ଘରେ ରହି ଭୋଟ୍‌ ଦେବେ ଦିବ୍ୟାଙ୍ଗ

ପୁରୀ ଅଫିସ,୧।୫: ପିପିଲି ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଥିବା କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କ ପ୍ରାର୍ଥତ୍ପତ୍ର ଯାଞ୍ଚ ଶେଷ ହୋଇଛି। ଏହାପରେ ବାଲଟ୍‌ ପେପର ପ୍ରସ୍ତୁତି ଆରମ୍ଭ ହୋଇଛି। ନିର୍ବାଚନ ଦାୟିତ୍ୱରେ ଥିବା ଅଫିସରମାନେ କଟକ ଓ ବ୍ରହ୍ମପୁରକୁ ବାଲଟ୍‌ ପେପର ଆଣିବା ପାଇଁ ଯାଇଛନ୍ତି। ପୁରୀରେ ପୋଷ୍ଟାଲ ବାଲଟ୍‌ ପେପର ପ୍ରସ୍ତୁତ କରାଯିବ। ଚଳିତ ବର୍ଷ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କୁ ମତଦାନ କେନ୍ଦ୍ରକୁ ଯିବାକୁ ପଡ଼ିବ ନାହିଁ। ସେମାନେ ଘରେ ରହି ଭୋଟ ଦେବେ। ପିପିଲି- ଡେଲାଙ୍ଗ ନିର୍ବାଚନମଣ୍ଡଳୀରେ ଏଭଳି ୧୦୬୭ ଜଣ ଭୋଟର ରହିଛନ୍ତି। ନିର୍ବାଚନ ଦାୟିତ୍ୱରେ ଥିବା କର୍ମଚାରୀମାନେ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ଘରେ ପହଞ୍ଚି ଭୋଟଗ୍ରହଣ ପ୍ରକ୍ରିୟା ଶେଷ କରିବେ। ଆସନ୍ତା ୩ରୁ ୭ତାରିଖ ମଧ୍ୟରେ ଏମାନଙ୍କ ମତଦାନ ପ୍ରକ୍ରିୟା ଶେଷ ହେବ। ପୁରୀ ଜିଲାରେ କୋଭିଡ୍‌ ସଂକ୍ରମଣ ବ୍ୟାପୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଶୁକ୍ରବାର ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ କହିଛନ୍ତି। ସେହିଭଳି ନିର୍ବାଚନ ପ୍ରକ୍ରିୟାରେ ସମ୍ପୃୃକ୍ତ ସମସ୍ତ ଅଧିକାରୀ ଓ ଭୋଟରଙ୍କୁ ସାମାଜିକ ଦୂରତା ରକ୍ଷା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମେ ୧୬ତାରିଖରେ ହେବାକୁ ଥିବା ମତଦାନ ପାଇଁ ପୋଲିଂ କର୍ମଚାରୀମାନଙ୍କୁ ପର୍ଯ୍ୟାୟ କ୍ରମେ ମତଦାନ କେନ୍ଦ୍ରକୁ ଛଡ଼ାଯିବ। ତେବେ ଏବେଠାରୁ ନିର୍ବାଚନ ପ୍ରକ୍ରିୟା ଶେଷ ପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳ ଶୋଭାଯାତ୍ରା କିମ୍ବା ସମାବେଶ କରିପାରିବେ ନାହିଁ। ଜିଲାରେ କୋଭିଡ୍‌ ସଂକ୍ରମଣ ମାତ୍ରାକୁ ଦେଖି ମତଦାନ ପ୍ରକ୍ରିୟା କିଭଳି କଟକଣା ମଧ୍ୟରେ ସମ୍ପନ୍ନ କରାଯିବ ତାହା ପ୍ରଶାସନ ପାଇଁ ସବୁଠୁ ବଡ଼ ଆହ୍ବାନ ବୋଲି ଅତରିକ୍ତ ଜିଲାପାଳ କହିଛନ୍ତି।

Share