- ଷ୍ଟାର ଫୁଟ୍ବଲ ଖେଳାଳି ଜ୍ଲାଟାନ ଇବ୍ରାହିମୋଭିଚ୍ଙ୍କ ସହ ଗୋଟିଏ ସିଜନ ପାଇଁ ଚୁକ୍ତି କରିଛି ଏସି ମିଲାନ। ଦଳ ଏହି ଖେଳାଳିଙ୍କୁ ନେଇ ୭ ବର୍ଷ ବ୍ୟବଧାନରେ ଚାମ୍ପିୟନ୍ସ ଲିଗ୍କୁ ପ୍ରତ୍ୟାବର୍ତ୍ତନ କରିବା ଲାଗି ଯୋଜନା ରଖିଛି। ଏସି ମିଲାନ ୭ ନିୟୁତ ୟୁରୋ (୮.୩ ନିୟୁତ ଡଲାର) ବିନିମୟରେ ୩୮ ବର୍ଷୀୟ ଇବ୍ରାହିମୋଭିଚ୍ଙ୍କ ସହ ଚୁକ୍ତି କରିଥିବା ରିପୋର୍ଟରେ ପ୍ରକାଶ ପାଇଛି। ଚଳିତ ମାସରେ ମିଲାନ ଇଟାଲିଆନ ଲିଗ୍ରେ ୬ଷ୍ଠ ସ୍ଥାନ ଅଧିକାର କରିବା ସହ ୟୁରୋପା ଲିଗ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି। ସିରି ଏ’ ଲିଗ୍ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ। ଇବ୍ରାହିମୋଭିଚ୍ ଦୁଇ ଦିନ ଆଗୁଆ ତାଙ୍କ ସିଜନ ପଦାର୍ପଣ କରିବେ। କାରଣ ୟୁରୋପା ଲିଗ୍ର ଦ୍ୱିତୀୟ କ୍ୱାଲିଫାଇଙ୍ଗ ରାଉଣ୍ଡରେ ମିଲାନ ଆୟର୍ଲାଣ୍ଡର ଶାମରକ୍ ରୋଭର୍ସକୁ ଭେଟିବା କାର୍ଯ୍ୟକ୍ରମ ରହିଛି।